• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି ଏବେ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ରେଳ ଦୁର୍ଘଟଣା ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ଏମିତିକି ଆମେରିକା ସରକାର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆମେରିକା ସରକାରଙ୍କ SCA ଡିପାର୍ଟମେଣ୍ଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । SCA ଅର୍ଥାତ୍ ସାଉଥ୍ ଆଣ୍ଡ ସେଣ୍ଟ୍ରାଲ ଏସିଆନ ଆଫେୟାର୍ସ । 

ତେବେ ଏହି ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ଶହ ଶହ ଶବ ଗଦା ହୋଇଛି । ଅନ୍ୟପଟେ ପ୍ରାୟ ୧୦୦୦ରୁ ଅଧିକ ଲୋକ ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।

ତେବେ ବଡ଼ କଥା ହେଲା, ଗୁରୁତରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସ୍ଥାନୀୟ ଲୋକ ସ୍ୱତଃପୁତ ଭାବେ ମେଡିକାଲରେ ପହଞ୍ଚିଛନ୍ତି । ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରୁ ହଜାର ହଜାର ଯୁବକ ମେଡିକାଲ ଗୁଡ଼ିକରେ ପହଞ୍ଚି ରକ୍ତଦାନ କରିବାକୁ ବି ପ୍ରସ୍ତୁତ ଅଛନ୍ତି । ଏମିତିକି କିଛି ଯୁବକ ଗୁରୁତରଙ୍କୁ ଷ୍ଟ୍ରେଚରରେ ବୋହିବାରେ ମଧ୍ୟ ସହଯୋଗ୍ କରୁଛନ୍ତି । କେଉଁ ରୋଗୀର କ’ଣ ଆବଶ୍ୟକ ତାହା ବୁଝିବା ସହ ତୁରନ୍ତ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି । 

ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ମୃତଦେହ ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । କିଏ ପୁରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ରଡ଼ି ଛାଡ଼ୁଛି । ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

ବାଲେଶ୍ୱର ବାହାନଗାରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟି ପଡ଼ିଥିବା ସୂଚନା ।

ଏହି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍ । କହିଲେ ଶହ ଶହ ଲୋକ ମରି ପଡ଼ିଛନ୍ତି । ଘଟଣା ସ୍ଥଳରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିଥିବା କହିଲେ । ଏହାସହ ଏବେ ବି ଲୋକେ ଭଙ୍ଗା ବଗି ତଳେ ଚାପି ହୋଇ ରହିଛନ୍ତି । ଏମିତିକି ତାଙ୍କ ସାମ୍ନାରେ ଉଦ୍ଧାର ବେଳେ ଜଣେ ଲୋକ ପ୍ରାଣ ହରାଇଥିବା କହିଲେ ମନ୍ତ୍ରୀ । ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ତେବେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୦ରୁ ଅଧିକ ମୃତ କହିଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ‘ଏଯାବତ ଯେତିକି ମୃତଦେହ ଉଦ୍ଧାର ତାହା ୧୨୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା ରହିଛି । ଯେତିକି ଲୋକ ବଗିରେ ଥିଲେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତଳେ କେହି ରହି ଯାଇଥିଲେ ବଗି ଉଠାଗଲେ ଜଣାପଡ଼ିବ । କ୍ରେନ ଯୋଗେ ବଗି ଉଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଅତ୍ୟନ୍ତ ହୃଦୟ ବିଦାରକ, ମୋ ଜୀବନରେ କେବେ ଦେଖିନି ।’ କହିଲେ ସୁଧାଂଶୁ ଷଢ଼ଙ୍ଗୀ ।’

ସେପଟେ ପ୍ରାୟ ୮୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏବେ ବି ଉଦ୍ଧାର ହେଉଛି ମୃତଦେହ । ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଉଛି ଆମ୍ବୁଲାନ୍ସ । ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ।