• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନରେ କରାଳ ରୂପ ଧାରଣ କରିଛି କୋଭିଡ୍ ମହାମାରୀ । ଦୈନିକ ୯ ହଜାର ଜୀବନ ନେଉଛି ଘାତକ ଭୂତାଣୁ । ତେବେ ସଂକ୍ରମଣ ଏଯାଏଁ ବି ପିକରେ ପହଞ୍ଚିନାହିଁ ଅର୍ଥାତ୍ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ । ବ୍ରିଟେନର ଏକ ହେଲ୍ଥ୍ ଫାର୍ମ ଏୟାର-ଫିନିଟି ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ, ଚଳିତ ମାସର ମଧ୍ୟଭାଗ ସୁଦ୍ଧା ଦୈନିକ ସଂକ୍ରମଣ ୩୭ ଲକ୍ଷରେ ପହଞ୍ଚିବ । ସେହିପରି ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ନେବ କୋଭିଡ୍ । ଜାନୁଆରୀ ୨୩ ସୁଦ୍ଧା ୬ ଲକ୍ଷ ଚୀନି ନାଗରିକଙ୍କ ମୃତ୍ୟୁ ହେବା ଆଶଙ୍କା କରାଯାଉଛି ।

ବ୍ରିଟେନରେ ଏକ ହେଲ୍ଥ ଫାର୍ମ ଏୟାର-ଫିନିଟି ଚୀନ୍ କୋଭିଡ୍ ସଂକ୍ରମଣର ଭୟାନକ ସ୍ଥିତି ସଂପର୍କରେ ଯେଉଁ ଉଦବେଗଜନକ ରିପୋର୍ଟ ଦେଇଛି, ତାହା କାହାକୁ ବି ବିଚଳିତ କରିବ । ରିପୋର୍ଟ ଅନୁସାରେ ଜାନୁଆରୀ ୧୩ ବେଳକୁ ଚୀନରେ ଦୈନିକ ୩୭ ଲକ୍ଷ ଲୋକ କୋଭିଡରେ ଆକ୍ରାନ୍ତ ହେବେ । ଚୀନର ଏକ ନିର୍ଦ୍ଦିଷ୍ଟ ପ୍ରଦେଶରେ ସଂକ୍ରମଣ ହାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଅନ୍ୟପକ୍ଷରେ ଅନ୍ତିମ ସଂସ୍କାର ସ୍ଥାନରେ ମୃତଦେହଗୁଡିକ ଗଦା ହୋଇ ରହିଥିବା ବେଳେ ଏବେ ଦିନକୁ ଅତିକମରେ ୯ ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ଆକଳନ କରାଯାଇଛି । ତେବେ ଏହି ସଂଖ୍ୟା ଜାନୁଆରୀ ମଧ୍ୟଭାଗ ସୁଦ୍ଧା ୨୫ ହଜାର ଛୁଇଁବ । ସେହିପରି ଆସନ୍ତା ୨୩ ତାରିଖ ସୁଦ୍ଧା ମୋଟ ୬ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ନେଇ ରିପୋର୍ଟରେ ଦର୍ଶାଯାଇଛି ... ।

ଅଧିକ ପଢ଼ନ୍ତୁ: ବାରମ୍ବାର ଭ୍ୟାକ୍ସିନ୍‌ ନେଲେ ଗ୍ରହଣ କରିବନି ଶରୀର, କାମ କରିବା ବନ୍ଦ କରିଦେବ..

କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଲୋକଙ୍କର ମୃତ୍ୟୁ ହେଉଛି ସେସଂପର୍କିତ ସଠିକ୍ ତଥ୍ୟ ଦେବା ଲାଗି ଚୀନ୍ ସରକାରଙ୍କୁ ବାରମ୍ବାର କହି ଆସୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ କଟକଣା ଉଠିବା ପରେ ଚୀନରେ କୋଭିଡ୍ ପରିଚାଳନା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଟେଷ୍ଟିଂ ଓ ହସପିଟାଲାଇଜେସନ୍ ବାଧ୍ୟତାମୂଳକ ନଥିବାରୁ ସଂକ୍ରମଣ ସଂପର୍କରେ ତଥ୍ୟ ମିଳିପାରୁନାହିଁ ।

ଅନ୍ୟପକ୍ଷରେ ଚୀନ୍ କର୍ତ୍ତୃପକ୍ଷ ମୂଳରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅସହଯୋଗ କରୁଥିବାରୁ ଦେଶରେ ବାସ୍ତବ କୋଭିଡ୍ ସ୍ଥିତି କଣ ତାହା ଏବେବି ବାହାର ବିଶ୍ୱକୁ ପୂରା ଜ୍ଞାତ ନାହିଁ । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଆଧାନମ୍ ଉଦବେଗ ପ୍ରକାଶ କରିଛନ୍ତି । ବାସ୍ତବରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, ଖାସ୍ କରି କେତେ ଲୋକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଉଛି, ତାର ତଥ୍ୟ ଦେବାକୁ ଚୀନକୁ ଅନୁରୋଧ କରିଛନ୍ତି... ।

ସଂକ୍ରମଣ ବ୍ୟାପିବା ପରେ କରୋନା କବଳରେ ପୁରା ଚୀନ୍ । ସ୍ଥିତି ଏମିତି ହୋଇଛି ଯେ ନୀରବରେ ଦେଖିବା ବ୍ୟତିତ ଅନ୍ୟ ଚାରା ନାହିଁ ଜିନପିଙ୍ଗ୍ ସରକାର ପାଖରେ । ସଂକ୍ରମଣ ଏତେ ପ୍ରବଳ ବେଗରେ ମାଡୁଛି ଯେ, ଏହାର ମୁକାବିଲା ଲାଗି କୌଣସି ବ୍ୟବସ୍ଥା ବି ପର୍ଯ୍ୟାପ୍ତ ନୁହେଁ । ଏଣୁ ହାତ ଟେକି ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ୍ । କରୋନା ଲଢେଇରେ ସାଂଘାତିକ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ବୋଲି ଦେଶବାସୀଙ୍କୁ ଉଦବୋଧନରେ କହିଛନ୍ତି ଜିନପିଙ୍ଗ । କଠୋର କରୋନା ନିୟମକୁ ନେଇ ସାମାଜିକ ସ୍ତରରେ ମତଭେଦ ଉଗ୍ର ଆନ୍ଦୋଳନର ରୂପ ନେଇଥିଲା ।

ତେବେ ଲକଡାଉନ ନିଷ୍ପତ୍ତିକୁ ସେ ଠିକ୍ ଦର୍ଶାଇବା ସହ ଆର୍ଥିକ କ୍ଷତି ଅପେକ୍ଷା ଲୋକଙ୍କ ଜୀବନକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି । ମାସ ମାସର କଠୋର ଲକଡାଉନ ପରେ ସୀମା ଲଙ୍ଘିଥିଲା ଲୋକଙ୍କ ଧୈର୍ଯ୍ୟ, ଯାହାକୁ ନେଇ ଦେଶବ୍ୟାପୀ ହିଂସାକାଣ୍ଡ ଓ ଆନ୍ଦୋଳନ ହୋଇଥିଲା । ଫଳରେ ଗତମାସ ୭ ତାରିଖରେ ଚୀନ୍ ସରକାର କଠୋର ଲକଡାଉନ ନିୟମକୁ ଉଠାଇ ଦେଇଥିଲେ । ଏହା ପରେ ମହାମାରୀ ଭୟଙ୍କର ରୂପ ଧାରଣ କରିଛି, ଲୋକଙ୍କୁ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ।

ଦେଖନ୍ତୁ ଭିଡ଼ିଓ | କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