Advertisment

ଆଶ୍ୱସ୍ତି ଆଣିଲା ଆଂଶିକ ଲକଡାଉନ୍, ତଥାପି ରହିଲା ଦୁଃଖ

ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ।

author-image
Chandan Shishu
ଆଶ୍ୱସ୍ତି ଆଣିଲା ଆଂଶିକ ଲକଡାଉନ୍, ତଥାପି ରହିଲା ଦୁଃଖ

COVID Relaxation In Odisha

ଭୁବନେଶ୍ୱର: ତାଲାବନ୍ଦର ପ୍ରାୟ ତିନି ମାସ ପରେ ଆଶ୍ୱସ୍ତି ଆଣିଛି ଆଂଶିକ ଲକଡାଉନ୍। ଆଜିଠୁ ଅଗଷ୍ଟ ୧ ଯାଏଁ ନୂଆ ଗାଇଡଲାଇନ୍ ପରେ ଚଳଚଞ୍ଚଳ ବସ୍‌ଷ୍ଟାଣ୍ଡ। ଚକ ଗଡ଼ିଲେ ତେଲଲୁଣର ସଂସାର ଚାଲେ ବୋଲି ସକାଳୁ ସକାଳୁ ଧୂପ ଦେଇ ଜୀବିକାର ନୂଆ ସକାଳ ଆରମ୍ଭ କରୁଛନ୍ତି କର୍ମଚାରୀ। ହାତରେ ଟିକଟ ରସିଦ୍ ଧରି ଯାତ୍ରୀଙ୍କୁ ଅପେକ୍ଷା କରିଛନ୍ତି କଣ୍ଡକ୍ଟର। କିନ୍ତୁ ଚାରିଆଡ଼େ ଯାତ୍ରୀ ଶୂନ୍ୟ, ବସ୍ ଅଛି ମାଳ ମାଳ। ଏ ଚିତ୍ର ଥିଲା ବାଲେଶ୍ୱର ଘରୋଇ ବସଷ୍ଟାଣ୍ଡର। କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଚିତ୍ର କିନ୍ତୁ ଓଲଟା। ଯାତ୍ରୀ ଅପେକ୍ଷାରତ, ହେଲେ ବସ୍ ଶୂନ୍ୟ ବସ୍‌ଷ୍ଟାଣ୍ଡ। କେବଳ ବାଲେଶ୍ୱର କି ବାଦାମବାଡ଼ି ନୁହେଁ, ବି କାଟାଗୋରୀରେ ଥିବା ରାଜ୍ୟର ୧୦ଟି ଜିଲ୍ଲାର ଅଧିକାଂଶ ବସ୍‌ଷ୍ଟାଣ୍ଡରେ ଏଭଳି ଅବସ୍ଥା। 

Advertisment

ଘରୋଇ ବସ୍ ମାଲିକ ସଂଘର କହିବା କଥା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। କାରଣ ୧୮ ମାସ ଧରି ବନ୍ଦ ହୋଇ ପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ଯାତ୍ରୀ ବି ଆସୁନାହାଁନ୍ତି। ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ କରିବ ବୋଲି ଓଡ଼ିଶା ବସ୍ ଆସୋସିଏସନ୍ ପ୍ରଶ୍ନ ଉଠାଇବା ସହ ବସ୍ ସେବା ସ୍ୱାଭାବିକ ହେବାକୁ କିଛିଦିନ ଲାଗିବ ବୋଲି କହିଛି।  

ତେବେ ପାର୍ଲର ଓ ଜିମ୍ ମାଲିକ କିନ୍ତୁ ଖୁସ୍। କାରଣ ପ୍ରାୟ ୩ ମାସ ଧରି ବନ୍ଦ ପରେ ଏବଂ ନା ନା ଆନ୍ଦୋଳନ, ବିକ୍ଷୋଭ ପରେ ଆଜିଠୁ ତାଲା ଫିଟିଛି। ଏଥିପାଇଁ ଉତ୍ସାହିତ ଯୁବପୀଢି। ସକାଳୁ ସକାଳୁ ଜମିଛି ଓ୍ୱାର୍କ ଆଉଟ। କଟକ, ଭୁବନେଶ୍ୱର, ରାଉରକେଲା ସମେତ ଏକାଧିକ ସହରରେ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ଏକାସଙ୍ଗେ କେବଳ ୧୦ ଜଣଙ୍କୁ ହିଁ ପ୍ରବେଶ ଅନୁମତି ଦେଉଛନ୍ତି ଜିମ୍ ମାଲିକ। ତାସହ ମାସ୍କ, ସାନିଟାଇଜର ବ୍ୟବହାରକୁ ପ୍ରାଥମିକତା ଦେଇଛନ୍ତି। କେବଳ ଜିମ୍ ନୁହେଁ, ବ୍ୟୁଟି ପାର୍ଲର ବି ଏବେ ଚଳଚଞ୍ଚଳ। ଦୀର୍ଘ ଦିନ ଧରି ହାତ ବାନ୍ଧି ବସିଥିବା ପାର୍ଲର ମାଲିକ ଏବଂ କର୍ମଚାରୀଙ୍କ ହାତ ଚାଲିଥିବାରୁ ଆଶ୍ୱସ୍ତି ଅନୁଭବ କରିଛନ୍ତି। 

Advertisment

ଧିରେ ଧିରେ ତାଲାବନ୍ଦ କଟକଣାରୁ ମୁକ୍ତ ହେଉଛି ଓଡ଼ିଶା। କିନ୍ତୁ ସେହି କୋହଳ କଟକଣା ଭିତରେ ଯଦି କୋଭିଡ୍ ନିୟମର ସଠିକ୍ ଅନୁପାଳନ ନହୁଏ, ତାହେଲେ ପୁଣି ବିଗିଡ଼ିପାରେ ଜୀବନ ସହ ଜୀବିକା।

Odisha News Odisha Government COVID-19 Lockdown
Advertisment
Advertisment