Advertisment

Trump New Tariff Plan: କାହାକୁ ଟାର୍ଗେଟ କରି ଟ୍ରମ୍ପ ଆଣିଛନ୍ତି ନୂଆ ଟାରିଫ ନୀତି ? ମିଳିଛି ତ ସିନେଟ ମଞ୍ଜୁରୀ ?

ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ଟ୍ରମ୍ପଙ୍କ ନୂଆ ଟାରିଫ୍

ଟ୍ରମ୍ପଙ୍କ ନୂଆ ଟାରିଫ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଲଢିବା ସମୟରେ ଟାରିଫ ପ୍ଲାନ ବିଶ୍ୱସ୍ତରରେ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କ୍ଷମତାକୁ ଆସିବା ପରେ ପ୍ରଥମେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଟ୍ରମ୍ପଙ୍କ ଘୋଷିତ ଟାରିଫ ପ୍ଲାନ ୨୦୨୫ ଏପ୍ରିଲ ୨ ତାରିଖରୁ କାର୍ଯ୍ୟକାରୀ ହୋଇଯାଇଛି । ଏହି ଟାରିଫ ପ୍ଲାନକୁ କୁହାଯାଉଛି ‘ରେସିପ୍ରୋକାଲ ଟାରିଫ’ ବା ‘ପାରସ୍ପରିକ ଶୁଳ୍କ’ । ଏହାର ଅର୍ଥ ହେଉଛି ଯେଉଁ ଦେଶ ଆମେରିକାରୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଯେତେ ଅଧିକ ଶୁଳ୍କ ଲଗାଇବେ ଆମେରିକା ସେହି ଦେଶର ସାମଗ୍ରୀ ଉପରେ ନିଜ ଦେଶରେ ସେତିକି ଶୁଳ୍କ ଲଗାଇବ । ଆମେରିକାର ଏହି ନୂତନ ଟାରିଫ ପ୍ଲାନ ସାରା ବିଶ୍ୱରେ ବାଣିଜ୍ୟିକ କାରବାର ଉପରେ ଗଭୀର ପ୍ରଭାବ ପକାଇବ ।

Advertisment

ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି । ଏହି ଟାରିଫ ବୃଦ୍ଧି ପଛରେ ଯାହାର ହାତ ଅଛି ସେ ହେଉଛନ୍ତି ପିଟର ନଭାରୋ । ପିଟର ନଭାରୋ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ । ଟ୍ରମ୍ପ ପୂର୍ବରୁ ରାଷ୍ଟ୍ରପତି ଥିବା ସମୟରେ ପିଟର ନଭାରୋ ବାଣିଜ୍ୟ ନୀତି ଗଠନର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ।

ଟ୍ରମ୍ପ ପ୍ରଶାସନର ବରିଷ୍ଠ ପରାମର୍ଶଦାତା

ପିଟର ନଭାରୋ ଟ୍ରମ୍ପଙ୍କ ୨ୟ ଟର୍ମରେ ବାଣିଜ୍ୟ ଏବଂ ଉତ୍ପାଦନ ବିଭାଗର ଜଣେ ବରିଷ୍ଠ ପରାମର୍ଶଦାତା ଭାବେ କାମ କରୁଛନ୍ତି । ଟ୍ରମ୍ପ ୨୦୨୪ ଡିସମ୍ବର ୪ ତାରିଖରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପରେ ଅର୍ଥାତ ୨୦୨୫ ଜାନୁଆରୀ ୨୦ ତାରିଖରେ ପିଟର ନଭାରୋ ଏହି ପଦ ସମ୍ଭାଳିଥିଲେ । ଟ୍ରମ୍ପଙ୍କର ଏହି ଆକ୍ରମଣାତ୍ମକ ଟାରିଫ ନୀତି ପଛରେ ନଭାରୋ ହେଉଛନ୍ତି ଇଣ୍ଟେଲେକଚୁଆଲ ଫୋର୍ସ   । ନଭାରୋଙ୍କ ବିଷୟରେ ଆହୁରି କୁହାଯାଏ ଯେ, ସେ ରାଷ୍ଟ୍ରପତିଙ୍କ ସଂରକ୍ଷଣବାଦୀ ବାଣିଜ୍ୟିକ କାରବାରର ମେନ ବ୍ରେନ ଅଟନ୍ତି । ଆମେରିକୀୟ ଉତ୍ପାଦନକୁ ବୃଦ୍ଧି କରିବା, ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ଏବଂ ଅନ୍ୟ ଦେଶଗୁଡ଼ିକ, ବିଶେଷକରି ଚୀନ୍ ଦ୍ୱାରା ଅନୁଚିତ ବାଣିଜ୍ୟ ଅଭ୍ୟାସର ମୁକାବିଲା କରିବା ପାଇଁ ସେ ଏପରି ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ଉପରେ ଚିନ୍ତା କରିଥିଲେ । 

