• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମମତା ଆଗରେ ଜୀବନ ତୁଚ୍ଛ । ଦାରିଦ୍ର୍ୟ ଆଗରେ ହାର୍‌ ମାନିନେଲା ମମତା । ପୁଅର ପାଠପଢ଼ା ଖର୍ଚ୍ଚ ବହନ କରିପାରିଲାନି ଜନ୍ମକଲା ମା’ । ଆଉ ସେଥିପାଇଁ ନିଜ ଜୀବନକୁ ମୃତ୍ୟୁ ଆଗକୁ ଠେଲିଦେଲା । ବସ୍‌ ଆଗକୁ ଡେଇଁ ଜୀବନ ଦେଇଦେଲା । ମା’ର ମରିବା ପଛର କରଣ ଜାଣିଲେ ଆପଣଙ୍କ ହୃଦୟ ବି ଥରି ଉଠିବ । ଆଉ କହିବେ ସତରେ ଏ କ’ଣ ଜଣେ ମା’ର କର୍ତ୍ତବ୍ୟ ?

ଜଣେ ଗରିବ ମା’ ତା’ ପୁଅର ପାଠପଢ଼ା ଖର୍ଚ୍ଚ ପାଇଁ ବସ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । କାରଣ ରହିଛି ମା’ର ମୃତ୍ୟୁ ହେବା ପରେ କ୍ଷତିପୂରଣ ବାବଦକୁ ଆସିବା ଟଙ୍କାରେ ପୁଅ ପାଠପଢ଼ିବ । କଲେଜ ଫି’ ଦେବା ସହ ପାଠପଢ଼ି ଭଲ ମଣିଷ ହେବ । ଏପରି ଏକ ହୃଦୟ ବିଦାରକ ଖବର ଆସିଛି ତାମିଲନାଡ଼ୁରୁ ।

ସୂଚନା ଅନୁସାରେ ସାଲେମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜଣେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ମୃତ ମହିଳା ଜଣକ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ । ହେଲେ ପରିବାରରେ ସବୁବେଳେ ଅର୍ଥିକ ଅଭାବ ଲାଗିରହୁଥିବାରୁ ସେ ସଠିକ୍‌ ସମୟରେ ତାଙ୍କ ପୁଅର ପାଠପଢ଼ା ଖର୍ଚ୍ଚ ବହନ କରିପାରୁନଥିଲେ ।

ତେଣୁ ସେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ସରକାର କ୍ଷତିପୂରଣ ଦେବେ ବୋଲି ଚିନ୍ତାକରି ଏପରି ଏକ ଅଭାବନୀୟ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଘଟଣାର ଭିଡିଓ ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ମହିଳା ଜଣକ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ହଠାତ୍‌ ବସ୍‌ ଆଗକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଫଳରେ ବସ୍‌ଟି ତାଙ୍କୁ ଜୋର୍‌ରେ ଧକ୍କା ଦେଉଛି ଏବଂ ପରେ ପରେ ତାଙ୍କ ଜୀବନ ଚାଲିଯାଉଛି।

ସଂପୃକ୍ତ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଗତ ୧୫ ବର୍ଷ ଧରି ପୁଅକୁ ଏକାକୀ ବଢ଼ାଇ ଆସୁଥିଲେ । ତା’ର ପଢ଼ା ଖର୍ଚ୍ଚ ସହ ସମସ୍ତ ଖର୍ଚ୍ଚ ନିଜେ ବହନ କରୁଥିବା ଜଣାପଡ଼ିଛି ।