• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରାଖଣ୍ଡର ରୁରକି ନିକଟରେ କାର ଦୁର୍ଘଟଣାରେ ଗୁରୁତର କ୍ରିକେଟର ରିଷଭ ପନ୍ତଙ୍କ ଅବସ୍ଥା ସ୍ଥିର ରହିଛି । ବିସିସିଆଇ ପକ୍ଷରୁ ଜାରି ବିବୃତି ଅନୁସାରେ, ରିଷଭଙ୍କ କପାଳରେ ଦୁଇଟି କ୍ଷତ ହେବା ସହ ଡାହାଣ ଆଣ୍ଠୁର ଲିଗାମେଣ୍ଟରେ ଆଘାତ ଲାଗିଛି । ଏଥିସହ ତାଙ୍କ କହୁଣୀ, ଗୋଇଠି ଓ ପିଠିରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କର ଡେରାଡୁନସ୍ଥିତ ମାକ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ରିଷଭଙ୍କ ଚିକିତ୍ସା ପାଇଁ ପ୍ଲାଷ୍ଟିକ ସର୍ଜରୀ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ୨୫ ବର୍ଷୀୟ ରିଷଭ ଆଜି ଭୋରରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ତାଙ୍କ କାରଟି ରୁରକି ନିକଟରେ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ପରେ ଗାଡିଟି ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ରିଷଭ କାରର କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ନେଇ ପ୍ରଥମେ ରୁରକି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିରେ ଋଷଭ ଏକୁଟିଆ ଥିଲେ ଓ ଗାଡ଼ି ନିଜେ ଚଳାଉଥିଲେ । ଗାଡି ଚଳାଉଥିବା ବେଳେ ଆଖି ଲାଗି ଯିବାରୁ ରିଷଭଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

accident(ଦୁର୍ଘଟଣାସ୍ଥଳ)

ପୋଲିସ୍ ସୂଚନା ଅନୁସାରେ, ଋଷଭ ନିଜ ମାଙ୍କୁ ସରପ୍ରାଇଜ୍ ଦେବାକୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଆସୁଥିଲେ । ସେଥିପାଇଁ ବିଳମ୍ବିତ ରାତିରେ ଦିଲ୍ଲୀରୁ ରୁରକି କାରରେ ଏକୁଟିଆ ବାହାରି ପଡ଼ିଥିଲେ । ହେଲେ ହଠାତ୍ ଆଖି ଲାଗିଯିବାରୁ ତାଙ୍କର ଏହି ଦୁର୍ଘଟଣା ଘଟିଥିଲା ​​। ତାଙ୍କ ସହ କାରରେ ଆଉ କେହି ଉପସ୍ଥିତ ନଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ଜଳିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

ଓ୍ୱିକେଟ କିପର୍ ବ୍ୟାଟସମ୍ୟାନ୍ ରିଷଭ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମ୍ୟାଚ ବିଜୟୀ ୯୩ ରନର ଇନିଂସ ଖେଳିଥିଲେ । ତେବେ ତାଙ୍କୁ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇନାହିଁ । ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଫିଟନେସ୍ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀକୁ ଯିବାର ଥିଲା ।

accident(ଦୁର୍ଘଟଣା ପରେ ଜଳି ଯାଇଥିବା ଗାଡ଼ିର ଫଟୋ)

ଉତ୍ତରାଖଣ୍ଡର ହରିଦ୍ୱାରରେ ଜନ୍ମିତ ରିଷଭ ପନ୍ଥ କ୍ରିକେଟକୁ କ୍ୟାରିୟର କରିବା ଲାଗି ଦିଲ୍ଲୀ ଚାଲିଆସିଥିଲେ । ଆଗ୍ରେସିଭ୍ ବ୍ୟାଟସମ୍ୟାନ୍ ଭାବେ ପରିଚିତ ରିଷଭ ଜୁନିୟରସ୍ତରରେ ଭଲ ପ୍ରଦର୍ଶନ ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏ ପର୍ଯ୍ୟନ୍ତ ସେ ଭାରତ ପକ୍ଷରୁ ୩୩ଟି ଟେଷ୍ଟ, ୩୦ ଦିନିକିଆ ଏବଂ ୬୬ଟି ଟିଟ୍ୱେଣ୍ଟି ମ୍ୟାଚ ଖେଳି ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି ।