• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲାଗିଥିଲା ଜଗା ଡୋରୀ... ହେଲେ ଅଧାରାସ୍ତାରୁ ବାନ୍ଧି ନେଲା ଯମ । କେହି କିଛି ବୁଝିବା ଆଗରୁ ଯେମିତି ଅଦିନିଆ ମେଘ ପରି ଆକାଶଟାରେ କଳା ମେଘ ଢାଙ୍କିଗଲା । ପ୍ରବଳ ପବନ ବହିଲା... ମୁଷଳଧାରାରେ ବର୍ଷା ହେଲା... ଆଉ ତା’ ପରେ ସବୁକିଛି ହୋଇଗଲା ଛାରଖାର ।

୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିପଡ଼ିଲା ବୋଲେରୋ । ଚାହୁଁ ଚାହୁଁ ଆଖି ବୁଜିଦେଲେ ୨ଜଣ । ୭ଜଣ ଗୁରୁତର ହେଲେ, ୧୦ଜଣ ଆହତ ବି ହେଲେ । ସେଇଠୁ ଆଉ କାଳିଆ ଦର୍ଶନ ପାଇଁ ଶ୍ରୀମନ୍ଦିର ନୁହେଁ, ସିଧା ପହଞ୍ଚିଲେ ମେଡିକାଲରେ ।

ଏପରି ଏକ ଦୁଃଖଦ ଖବର ଆସିଛି ସମ୍ବଲପୁରରୁ । ଯୁଜୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିର୍ମାଣଧିନ ବ୍ରିଜ୍‌ ଉପରୁ ବୋଲେରୋ ଖସି ଲିଭିଯାଇଛି ଦୁଇ ଜଣଙ୍କ ଜୀବନ ଦୀପ ।

ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତ ୧୯ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିବା ପରେ ଅନ୍ୟ ୭ ଜଣ ଗୁରୁତର ଥିବା ସୂଚନା ଦେଇଥିଲେ । ପରେ ପରେ ସମସ୍ତ ଗୁରୁତର ଆହତ ଯାତ୍ରୀମାନେ ଛତିଶଗଡ଼ର ହୋଇଥିବା ସୂଚନା ମିଳିଥିଲା ।

ଏନେଇ ଆହତ ଓ ଗୁରୁତରଙ୍କ ସମ୍ପର୍କୀୟମାନେ ଖବର ପାଇବା ପରେ ବୁର୍ଲା ମେଡିକାଲରେ ପହଞ୍ଚିଥିଲେ । ସେଠାରୁ ସମସ୍ତଙ୍କୁ ନେଇ ନିଜ ରାଜ୍ୟ ଛତିଶଗଡ଼ ମେଡିକାଲରେ ଚିକିତ୍ସା କରାଉଥିବା ଜଣାପଡ଼ିଛି । ସେପଟେ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି ।

ପୋଲିସ କହିଛି ଯେ, ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ପବନ ହୋଇଥିଲା । ଡ୍ରାଇଭର ସେହି ରାସ୍ତାରେ ନୂଆ ଗାଡ଼ି ଚଳାଉଥିବାରୁ ନୂଆ ଓଭର ବ୍ରିଜ୍‌ ସମ୍ପର୍କରେ ଜଣିନଥିଲେ । ତେଣୁ ଏହି ଦୁର୍ଘଟଣା ଘଟିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now