Advertisment

ଅର୍ଥଶାସ୍ତ୍ରରେ କରିଥିଲେ ପିଏଚଡି

ନାଭରୋଙ୍କ ଜନ୍ମ ୧୯୪୯ ଜୁଲାଇ ୧୫ ତାରିଖରେ ମାସାଚୁସେଟ୍ସରେ ହୋଇଥିଲା । ସେ ହାୱାଡା ବିଶ୍ୱବିଦ୍ୟାଳ୍ରରେ ଅର୍ଥ ଶାସ୍ତ୍ରରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।   ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଇରବିନରେ ଅର୍ଥଶାସ୍ତ୍ର ଏବଂ ପବ୍ଲିକ ପଲିସର ପ୍ରଫେସର ଥିଲେ । ନିଜର ଏକାଡେମିକ କ୍ୟାରିଅର ସମୟରେ ନଭାରୋ ୨୦୦୬ରେ ‘ଦ କମିଙ୍ଗ ଚାଇନା ୱାର୍ସ’ ଏବଂ ୨୦୧୧ରେ ‘ଡେଥ ବାଇ ଚାଇନା’ ନାମକ ୨ଟି ପୁସ୍ତକ ଲେଖିଥିଲେ । ଏହି ପୁସ୍ତକରେ ସେ ଚୀନର ଆର୍ଥିକ ନୀତି ଉପରେ ଆଲୋଚନା କରିଥିଲେ  । ତାଙ୍କର ଏହି ଚିନ୍ତାଧାରା ଟ୍ରମ୍ପଙ୍କର ଆମେରିକା ଫାର୍ଷ୍ଟ ଚିନ୍ତାଧାରା ସହ ମେଳ ଖାଉଥିଲା । ତେଣୁ  ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବା ସମୟରେ ନଭାରୋଙ୍କୁ ବାଣିଜ୍ୟିକ ଉପଦେଷ୍ଟା ଭାବେ ରଖିଥିଲେ । ଏହା ପରେ ତାଙ୍କୁ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିଲା ।

ଚୀନ ସହ ଟ୍ରେଡ ୱାର ଆରମ୍ଭ କରିବାର ଶ୍ରେୟ

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ଅର୍ଥାତ ୨୦୧୭ରୁ ୨୦୨୧ ମଧ୍ୟରେ ଆମେରିକା-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ ୱାରର ଶ୍ରେୟ ନଭାରୋଙ୍କୁ ଦିଆଯାଏ । ସେ ଚୀନ ଉପରେ ସମାନ ଟାରିଫ ଲଗାଇବା ଉପରେ ଜୋର ଦେଇଥିଲେ । ନଭାରୋ ଗ୍ଲୋବାଲ ସପ୍ଲାଇ ଚେନକୁ ଆମେରିକାରେ ଫେରାଇ ଆଣିବା ସପକ୍ଷରେ ଥିଲେ । ଟ୍ରମ୍ପଙ୍କ ପ୍ରଥମ ଟର୍ମରେ ହ୍ୱାଇଟ ହାଉସ କାର୍ଯ୍ୟାଳୟରେ ସେ ବାଣିଜ୍ୟ ଏବଂ ଉତ୍ପାଦନ ନୀତି ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ଏହି ପଦ ବିଶେଷ ଭାବେ ତାଙ୍କ ପାଇଁ ସୃଷ୍ଟି ହୋଇଥିଲା । ନାଭରୋଙ୍କ ପ୍ରଭାବ ଟ୍ରମ୍ପଙ୍କ ୨ୟ ଟର୍ମରେ ମଧ୍ୟ ଜାରି ରହିଛି ।  ଟ୍ରମ୍ପ ନୂଆ ଟାରିଫ ନୀତି ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି । ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ, ଚୀନ ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଏବଂ ଆମେରିକା ସହ ବାଣିଜ୍ୟିକ  ଅଂଶୀଦାର ଥିବା ସମସ୍ତ ରାଷ୍ଟ୍ର ଉପରେ ରେସିପ୍ରୋକାଲ ଟାରିଫ ଲଗାଇବାର ଯୋଜନା ନଭାରୋ ହଁ ପ୍ରସ୍ତୁତ କରିଥିଲେ । ନଭାରୋଙ୍କ କହିବା ଅନୁଯାୟୀ, ଏହି ଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ନିହାତି ଜରୁରୀ ଅଟେ । ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଧିକ ରେଭିନ୍ୟୁ ଆସିବ ।

