Advertisment

ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।

author-image
Chandan Shishu
ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

Covid death

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ। ପ୍ରାୟ ୪ ମାସ ପରେ ଆଜି ଚିହ୍ନଟ ହୋଇଛନ୍ତି ୮୮୬ ପଜିଟିଭ୍। ହେଲେ କୋଭିଡ୍ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। ଆଜି ଆଉ ୬୬ ମୃତ୍ୟୁର ହିସାବ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଇଏ କେବଳ ଗୋଟିଏ ଦିନ ନୁହେଁ, ମାସେରୁ ଅଧିକ ସମୟ ହେଲା ଦୈନିକ ମୃତ୍ୟୁ ସଂଖ୍ୟା ୬୦ ପାର ଦର୍ଶାଉଛନ୍ତି ସରକାର। କୋଭିଡ୍ ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ଏହା ଭିତରେ ୬ ହଜାର ୫ ଶହ ଡେଇଁଛି। ସଂକ୍ରମଣ ତଳମୁହାଁ ହୋଇଥିଲେ ବି କାହିଁକି କମିବାର ନା ଧରୁୁନି ମୃତ୍ୟୁ ସଂଖ୍ୟା?

Advertisment

ଏନେଇ ସ୍ବାସ୍ଥ୍ୟ ବିଭାଗ ନିଜ ସଫେଇରେ କହୁଛି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଦର୍ଶାଯାଉଛି, ତାହା ଏବେର ନୁହେଁ, ସେସବୁ ଅଡିଟେଡ୍ ଡେଥ୍ ରିପୋର୍ଟ  ଅର୍ଥାତ୍ ପୂର୍ବରୁ କୋଭିଡ୍‌ରେ ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ରିପୋର୍ଟରେ ଦେଖାଯାଇ ନଥିଲା, ଏହା ହେଉଛି ତାହାରି ସଂଖ୍ୟା। କିଛିଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଏହା ବି କହିଥିଲା, ୧୫ ଦିନ ଭିତରେ ସବୁ ଅଡିଟ୍ ସରିଯିବ ଓ ଏହା ପରଠାରୁ କେବଳ ସାନି କୋଭିଡ୍ ମୃତ୍ୟୁ ସଂଖ୍ୟା ଦିଆଯିବ। 

ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି କୌଣସି ସ୍ପଷ୍ଟ ଉତ୍ତର ରଖୁନାହାନ୍ତି ସରକାର।   

Advertisment

କୋଭିଡ୍ ମୃତ୍ୟୁକୁ ନେଇ ନିକଟରେ ରାଜ୍ୟ ସରକାର ଦାଖଲ କରିଥିବା ଏକ ସତ୍ୟପାଠ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ କୋଭିଡ୍ ମୃତ୍ୟୁ ନେଇ ବିସ୍ତୃତ ତଥ୍ୟ ଥିବା ଏକ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ରାଜ୍ୟ ସରକାରଙ୍କ କୋଭିଡ୍ ମୃତ୍ୟୁ ଅଙ୍କକୁ ନେଇ ଆଜି ବିରୋଧୀ ବିଜେପିି ସରକାରଙ୍କୁ କାଠଗଡ଼ାକୁ ଟାଣିଛି। ଦଳ ଅଭିଯୋଗ କରିଛି, ରାଜ୍ୟ ସରକାର ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି। ପୂର୍ବରୁ ଯେଉଁଠି ଦିନକୁ ୫୦-୬୦ ଶବ ଦାହ ହେଉଥିଲା, ସେଠି ୪-୫ କୋଭିଡ୍ ମୃତ୍ୟୁ ଦେଖାଉଥିଲେ। ଅନେକ ମୃତ୍ୟୁକୁ ହୃଦଘାତ ଜନିତ ଦର୍ଶାଇଥିଲେ। ଏବେ ସେଗୁଡ଼ିକୁ ପୁଣି ଥରେ ବଦଳାଉଛନ୍ତି, ତେଣୁ ଅଡିଟ୍ ବାହାନାରେ ସମୟ ନେଉଛନ୍ତି। ବିଜେଡି ଏହି ପ୍ରଶ୍ନର ଉତ୍ତର ସିଧାସଳଖ ନଦେଇ ବାଆଁରେଇ ଯାଇଥିଲା। 

ପୂର୍ବରୁ ମହାରାଷ୍ଟ୍ର ଓ ବିହାର ଭଳି ରାଜ୍ୟ ଦୈନିକ ଡେଥ୍ ଅଡିଟ୍ ରିପୋର୍ଟ ନଦେଇ ଏକାସାଙ୍ଗରେ ସମସ୍ତ ଅଡିଟ୍ ମୃତ୍ୟୁ ସଂଖ୍ୟା ଦର୍ଶାଇଥିଲେ। ମୋଟ୍ ମୃତ୍ୟୁ ସଂଖ୍ୟାରେ ସଂଶୋଧନ କରିଥିଲେ। ଯାହାଫଳରେ ଓଡ଼ିଶା ଭଳି ସେଠାରେ ଦ୍ୱନ୍ଦ୍ୱ ଉପୁଜିନଥିଲା। ଏବେ ପ୍ରଶ୍ନ ରାଜ୍ୟରେ କୋଭିଡ୍ ମୃତ୍ୟୁର ଅଡିଟେଡ୍ ଡେଥ୍ ରିପୋର୍ଟ ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ସରିବ ତ? 

ରିପୋର୍ଟ: ଅରିନ୍ଦମ ଦାସ ଓ କପିଳେନ୍ଦ୍ର ପ୍ରଧାନ

Odisha News COVID-19
Advertisment
Advertisment