/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741941189.jpg)
ଶସ୍ତା ହେବ ମଧୁମେହ ଔଷଧ
ବିଶ୍ୱରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ୧୦ କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ବା ପୀଡିତ । ଦିନକୁ ଦିନ ଏହି ରୋଗରେ ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୪ ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି । ସାରା ପୃଥିବୀର ମଧୁମେହ ରୋଗୀଙ୍କ ମଧ୍ୟରୁ ୧୭% ଅଛନ୍ତି ଭାରତରେ। ଏହା ହିଁ ଭାରତରେ ମଧୁମେହର ବିସ୍ତାରକୁ ସୂଚିତ କରେ। ଭାରତରେ ଥିବା ମଧୁମେହ ରୋଗୀଙ୍କ ମଧ୍ୟରୁ ୯୦-୯୫% ଟାଇପ୍-୨ ମଧୁମେହ ରୋଗରେ ଆକ୍ରାନ୍ତ, ଯାହା ପାଶ୍ଚାତ୍ୟ ଦେଶମାନଙ୍କରେ ଥିବା ଟାଇପ୍-୧ ମଧୁମେହ ତୁଳନାରେ ଅତି କମ୍ । ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାର ଏକ ପ୍ରମୁଖ କାରଣ ହେଉଛି ଅଧାରୁ ଅଧିକ ପୀଡ଼ିତ ନିଜ ଅବସ୍ଥା ବିଷୟରେ ସଚେତନ ନୁହନ୍ତି ।
ମଧୁମେହ କାରଣରୁ ଲୋକଙ୍କୁ ପ୍ରତିଦିନ ଔଷଧ ଖାଇବାକୁ ପଡ଼ିଥାଏ । ତେବେ ବର୍ତ୍ତମାନ କୋଟି କୋଟି ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏବେ ସୁଦ୍ଧା ଚଢ଼ା ଦରରେ ମିଳୁଥିବା ଏମ୍ପାଗ୍ଲିଫ୍ଲୋଜିନ ଔଷଧ ଖୁବ୍ ଶୀଘ୍ର ଖୁବ୍ କମ୍ ମୂଲ୍ୟରେ ବିକ୍ରି ହେବ । ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଔଷଧର ମୂଲ୍ୟ ୬୦ ଟଙ୍କା ଥିଲା, ତାହା ମାତ୍ର ୯ ଟଙ୍କାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
ମାର୍ଚ୍ଚ ୧୧ରେ ଜର୍ମାନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବୋହିରିଙ୍ଗର୍ ଇଙ୍ଗେଲହାଇମର ପେଟେଣ୍ଟର ଅବଧି ସମାପ୍ତ ହୋଇଛି । ଏହା ସହିତ ଭାରତୀୟ କମ୍ପାନୀଗୁଡିକ ଏହାକୁ ନିଜ ବ୍ରାଣ୍ଡ ଅଧୀନରେ ବଜାରକୁ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଏଥିରେ ମ୍ୟାନକାଇଣ୍ଡ ଫାର୍ମା, ଟରେଣ୍ଟ, ଆଲକେମ, ଡକ୍ଟର ରେଡ୍ଡୀ ଏବଂ ଲ୍ୟୁପିନ ଭଳି ପ୍ରମୁଖ ଔଷଧ ଉତ୍ପାଦନକାରୀ କମ୍ପାନୀ ସାମିଲ ଅଛନ୍ତି ।
ଭାରତର ଚତୁର୍ଥ ବଡ଼ କମ୍ପାନୀ ମ୍ୟାନକାଇଣ୍ଡ ଫାର୍ମା ଏହି ଔଷଧକୁ ଦଶ ଭାଗରୁ ଭାଗେ ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଛି । ମ୍ୟାନକାଇଣ୍ଡ ଫାର୍ମାର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ଜୁନୈଜା କହିଛନ୍ତି, ୧୦ଏମଜିର ଟାବଲେଟ ବର୍ତ୍ତମାନ ୫.୪୯ ଓ ୨୫ଏମଜିର ଟାବଲେଟ ୯.୯୦ରେ ଉପଲବ୍ଧ ହେବ । ଏବେ ରୋଗୀଙ୍କ ପାଖରେ ପେଯରି ଔଷଧ ପହଞ୍ଚିବାରେ କୌଣସି ବାଧା ସୃଷ୍ଟିହେବ ନାହିଁ,ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ ।