ନଭାରୋଙ୍କ ଟାର୍ଗେଟରେ ଚୀନ

ନଭାରୋଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଆମେରିକାର ସବୁଠାରୁ ବଡ ବ୍ୟାବସାୟିକ ପ୍ରତିଦ୍ୱନ୍ଦ୍ୱୀ ଚୀନକୁ ମୁକାବିଲା କରିବା ।  ବିଶ୍ୱସ୍ତରରେ ଭାରତ ଏକ ପ୍ରଭାବଶାଳୀ ଦେଶ ହୋଇଥିଲେ ହେଁ  ଚୀନ, କାନାଡା କିମ୍ବା ମେକ୍ସିକୋ ପରି ନଭାରୋଙ୍କ ତାରିଫ ପ୍ଲାନର ମୂଳ ଲକ୍ଷ୍ୟରେ ଭାରତ ନାହିଁ । ତଥାପି ନଭାରୋଙ୍କ ରେସିପ୍ରୋକାଲ ଟାରିଫ ପ୍ଲାନର ପ୍ରଭାବ ଭାରତ ଉପରେ ପଡିଛି । ଉଦାହରଣ ସ୍ୱରୂପ, ପୂର୍ବରୁ ଭାରତ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ବିଶେଷ କରି କୃଷି ଓ ନିର୍ମାଣ ବସ୍ତୁ ଉପରେ ଅଧିକ ଶୁଳ୍କ ଲଗାଉଥିବାବେଳେ ଆମେରିକା ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଯେଉଁ ଶୁଳ୍ପ ଲଗାଉଥିଲା ତାହା ଯଥେଷ୍ଟ କମ ଥିଲା । ହେଲେ ନୂଆ ଶୁଳ୍କ ଆଇନରେ ନଭାରେ ଏହି ଅସନ୍ତୁଳନକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଯଦିଓ ଏହା ଭାରତ-ଆମେରିକା ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ରହିଛି ତଥାପି ଏହାକୁ ଲାଗୁ କରାଯାଇଛି ।

ବଢୁଛି ଭାରତର ଚିନ୍ତା

ନଭାରୋଙ୍କର ଏହି ସଂରକ୍ଷଣବାଦୀ ନୀତି ଯୋଗୁ ଟ୍ରମ୍ପଙ୍କ ପ୍ରଥମ ଟର୍ମ କାର୍ଯ୍ୟକାଳ ସମୟରେ ଆମେରିକା-ଭାରତ ବ୍ୟାବସାୟିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିଲା । ୨୦୧୮ରେ ଆମେରିକା ଷ୍ଟିଲ ଏବଂ ଆଲୁମିନିୟମ ତାରିଫ ଲଗାଇଥିଲା  ଯେଉଁଥିରେ ଭାରତ ପ୍ରଭାବିତ ହୋଇଥିଲା । ଏହି କାରଣରୁ ନୂଆଦିଲ୍ଲୀ ପକ୍ଷରୁ ବାଦାମ ଏବଂ ମୋଟର ସାଇକେଲ ପରି ଆମେରିକୀୟ ସାମଗ୍ରୀ ଉପରେ ଜବାବୀ ଶୁଳ୍କ ଲାଗୁ କରାଯାଇଥିଲା । ଅବଶ୍ୟ ଏ ପର୍ଯ୍ୟନ୍ତ ନଭାରୋ ଭାରତକୁ ଟାର୍ଗେଟ କରିବା ପରି କୌଣସି ବୟାନ ଦେଇ ନାହାନ୍ତି ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।  ଯାହା ଜଣାଯାଇଛି, ନଭାରୋଙ୍କ ପ୍ରଥମ ଟାର୍ଗେଟ ହେଉଛି ଚୀନ । ତେବେ ଭାରତର ବାଣିଜ୍ୟିକ ନୀତି ଯଦି ଆମେରିକାର ନୀତି ସହ ମେଳ ନ ଖାଏ ହୁଏତ ନଭାରୋ ଭାରତକୁ ବି ଟାର୍ଗେଟ କରିପାରନ୍ତି ।  

