• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମାତ୍ର ୪ ଦିନ ତଳମୁହାଁ ହୋଇ ପୁଣି ତାଉ ଦେଖାଇଲାଣି ସୁନାର ଭାଉ । ଗଲା ତିନିଦିନରେ ୫ ହଜାରରୁ ଅଧିକ ବଢ଼ି ଆଜି ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ୨୨ କ୍ୟାରେଟ୍ ସୁନା ୮୭ ହଜାର ୪୫୦ ଟଙ୍କା ଓ ଖାଣ୍ଟି ସୁନା ୯୫ ହଜାର ଡେଇଁଯାଇଛି। ବଜାର ବିଶେଷଜ୍ଞଙ୍କ ମତ ସପ୍ତାହକ ଭିତରେ ଦର ଛୁଇଁପାରେ ଲକ୍ଷେ ଟଙ୍କା ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ଖାସ୍ ଏଇଥିପାଇଁ ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ । ଆଉ ଆଜି ତ ସବୁ ସୀମା ପାର୍ । ପୁଣି ନୂଆ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ସୁନା ଦର । ଦିନକରେ ୧୮ଶହରୁ ୨ ହଜାର ଟଙ୍କା ମହଙ୍ଗା ହୋଇଛି ଏ ହଳଦିଆ ଧାତୁ । ରାଜଧାନୀ ଭୁବନେଶ୍ବରରେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୯୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ଏମିତିକି ୨୨ କ୍ୟାରେଟ୍ ସୁନା ମୂଲ୍ୟ ମହଙ୍ଗା ହୋଇ ୮୭ ହଜାର ୪୫୦ ଟଙ୍କା ହୋଇଛି । ସୁନାର ଏମିତି ଉଚ୍ଚ ଦରରେ ଗହଣା କିଣିବା ସମ୍ଭବ ହେଉ ନ ଥିବାରୁ ମେକିଂ ଚାର୍ଜ ଆଦିରେ ରିହାତି ଦାବି କରିଛନ୍ତି ଗ୍ରାହକ ।

ଏପଟେ ଗହଣା ବ୍ୟବସାୟୀଙ୍କ କହିବା କଥା, ସୁନା ଦରରେ ଅସ୍ଥିରତା ଲାଗି ରହିଥିବାରୁ ସ୍ବଳ୍ପମିଆଦୀ ସୂତ୍ରରେ ବ୍ୟବସାୟ ପ୍ରଭାବିତ ହୋଇଛି। ଯେଉଁମାନେ ବିବାହ ପାଇଁ ୫୦ ଗ୍ରାମ କିଣିବାକୁ ମନସ୍ଥ କରିଥିଲେ, ଏବେ ଅତିବେଶିରେ ୩୫ ଗ୍ରାମ କିଣୁଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, କାହିଁକି ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି ? ଆଗକୁ କିଭଳି ରହିବ ଏ ସ୍ଥିତି ? ବଜାର ବିଶେଷଜ୍ଞଙ୍କ ମତରେ, ଆମେରିକା ଓ ଚୀନ୍ ଭିତରେ ଟାରିଫ୍ ଲଢ଼େଇରୁ ଷ୍ଟକ୍ ବଜାର ଅସ୍ଥିର ହୋଇଛି । ତେଣୁ ନିବେଶକମାନେ ଷ୍ଟକ୍ ବଜାର ପରିବର୍ତ୍ତେ ସୁନାରେ ପୁଞ୍ଜିନିବେଶକୁ ସୁରକ୍ଷିତ ମଣୁଛନ୍ତି । ସେହିପରି ଡଲାରକୁ ମାତ୍ ଦେବାକୁ ବହୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣୁଛନ୍ତି । ଏହି କାରଣରୁ ସୁନା ଦର ଉପରମୁହାଁ ହୋଇଚାଲିଛି । ଏମିତିକି ଯେଉଁ ହାରରେ ସୁନା ଦର ମହଙ୍ଗା ହୋଇଚାଲିଛି, ଆଗାମୀ ସପ୍ତାହକ ମଧ୍ୟରେ ଏହା ଲକ୍ଷେ ଟପିବା ଆଶଙ୍କାକୁ ଏଡ଼ାଯାଇ ନପାରେ ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ଏଇ ମାସ ୪ରୁ ୮ ତାରିଖ ଭିତରେ ସୁନାଦର ୩ ହଜାର ୩୫୦ ଟଙ୍କା ଖସିଥିଲା। ଏମିତିକି ଏକ ଆମେରିକୀୟ ଆର୍ଥିକ ସେବାପ୍ରଦାନକାରୀ ସଂସ୍ଥା ଆକଳନ କରିଥିଲା ସୁନା ଦର ଆଗାମୀ କିଛି ବର୍ଷ ଭିତରେ ୫୫ ହଜାର ଟଙ୍କାକୁ ଖସିଆସିବ। ଯାହାକୁ ନେଇ ଉତ୍ସାହିତ ଥିଲେ ଗ୍ରାହକ। ହେଲେ ଗଲା ତିନିଦିନର ଏ ଟ୍ରେଣ୍ଡ ଗ୍ରାହକଙ୍କ ହୋସ୍ ଉଡ଼ାଇଦେଲାଣି ।

ଅଧିକ ପଢ଼ନ୍ତୁ: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ, ମାତ୍ର ୧୬ ଟଙ୍କା ଆଦାୟ କରି ଦେଉଛନ୍ତି ୫୦ ଲକ୍ଷର ସହାୟତା

  • Reported by:
  • KAPILENDRA PRADHAN , Maudi Barik