ଏମ୍ପାଗ୍ଲିଫ୍ଲୋଜିନ ହେଉଛି ଏକ SGLT-2 (ସୋଡିୟମ୍-ଗ୍ଲୁକୋଜ୍ କୋ-ଟ୍ରାନ୍ସପୋର୍ଟର୍-୨) ଇନହିବିଟର ଯାହା ଟାଇପ୍-୨ ଡାଇବେଟିସ୍ କିମ୍ବା ଡାଇବେଟିସ୍ ମେଲିଟସ ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ରୋଗ ଯଥା ହୃଦରୋଗ ଏବଂ କିଡନୀ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଭାରତରେ ୧୦କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ପୀଡିତ ଏବଂ ଅଧିକାଂଶ ଲୋକ ନିଜେ ଔଷଧ ଖର୍ଚ୍ଚ ବହନ କରନ୍ତି। ଏଭଳି ପରିସ୍ଥିତିରେ ଔଷଧ ମୂଲ୍ୟରେ ଏହି ବଡ ହ୍ରାସ ରୋଗୀଙ୍କୁ ଆରାମ ଦେବ। ଏହି ଔଷଧ କିଡ଼ନୀରେ SGLT-2ପ୍ରୋଟିନକୁ ଅବରୋଧ କରେ, ଯାହା ଗ୍ଲୁକୋଜ (ଚିନି) କୁ ପୁନର୍ବାର ରକ୍ତ ପ୍ରବାହରେ ଅବଶୋଷିତ କରିଥାଏ । ଏହା କିଡନୀରୁ ପରିସ୍ରା ମାଧ୍ୟମରେ ଅଧିକ ଗ୍ଲୁକୋଜ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ରକ୍ତରେ ଶର୍କରା ସ୍ତର କମିଯାଏ ।
ଏମ୍ପାଗ୍ଲିଫ୍ଲୋଜିନ ଔଷଧର ଏକ ଅଂଶ ଯାହାକୁ SGLT2 ଇନହିବିଟର କୁହାଯାଏ, ଯେଉଁଥିରେ କାନାଗ୍ଲିଫୋଜିନ ଏବଂ ଡାପାଗଲିଫ୍ଲୋଜିନ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଔଷଧଗୁଡିକ ସାଧାରଣତଃ ଟାଇପ୍ ୨ ଡାଇବେଟିସ ରୋଗୀଙ୍କ ଡାଏଟ୍ ଏବଂ ବ୍ୟାୟାମ ସହିତ ପରିଚାଳନା ପାଇଁ ବ୍ୟବହୃତ ହୁଏ । ବର୍ତ୍ତମାନ ଏମ୍ପାଗ୍ଲେଡ୍, ଏମ୍ପାଗ୍ରେଟ୍ ଏବଂ ଡାଏନାଡୁ ବ୍ରାଣ୍ଡ ଅଧୀନରେ ଏମ୍ପାଗ୍ଲିଫ୍ଲୋଜିନ ଔଷଧକୁ ଲଞ୍ଚ କରିଛି ମ୍ୟାନକାଇଣ୍ଡ ଫାର୍ମା । ଟରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ବୋହିରିଙ୍ଗର ଇଙ୍ଗେଲହାଇମର ତିନୋଟି ବ୍ରାଣ୍ଡେଡ୍ ଏମ୍ପାଗ୍ଲିଫୋଜିନ ଔଷଧର ଅଧିଗ୍ରହଣ କରିସାରିଛି। ଏହା ସହିତ ମ୍ୟାନକାଇଣ୍ଡ ଫାର୍ମା ପକ୍ଷରୁ କୁହାଯାଇଛି, ଉଚ୍ଚମାନର କଞ୍ଚାମାଲ ବ୍ୟବହାର କରି ଏବଂ ନିଜସ୍ୱ API (Active Pharmaceutical Ingredient) ନିର୍ମାଣରେ ଖର୍ଚ୍ଚକୁ ଆହୁରି ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଆଲକେମ୍ ଇମ୍ପାନୋରାମ ବ୍ରାଣ୍ଡ ନାମରେ ଏହି ଔଷଧକୁ ଉଦ୍ଭାବକ ଦ୍ରବ୍ୟର ମୂଲ୍ୟଠାରୁ ପ୍ରାୟ ୮୦% କମ୍ ମୂଲ୍ୟରେ ଲଞ୍ଚ କରିଛି।