ନୂଆ ଶୁଳ୍କନୀତିକୁ ନେଇ କାହିଁକି ଆମେରିକୀୟ ସିନେଟ ଚୁପ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖରେ ଏହି ନୂଆ ଶୁଳ୍କ ଯୋଜନା ଘୋଷଣା କରିଥିଲେ । ତୁରନ୍ତ ଏହି ଯୋଜନା ସାରା ଦୁନିଆରେ ଲାଗୁ ହୋଇଗଲା । ଏଥିରେ ସେ ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ ତାରିଫ ଲାଗୁ କରିଛନ୍ତି । ତେବେ ଏଠି ପ୍ରଶ୍ନ ଟ୍ରମ୍ପଙ୍କର ଏହି ନିର୍ଦ୍ଦେଶ ସିଧାସଳଖ ଲାଗୁ ହେଲା କିପରି ? ଟ୍ରମ୍ପଙ୍କର ଏହି ଯୋଜନାରେ ଆମେରିକା ସିନେଟର ସହମତି ଥିଲା କି ?  ଏଥିପାଇଁ ସିନେଟ ମଞ୍ଜୁରୀ ମିଳିଥିଲା କି ?

ପ୍ରକୃତ କଥା ହେଲା ନୂଆ ଶୁଳ୍କ ଯୋଜନା ଲାଗୁ କରିବା ପାଇଁ ଟ୍ରମ୍ପକୁ ଆମେରିକା ସିନେଟ ଅନୁମତିର ଆବଶ୍ୟକତା ପଡ଼ି ନ ଥିଲା । ଏହି ନିର୍ଦ୍ଦେଶକୁ ଲାଗୁ କରିବା ପାଇଁ ଟ୍ରମ୍ପ ତାଙ୍କର ଏକଜିକ୍ୟୁଟିଭ ପାୱାର ବ୍ୟବହାର କରିଥିଲେ । ଆମେରିକାର ନୀତି ଅନୁସାରେ ଟ୍ରେଡ ଆକ୍ଟ ୧୯୭୪ ଧାରା ୩୦୧ ଏବଂ ଇଣ୍ଟରନାଶନାଲ ଏମରଜେନ୍ସି ଇକୋନମିକ ପାୱାର୍ସ ଆକ୍ୱଟ (IEEPA)   ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରୀୟ ହିତ ଉଦ୍ଦେଶ୍ୟରେ ଶୁଳ୍କ ଲଗାଇବା ପାଇଁ ଶକ୍ତି ଦେଇଥାଏ । ଟ୍ରମ୍ପ ତାଙ୍କର ପ୍ରଥମ ବାରି କାର୍ଯ୍ୟକାଳରେ ଏହି ଏଗଜିକ୍ୟୁଟିଭ କ୍ଷମତା ପ୍ରୟୋଗ କରି ଷ୍ଟିଲ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ଲଗାଇଥିଲେ । ସେତେବେଳେ ବି ତାଙ୍କୁ ସିନେଟ ମଞ୍ଜୁରୀର ଆବଶ୍ୟକତା ପଡି ନ ଥିଲା ।

China Donald Trump United States Of America United States President Donald Trump
Advertisment
Advertisment