• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ । ବିଭାଗୀୟ ନିଷ୍କ୍ରିୟତା ଯୋଗୁ କେଉଁଠି ଅଦିନିଆ ଡ୍ରାଇଭର୍ ତ କେଉଁଠି ମଦ୍ୟପ ହେଲପରର ଗାଡ଼ି ଚାଳନା ନୀରିହ ଯାତ୍ରୀଙ୍କ ଜୀବନ ନେଉଛି ।

ମୁଣ୍ଡ ନେଉଛି ବିପଦଜନକ ପରିବହନ ବ୍ୟବସ୍ଥା...ନିଇତି ଘଟୁଛି ଦୁର୍ଘଟଣା...ପ୍ରତି ଦୁର୍ଘଟଣାରେ ଯାଉଛି ନିରୀହ ମଣିଷଙ୍କ ଜୀବନ । ଏଇ ମା’ କୋଳକୁ କିଏ ଫେରାଇ ଆଣିଦେବ ତା’ ଛୁଆକୁ...ନା ସେହି ଛୁଆ ମୁହଁରୁ ଶୁଣିବାକୁ ମିଳିବ ମା’ର ସେହି ମଧୁର ଡାକ । ଭୟଙ୍କର ଦୁର୍ଘଟଣାର ରୂପରେ ଆସି ଛଡ଼ାଇ ନେଇଥିବା ଯମ ହାତରୁ ଆଉ କିଏ ଭିଡ଼ି ଆଣିପାରିବ ଏହି ତିନି ତିନି ଜଣଙ୍କ ଛାତ୍ରୀଙ୍କୁ ।

ଦଶପଲ୍ଲାର ଅମ୍ରିତା ସାହୁ, ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ଲୋପାମୁଦ୍ରା ପ୍ରଧାନ ଆଜି ସବୁଦିନ ପାଇଁ ଚାଲି ଯାଇଛନ୍ତି ଆରପାରିକୁ । କେତେ ଖୁସିରେ ଘରୋଇ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ବସରେ ବଲାଙ୍ଗିର ହରିଶଙ୍କରକୁ ଯାଉଥିଲେ ପିକନିକ୍ କରିବାକୁ । କିନ୍ତୁ ବାଣିଗୋଛା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ବସ୍ ସହ ଦୁର୍ଘଟଣା ଘଟାଇଥିଲା ଟ୍ରକ୍ ।

ଯେଉଁଥିରେ ୩ ଛାତ୍ରୀଙ୍କ ଜୀବନ ଯାଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । କୁହାଯାଉଛି, ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଡ୍ରାଇଭର୍ ନୁହେଁ, ବରଂ HELPER ଚଲାଉଥିଲା । ତା’ ପୁଣି ମଦ ପିଇ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଡ୍ରାଇଭର୍ ବଦଳରେ HELPER କାହିଁକି ଚଲାଉଥିଲେ ଟ୍ରକ ?

ଡ୍ରାଇଭିଂ ତାଙ୍କୁ ଜଣାଥିଲା ନା ନଥିଲା ? ମଦ ପିଇ ଟ୍ରକ୍ ଚଲାଇବାକୁ କିଏ ଦେଲା ଅନୁମତି ? ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନ୍ତି STA ଯୁଗ୍ମ କମିଶନର । ମୟୁରଭଞ୍ଜ ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଗତ ୨ଦିନ ତଳର ଦୁର୍ଘଟଣାକୁ ଥରେ ମନେପକାନ୍ତୁ ।

ଧଉଳି ଗଣନାଟ୍ୟର ଟ୍ରକ୍ ଓଲଟି କେମିତି ସଂପୃକ୍ତ ଯାତ୍ରାପାର୍ଟିର ଛଅ ଛଅ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା ଘଟଣାସ୍ଥଳରେ । ଏଠି ବି ସେହି ବିପଦ୍ଜନକ ଓ ଦାୟିତ୍ୱହୀନ ପରିବହନ ବ୍ୟବସ୍ଥା । ସବୁଦିନିଆ ଡ୍ରାଇଭର ବଦଳରେ ଅଦିନିଆ ଡ୍ରାଇଭର ଚଲାଉଥିଲା ଏହି ଟ୍ରକକୁ । ଆଉ ଦୁର୍ଘଟଣା ପରେ ଚମ୍ପଟ ମାରିଲା । ଆଶ୍ଚର୍ଯ୍ୟର କଥା, ଏଯାଏଁ ସଂପୃକ୍ତ ବ୍ୟକ୍ତିକୁ ମୟୁରଭଞ୍ଜ ପୋଲିସ ଧରି ପାରିନଥିବା ବେଳେ କେବଳ ଯାତ୍ରାପାର୍ଟି ମାଲିକଙ୍କୁ ନୋଟିସ୍ କରି ହାତ ଟେକିଦେଇଛି ।

ପିକନିକ ଋତୁ ସହ ମାତ୍ରାଧିକ ଦୁର୍ଘଟଣାକୁ ଦେଖି ବର୍ଷ ଆରମ୍ଭରୁ SOP ଜାରି କରିଥିଲା ରାଜ୍ୟ ପରିବହନ ବିଭାଗ । ପିକନିକ୍ ଗାଡ଼ିର ଫିଟନେସ୍, ପିକନିକ୍ ପାଇଁ ସ୍ୱତନ୍ତ୍ର ଅନୁମତି, ଦହନଶୀଳ ସାମଗ୍ରୀ ପରିବହନ, ଓଭରଲୋଡିଂକୁ ନେଇ SOP ଜାରି କରିଥିଲା । ମଦ୍ୟପ ଡ୍ରାଇଭରଙ୍କୁ ଗିରଫ ସହ ଲାଇସେନ୍ସ ରଦ୍ଦ ପାଇଁ ନିର୍ଦ୍ଦେଶନାମା ବି ଜାରି ହୋଇଥିଲା ।

ଏପରିକି ଗାଡ଼ି ମାଲିକଙ୍କୁ ଅନ୍ୟ ଡ୍ରାଇଭର ପଠାଇବାର ଦାୟିତ୍ୱ ନେବାକୁ ପଡ଼ିବ ବୋଲି ବି କୁହାଯାଇଥିଲା । କିନ୍ତୁ ଅଭିଯୋଗ, ଗ୍ରାଉଣ୍ଡ ଜିରୋରେ ଆକ୍ସନ ନନେଇ ପରିବହନ ବିଭାଗ କାଗଜପତ୍ରରେ SOP ଜାରି କରୁଛି ।