ସେହିପରି ଗ୍ଲେନମାର୍କ ଫାର୍ମାସିଟିକାଲ ଏଲଟିଡି ଗ୍ଲେମ୍ପା ବ୍ରାଣ୍ଡ ନାମରେ ଏମ୍ପାଗ୍ଲିଫ୍ଲୋଜିନର ଏକ ଜେନେରିକ ଔଷଧ ଆଣିଛି । ଏଗୁଡ଼ିକ ଫିକ୍ସଡ୍-ଡୋଜ୍ କମ୍ବିନେସନ ((FDCs) ଗ୍ଲେମ୍ପା-ଏଲ୍ (ଏମ୍ପାଗ୍ଲିଫ୍ଲୋଜିନ ୧୦/୨୫ ମିଗ୍ରା + ଲିନାଗଲିପଟିନ୍ ୫ ମିଗ୍ରା) ଏବଂ ଗ୍ଲେମ୍ପା-ମି (ଏମ୍ପାଗ୍ଲିଫ୍ଲୋଜିନ ୧୨.୫ ମିଗ୍ରା + ମେଟଫର୍ମିନ୍ ୫୦୦/୧୦୦୦ ମିଗ୍ରା) ସହିତ ଆସିଛି ।
ଏହି ଔଷଧଗୁଡିକ ବୟସ୍କମାନଙ୍କଠାରେ ଥିବା ଟାଇପ୍-୨ ଡାଇବେଟିସରେ ଗ୍ଲାଇସେମିକକୁ ନିୟନ୍ତ୍ରଣରେ ଆଣିବା ପାଇଁ ଡିଜାଇନ୍ ହୋଇଥିବାବେଳେ ହୃଦ୍ରୋଗର ଟାଇପ୍-୨ ମଧୁମେହ ରୋଗୀଙ୍କ ହୃଦ୍ରୋଗ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଗ୍ଲାଇସେମିକ୍ ନିୟନ୍ତ୍ରଣରେ ଉନ୍ନତି ଆଣିବା ସହ ହୃଦରୋଗ ଆଶଙ୍କାକୁ କମ କରିବା ପାଇଁ ଗ୍ଲେମ୍ପା (ଏମ୍ପାଗ୍ଲିଫ୍ଲୋଜିନ ୧୦ଏମଜି / ୨୫ଏମଜି ) ଏକ ସ୍ୱତନ୍ତ୍ର SGLT2 ଇନହିବିଟର ଭାବରେ କାର୍ଯ୍ୟ କରେ ।
ଅନ୍ୟପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଧୁମେହରୁ ବଞ୍ଚିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । କେହି କେହି ମଧୁମେହକୁ ‘ନୀରବ ଘାତକ’ ବୋଲି ଆଖ୍ୟା ଦେଇଥାଆନ୍ତି। ମଧୁମେହ ଆକ୍ରାନ୍ତଙ୍କ ଶରୀରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଥିବାରୁ ଏପରି କୁହାଯାଇଥାଏ । କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ଲାଗି ଏହା ଏକ ବୃହତ୍ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି । ଡାଇବେଟିସ ଏକ ଏମିତି ରୋଗ, ଯାହାକୁ ନିୟନ୍ତ୍ରଣ କରାଯାଇପାରିବ । ହେଲେ ସଂପୂର୍ଣ୍ଣ ଭାବରେ ଶେଷ କରାଯାଇପାରିବ ନାହିଁ । ସୁସ୍ଥକର ଖାଦ୍ୟ ଓ ଜୀବନଶୈଳୀ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
ଖାଦ୍ୟପେୟରେ ଧ୍ୟାନ ରଖିଲେ ବ୍ଲଡ ସୁଗାର ଲେବୁଲ କଣ୍ଟ୍ରୋଲ ହୋଇଥାଏ । ସେଥିପାଇଁ ନିଜ ଖାଦ୍ୟରେ ବିନା ସୁଗାରଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର । ଖାଇବାରେ ଫଳ ଓ ପନିପରିବା ମାତ୍ରା ବଢାନ୍ତୁ । ଦିନରେ ପ୍ରତି ୨ ରୁ ୩ ଘଣ୍ଟାରେ କିଛି ନା କିଛି ଖାଇବାର ଆବଶ୍ୟକତା ରହିଛି । ଧଳା ଚାଉଳ, ଆଳୁ ଓ ନୁଡଲୁସ ଖାଇବାରୁ ଦୂରେଇ ରୁହନ୍ତୁ । ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲ କରିବା ପାଇଁ ଓଜନ ନିୟନ୍ତ୍ରଣ କରିବା ବି ଦରକାର । ଫିଟ୍ ରହିବା ପାଇଁ ପ୍ରତିଦିନ ଏକ୍ସରସାଇଜ କରନ୍ତୁ ।ଏକ୍ସରସାଇଜ କରିବା ଦ୍ୱାରା ଶରୀରରେ ବନିଥିବା ଅତିରିକ୍ତ କ୍ୟାଲୋରୀ ହ୍ରାସ ପାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)