• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରିପୋର୍ଟ- ହରିହର ଚାନ୍ଦ): ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ । ଓମିକ୍ରନ୍‌ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ । ଯେଉଁସଂଖ୍ୟା ଗତକାଲି ୬୮୦ ଥିଲା, ଆଜି ଏକାସଙ୍ଗେ ୧୨୧୬ । ୨୪ ଘଣ୍ଟାରେ ପ୍ରାୟ ଦୁଇଗୁଣା । ଜାନୁୟାରୀ ୧ରୁ ୫ ଭିତରେ ନିଇତି ଡବଲ୍ ଟ୍ରେଣ୍ଡରେ ଥିବା କରୋନା ସଂକ୍ରମଣ ଆଜି ଏକାସଙ୍ଗେ ଲମ୍ଫ ମାରିଛି ହଜାରେ ଉପରକୁ ।

ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ ଆଚାର୍ଯ୍ୟ ବିହାର, ସାଇ ଟେମ୍ପୁଲ ନିକଟ ଓ ପାଣି ଟାଙ୍କି ଅଞ୍ଚଳ, ସତ୍ୟ ନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ଟଙ୍କପାଣି ବିଷ୍ଣୁନଗରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପଜିଟିଭିଟି ହାର ୧ % ଉପରକୁ ଗଲାଣି । ଦ୍ୱିତୀୟ ଲହର ପିକ୍ ବେଳେ ଯେତିକି ବେଡ୍ ଓ ଭିତ୍ତିଭୂମି ଥିଲା, ସେହି ଅନୁସାରେ ସବୁ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

ଦେଶରେ ବି ୫୦ ହଜାର ଟପିଛି ଦୈନିକ କରୋନା ସଂକ୍ରମଣ । ଗଲା ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୦୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ପ୍ରାୟ ୨୧ ହଜାର ଅଧିକ । ଏହାକୁ ମିଶାଇ ଆକ୍ଟିଭ କେସ୍ ସଂଖ୍ୟା ୨ ଲକ୍ଷ ଟପିଛି ଦେଶରେ । ସେହିପରି ୨୮ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ ହାର ୧୦%ରୁ ଅଧିକ ରହୁଥିବା ବେଳେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭି ୫ରୁ ୧୦ ପ୍ରତିଶତ ରହିଛି । ଯାହା ମଧ୍ୟରେ ଅଛି ଓଡ଼ିଶାର ଗୋଟିଏ ଜିଲ୍ଲା ।

ଏହି ଧାରାରେ ଦେଶରେ ଓମିକ୍ରନ୍ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଜି ସୁଦ୍ଧା ଏହି ସଂଖ୍ୟା ୨୧ ଶହ ଟପି ସାରିଲାଣି । ବଢୁଥିବା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ଜାରି କରିଛନ୍ତି ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡ୍‌ଲାଇନ । ଅଧିକାଂଶ ଆକ୍ରାନ୍ତ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ । ତେଣୁ ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ହୋମ୍ ଆଇସୋଲେସନରେ ରହିପାରିବେ ।

 ପୂର୍ବରୁ ୧୦ ଦିନ ହୋମ୍ ଆଇସେଲନ୍‌ରେ ରହିବାକୁ ପଡୁଥିବା ବେଳେ ଏବେ ଏହା ୭ ଦିନକୁ ହ୍ରାସ କରାଯାଇଛି । ହୋମ୍ ଆଇସୋଲେସନ ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ହିଁ ରହିପାରିବେ । ଟିକା ନେଇସାରିଥିବା ପରିବାରର ଜଣେ ଆକ୍ରାନ୍ତଙ୍କ ଦାୟିତ୍ୱରେ ରହିବେ । ତେବେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ କେବଳ ଡାକ୍ତର ହିଁ ଅନୁମତି ଦେଇପାରିବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି । ଏହାରି ଭିତରେ ଦେଶବ୍ୟାପୀ ଆଜି ସୁଦ୍ଧା ୧ କୋଟି ୩୭ ଲକ୍ଷ ଏବଂ ଓଡ଼ିଶାରେ ୨ ଲକ୍ଷ ୩୬ ହଜାର ୧୫ରୁ ୧୮ ବର୍ଷ ପିଲାଙ୍କୁ କୋଭିଡ୍ ଟିକା ଦିଆଯାଇଛି ।