• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍‌ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି । ହେଲେ ବିଭିନ୍ନ ଟିକାକରଣ କେନ୍ଦ୍ର ଆଗରେ ଲମ୍ବା ଲାଇନ୍ ଓ ଆହୁରି ୨ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ନେଇ ଖୋଦ୍ ବିଏମ୍‌ସି ତଥ୍ୟ ହିଁ ଅଡୁଆରେ ପକାଇଛି । ଯାହାକୁ ନେଇ ରାଜନୀତି ବି ତେଜିଲାଣି ।

ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କରୋନା ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ଆଗରେ ବିଏମ୍‌ସି ପଦାଧିକାରୀଙ୍କ ବାହାସ୍ଫୋଟ, ଆଉ ସେ ଆଧାରରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶନ । ଏହାପରେ ତାକୁ ରି-ଟ୍ୱିଟ୍ କରି ଭୁବନେଶ୍ୱର ମହାନଗର ନିଗମ ବାହାବା ନେବାକୁ ଉଦ୍ୟମ ଚଳାଇଛି ।

ହେଲେ ଭ୍ୟାକସିନେସନ ସେଣ୍ଟରରେ ବାସ୍ତବ ସ୍ଥିତି କହୁଛି ଭିନ୍ନ କଥା । ୟୁନିଟ୍-୮ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଏବେ ବି ଲାଗୁଛି ଲମ୍ବା ଲାଇନ୍‌ । ଲୋକଙ୍କ ସଂକ୍ୟା ଏତେ ଯେ, ଲମ୍ବା ଲାଇନ୍‌ ଗେଟ୍‌ ଡେଇଁ ରାସ୍ତା ଉପରେ ପହଞ୍ଚିଲାଣି । ଠିକ୍ ସେମିତି ୟୁନିଟ୍ ୪ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଲାଗୁଛି ଲମ୍ବା ଲାଇନ୍ । କେହି କେହି ଫାଷ୍ଟ ଡୋଜ୍ ନେବାକୁ ବି ଆସୁଛନ୍ତି । ତେଣୁ ପ୍ରଶ୍ନ ଉଠୁଛି, କେଉଁ ଆଧାରରେ ଶତପ୍ରତଶିତ ଟିକାକରଣ ଲକ୍ଷ୍ୟ ପୂରଣ ହେଲା ବୋଲି କହୁୁଛି ବିଏମ୍‌ସି ?

ଭୁବନେଶ୍ୱରରେ ଟିକାକରଣର ତଥ୍ୟ କହୁଛି, ଜୁଲାଇ ୩୧ ସୁଦ୍ଧା ରାଜଧାନୀରେ ମୋଟ୍ ୯ଲକ୍ଷ ୭ ହଜାର ଲୋକଙ୍କୁ କୋଭାକ୍ସିନ ଟିକାର ଦୁଇଟି ଯାକ ଡୋଜ୍ ଲକ୍ଷ୍ୟ ପୂରଣ ହୋଇଛି । ଅର୍ଥାତ୍ ୧୮ଲକ୍ଷ ୧୪ହଜାର ଡୋଜ୍ ଟିକା ଦିଆସରିଛି । ଏହା ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏପଟେ ସେହି ବିଏମ୍‌ସି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅଗଷ୍ଟ ୩ ସୁଦ୍ଧା ୧୮ଲକ୍ଷ ୯୧ ହଜାର ୬୮୨ ଲୋକଙ୍କୁ ଟିକା ଦିଆଯାଇଥିବା ଦର୍ଶାଇଛି । ଯେଉଁଥିରେ ଫାଷ୍ଟ ଡୋଜ୍ ୧୦ଲକ୍ଷ ୭୫ ହଜାର ୭୦୩ ଥିବାବେଳେ ସେକେଣ୍ଡ ଡୋଜ୍ ନେଇଛନ୍ତି ୮ଲକ୍ଷ ୧୫ ହଜାର ୯୭୯ । ଅର୍ଥାତ୍ ଆହୁରି ୨ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସେକେଣ୍ଡ ଡୋଜ୍ ନେବାକୁ ବାକି ଅଛନ୍ତି ।

ତେଣୁ ଯଦି ଏତେ ସଂଖ୍ୟକ ଲୋକ ଦ୍ୱିତୀୟ ଡୋଜ ଟିକାକୁ ଅପେକ୍ଷା କରିଛନ୍ତି ଏବଂ ରାଜଧାନୀର ଅଧିକାଂଶ ଭ୍ୟାକ୍ସିନ ସେଣ୍ଟରରେ ଲମ୍ବା ଲାଇନ୍ ଲାଗୁଛି । ତାହାଲେ ବିଏମ୍‌ସି କେଉଁ ଆଧାରରେ ହିସାବ କରି ଦେଶରେ ପ୍ରଥମ ସହର ଭାବେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କଲା ବୋଲି କହୁଛି ? ଏନେଇ ପ୍ରଶ୍ନ ଉଠିବା ପରେ ବିଏମସିର ଅତିରିକ୍ତ କମିଶନରଙ୍କୁ ଯୋଗାଯୋଗ କରିବାରୁ ସେ, ସ୍ୱାସ୍ଥ୍ୟ ବିଭାଗ ହିସାବ ଦେବ କହି ସେ କଥାକୁ ଏଡ଼ାଇ ଯାଇଥିଲେ ।