• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବରେ ମାତିଛି ଅଯୋଧ୍ୟା ତ ଭକ୍ତିରେ ଡୁବିଛି ସାରା ଦେଶ । ସେଥିରୁ କେମିତି ବା ବାଦ୍ ପଡ଼ନ୍ତା ଓଡ଼ିଶା । ଗାଁରୁ ସହର ସବୁଠି ଶୁଭୁଛି ରାମନାମ । କାଲି ପାଇଁ କେଉଁଠି ଜଳିବ ବିଶାଳ ଅଖଣ୍ଡ ଦୀପ ତ କେଉଁଠି ଶିଳ୍ପୀ ଆଙ୍କିଛି ପ୍ରଭୁ ରାମଙ୍କୁ ସ୍ମରଣ କରି ଭକ୍ତି ଓ ଭାବର ଚିତ୍ର ।

ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ । ଆଜି ସହରରେ ହୋଇଛି ବିରାଟ ନଗର ପରିକ୍ରମା । ଶତାଧିକ ପୁରୁଷ ଓ ମହିଳା ଭକ୍ତ ରାମ ଭଜନ ଗାଇ ଗାଇ ସହରବାସୀଙ୍କୁ ରାମ ପ୍ରେମରେ ଭିଜାଇଛନ୍ତି । ସେମିତି କଟକ ନିଶ୍ଚିନ୍ତକୋଇଲିରେ ଭଗବାନ ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ସନ୍ଦେଶ ଦେଇ ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ହୋଇଛି ଏକ ବଡ଼ ବାଇକ୍ ରାଲି ।

LIVE Updates: ଜାଣନ୍ତୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଟିକିନିଖି ଖବର...

ଆଉ ଖଡ଼ିଆଳରେ କାଲିର ଉତ୍ସବ ପାଇଁ ନାରଙ୍ଗି ପତାକାରେ ସଜେଇ ହେଲାଣି ସହର । ଦୀପ ଜାଳି ପ୍ରଭୁଙ୍କୁ ସ୍ମରଣ କରିବାକୁ ବି ବୁଲୁଛି ପ୍ରଚାର ଗାଡ଼ି । ତା’ସହ ରାମ ପତ୍ତାକା, ହନୁମାନ ଝଣ୍ଡା ଓ ମୂରୁଜ କିଣିବାକୁ ବି ଲାଗିଛି ଭିଡ଼ । ତେଣେ ସଜେଇ ହେଲାଣି ରାଉରକେଲାର ହନୁମାନ ବାଟିକା । କାଲି ପୂଜା ପାଇବେ ୧୨ ଫୁଟ୍ ଉଚ୍ଚର ପ୍ରଭୁ ଶ୍ରୀରାମଙ୍କ କମନୀୟ ପ୍ରତିମୂର୍ତ୍ତି ।

ତାଙ୍କ ଆଗରେ ଜଳିବ ଏକ ବିଶାଳ ଅଖଣ୍ଡ ଦୀପ । ଯେଉଁଥିରେ ବ୍ୟବହାର ହେବ ସାଢ଼େ ୬ହାଜର ଲିଟର ଘିଅ, ଯାହା ମାସେ ଯାଏଁ ଅହନ୍ନିଶି ଜଳିବ । ସେହିପରି ଭଦ୍ରକ ବାସୁଦେବପୁରରେ ବି ୧୫ ଫୁଟର ଏକ ବିରାଟ ମାଟିଦୀପ ନିର୍ମାଣ ସରିଛି । ଯାହା ସ୍ଥାନୀୟ କାଳୀ ମନ୍ଦିର ପରିସରରେ ରଖାଯିବାକୁ ସ୍ଥିର ହୋଇଛି ।

ଏଠି ହାତରେ ରାମ ମନ୍ଦିରର ଅବିକଳ ପ୍ରତିକୃତି ଧରିଥିବା ଏ ଯୁବ ଶିଳ୍ପୀ ଜଣକ ହେଲେ ରଣପୁର ରାଇପଡା ଗାଁର ସୁନୀଲ ପଲେଇ । ଦିଆସିଲି କାଠି, ଧାନ ଓ ମୁଗରେ ୫ଦିନ ଲାଗି ତିଆରିଛନ୍ତି ୧୮ ସେଣ୍ଟିମିଟର ଲମ୍ବ ଓ ୧୨ ସେଣ୍ଟିମିଟର ପ୍ରସ୍ଥର ଏ ରିପ୍ଲିକା । ସୁନ୍ଦର ଏ କ୍ଷୁଦ୍ର ପ୍ରତିକୃତିକୁ ଅଯୋଧ୍ୟା ପଠାଇବାକୁ ବି ମନ କରିଛନ୍ତି ସୁନୀଲ । ସେମିତି ନିରୋଳା ଅରୁଆ ଚାଉଳରେ ପ୍ରଭୁ ଶ୍ରୀରାମଙ୍କ ନିଆରା ପ୍ରତିମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ବଲାଙ୍ଗିର ଗାନ୍ଧିନଗରପଡାର ସଚ୍ଚିଦାନନ୍ଦ ।

ଏକ ଲକ୍ଷରୁ ଅଧିକ ଅରୁଆ ଚାଉଳରେ ତିଆରିଥିବା ଏ କଳାକୃତିକୁ ସ୍ଥାନୀୟ ରାମ ମନ୍ଦିରକୁ ପ୍ରଦାନ କରିବାକୁ ସେ ମନ ବଳାଇଛନ୍ତି । ତେବେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଓଲଟା କାନଭାସ୍ ରେ ମାତ୍ର ୯ ମିନିଟ୍ ୩୦ ସେକେଣ୍ଡରେ ରାମଲାଲାଙ୍କ ଅବିକଳ ଚିତ୍ର ଆଙ୍କିଥିବା ପୁରୀର ଆୟୁଷ ମହାପାତ୍ରଙ୍କ ଏ ନିଆରା କୃତି ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଛି । ଚିତ୍ରରେ ହେଉ କି ଚିତ୍ତରେ, ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ଅବସରରେ ଯେମିତି ସବୁଠି ଉକୁଟିଛି ରାମ ମନସ୍କର ହେବାର ପ୍ରତିଛବି ।

  • Reported by:
  • Suryadoya Biswal