୫ ବର୍ଷ ପରେ ଖସିଲା ରେପୋ ରେଟ୍ । ଋଣଗ୍ରହୀତାଙ୍କୁ ମିଳିବ ରିହାତି । କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ । ନୂଆ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଆସନ୍ତୁ ଜାଣିବା ରେପୋ ହ୍ରାସ ବାସ୍ତବରେ କେତେ ଦେବ ଫାଇଦା...
Also Read
ବଜେଟ୍ ପରେ ମଧ୍ୟବିତ୍ତଙ୍କୁ ପୁଣି ବଡ଼ ଆଶ୍ବସ୍ତି ମିଳିବ । ଖସିବ ସୁଧହାର କମିବ ଇଏମଆଇ । କାହିଁକି ନା ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କମିଛି ରେପୋ ରେଟ୍ । ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବା ୦.୨୫ ପ୍ରତିଶତ ହ୍ରାସ କରିଛିି ରିଜର୍ଭ ବ୍ୟାଙ୍କ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ନିଜର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍ ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ କମାଇଛନ୍ତି । ଅର୍ଥାତ୍ ପୂର୍ବରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ, ରିଜର୍ଭ ବ୍ୟାଙ୍କ୍ ଯୋଗାଇ ଦେଉଥିବା ଋଣ ଉପରେ ୬.୫ ପ୍ରତିଶତ ସୁଧ ନେଉଥିବା ବେଳେ ଏଣିକି ନେବ ୬.୨୫ ପ୍ରତିଶତ ସୁଧ ।
ଯେହେତୁ ଆରବିଆଇ ନିଜ ଋଣ ସୁଧହାର କମାଇଛି, ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ଋଣ ସୁଧହାର କମାଇବେ । ଆଉ ଏହାର ସିଧାସଳଖ ଫାଇଦା ପାଇବେ ଗୃହ, କାର୍, ଏମ୍ଏସ୍ଏମ୍ଇ, ଖୁଚୁରା ଋଣ ଭଳି ବିଭିନ୍ନ ପ୍ରକାର ଲୋନ୍ ନେଇଥିବା ଲୋକେ । ଏବେ ମୁଦାସ୍ଫୀତି ନିୟନ୍ତ୍ରିତ ସ୍ତରରେ ଥିବାରୁ ଋଣ ସୁଧ ହାର ଶସ୍ତା କରାଇ ଅର୍ଥନୀତିକୁ ଆହୁରି ଚଳଚଞ୍ଚଳ କରାଇବାକୁ ଆରବିଆଇ ଲକ୍ଷ୍ୟ ରଖିଛି । ଅପରପକ୍ଷରେ ବ୍ୟାଙ୍କରଙ୍କ କହିବା ଅନୁସାରେ ଯେହେତୁ ବ୍ୟାଙ୍କର ଋଣ ସୁଧହାର ରେପୋ ସହିତ ଲିଙ୍କ୍ ରହିଛି । ତେଣୁ ଆପେ ଆପେ ୨୫ ବେସିସ ପଏଣ୍ଟ କମିଯିବ ।
୨୦୧୯ ଅକ୍ଟୋବର ପରଠୁ ବ୍ୟାଙ୍କଗୁଡ଼ିକ ହୋମ୍ ଲୋନ୍, ଗାଡ଼ି ଋଣ ସମେତ ବିଭିନ୍ନ ପ୍ରକାର ଲୋନ୍, ଫ୍ଲୋଟିଂ ସୁଧ ହାରରେ ଯୋଗାଉଛନ୍ତି । ଅର୍ଥାତ୍ ଯଦି ରେପୋ ରେଟ୍ କମିବ, ବ୍ୟାଙ୍କର ସୁଧ ହାର ଆପେ ଆପେ କମିବ ଏବଂ ରେପୋ ବଢ଼ିଲେ ବ୍ୟାଙ୍କ ଋଣ ହାର ବଢ଼ିବ । ଏବେ ପ୍ରଶ୍ନ ୨୫ ବେସିସ୍ ରେପୋ କମିଲେ, ଜଣେ ବ୍ୟକ୍ତିର ଋଣ ଉପରେ ସୁଧ କେତେ କମିଯିବ ? ଇଏମ୍ଆଇ କେତେ ପଡ଼ିବ? ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମତରେ, ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କାର ଗୃହ ଋଣ ନେଇଛନ୍ତି । ସେ ଯେତିକି ଇଏମଆଇ ଦେଉଛନ୍ତି, ଯଦି ସେହି ପରିମାଣର ଇଏମଆଇରେ ଜଣେ ବ୍ୟକ୍ତି ୫୦ ଲକ୍ଷ ଟଙ୍କାର ନୂଆ ହୋମ ଲୋନ୍ ନେବାକୁ ଚାହିଁବେ । ତାଙ୍କ ଇଏମଆଇ ଅବଧି ୨୦ ବର୍ଷରୁ ୧୦ ମାସ କମିଯିବ । ଏମିତିକି ଯଦି ଋଣଗ୍ରହୀତା ଏହି ୨୦ ବର୍ଷିଆ ଋଣରୁ ୧୦ ବର୍ଷ ଇଏମଆଇ ଦେଇସାରିଛନ୍ତି । ତେବେ ବଳକା ଋଣ ପରିଶୋଧ ବେଳେ ତାଙ୍କର ୫ଟି ଇଏମ୍ଆଇ କମିଯିବ ।
ଅଧିକ ପଢନ୍ତୁ: ବଦଳିଲା ସୁନା-ରୂପା ଦର; ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ଦାମ୍...
ଅନ୍ୟପକ୍ଷରେ ଲଗାତର ୧୧ଟି ମୁଦ୍ରାନୀତି ବୈଠକରେ ରେପୋ ରେଟ୍ ସ୍ଥିର ରଖିବା ପରେ ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆରବିଆଇର ରେପୋ ରେଟ୍ ହ୍ରାସ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଲୋକେ । ନୂଆ ଗଭର୍ଣ୍ଣରଙ୍କ ଆଗାମୀ ମୁଦ୍ରାନୀତି ବୈଠକକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି । ନୂଆ ଗଭର୍ଣ୍ଣର ମୁଦ୍ରାସ୍ଫୀତି ଓ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ରଖି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ କେଉଁ ରଣନୀତି ଆପଣାଇବେ ? ତାହା ଉପରେ ଏବେ ଦେଶବାସୀଙ୍କ ନଜର ।