/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698681956.jpg)
Train Tragedy
ରେଡ୍ ସିଗ୍ନାଲ ଦେଖିପାରିଲେନି ଲୋକୋ ପାଇଲଟ୍ । ପଲାସା ପାସେଞ୍ଜରକୁ ଧକ୍କା ଦେଲା ରାୟଗଡ଼ା ପାସେଞ୍ଜର । ଟ୍ରାକରୁ ବେଟ୍ରାକ ହେଲା ପଲାସା ପାସେଞ୍ଜରର ଦୁଇ ଦୁଇଟି ବଗି। ଗତକାଲି ସନ୍ଧ୍ୟାରେ ଘଟିଯାଇଥିବା ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ପଛରେ ଏମିତି କିଛି କାରଣ ରହିଥିବା ନିଜ ସଫେଇରେ କହିଛି ପୂର୍ବତଟ ରେଳପଥ। ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି,ମନୁଷ୍ୟକୃତ ତ୍ରୁଟିରୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
ସିଗ୍ନାଲ ଓଭରସୁଟିଂ ଯୋଗୁ ଘଟିଯାଇଛି ଏତେବଡ଼ ବିପଦ। ଏସବୁ ଭିତରେ କମିଶନର ଅଫ୍ ରେଲୱେ ସେଫ୍ଟି ଆଜି ଦୁର୍ଘଟଣାସ୍ଥଳ ବୁଲି ଦୁର୍ଘଟଣା ପଛର କାରଣ ଖୋଜିଛନ୍ତି। ତଦନ୍ତ ପାଇଁ ଆବଶ୍ୟକ ସମସ୍ତ ରେକର୍ଡ ସିଜ୍ କରିଥିବା ସୂଚନା ଦେଇଛନ୍ତି ୱାଲଟିୟର ରେଳ ଡିଭିଜନର ଡିଆରଏମ୍ ।
ସମସ୍ତଙ୍କ ମନରେ ପ୍ରଶ୍ନ, କ’ଣ ଏ ସିଗ୍ନାଲ ଓଭରସୁଟିଂ ? କେଉଁଠି ରହିଲା ତ୍ରୁଟି? ରେଳ ବିଶେଷଜ୍ଞଙ୍କ ମତରେ, ଦୁର୍ଘଟଣା ଘଟିଥିବା ଟ୍ରେନ ଟ୍ରାକ୍ ଅଟୋମେଟେଡ୍ ସିଗ୍ନାଲ ଦ୍ବାରା ପରିଚାଳିତ। ଏଣୁ ଯଦି ଗୋଟିଏ ଟ୍ରେନ୍କୁ ଗ୍ରୀନ୍ ସିଗ୍ନାଲ ମିଳିଥାଏ, ପଛରେ ଆସୁଥିବା ଟ୍ରେନକୁ ଦେଢ଼ କିଲୋମିଟର ପୂର୍ବରୁ ରେଡ୍ ସିଗ୍ନାଲ ଦେଖାଇଥାଏ। ଯେହେତୁ ରେଲୱେ ସିଗ୍ନାଲିଂ ବ୍ୟବସ୍ଥା ଫେଲ୍ ସେଫ୍ ବ୍ୟବସ୍ଥାରେ ପରିଚାଳିତ, ଯଦି ସିଗ୍ନାଲ ଫେଲ ହୋଇଥାନ୍ତା, ଅନ୍ୟ ସିଗ୍ନାଲ ବି ରେଡ୍ ହୋଇଥାନ୍ତା ଓ ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା । କିନ୍ତୁ ଆନ୍ଧ୍ର ଟ୍ରେନ ଟ୍ରାଜେଡିରେ ସିଗ୍ନାଲ ଠିକ୍ ରହିଥିବା ଜଣାପଡ଼ିଛି।
ତେଣୁ ଲୋକୋ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରେଡ୍ ସିଗ୍ନାଲକୁ ଠିକ୍ ଭାବେ ଦେଖିପାରିନାହାନ୍ତି ବା ଅନ୍ୟ କିଛି ଅସୁବିଧା ହୋଇଛି। ଅଥବା ଅଧିକ ବେଗରେ ଟ୍ରେନ ଥିବାରୁ ସେମାନେ ବିପଦ ଜାଣି ବି ଟ୍ରେନକୁ ଅଟକାଇପାରି ନାହାନ୍ତି। ଫଳରେ ଏଭଳି ଏକ ଦୁର୍ଘଟଣା ଘଟିଛି ।
ସିଗ୍ନାଲିଂ ଟାମ୍ପରିଂରୁ ବାହାନଗା ଟ୍ରେନ ଟ୍ରାଜେଡି ଘଟିଥିବା CRS ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏ କ୍ଷେତ୍ରରେ ସିଗ୍ନାଲ ଓଭରସୁଟିଂ ସନ୍ଦେହ କରାଯାଉଥିଲେ ବି CRSଙ୍କ ରିପୋର୍ଟ ସ୍ପଷ୍ଟ କରିବ ଆନ୍ଧ୍ର ଟ୍ରେନ ଟ୍ରାଜେଡି ପଛର ପ୍ରକୃତ କାରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)