• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବାକିଥିଲା ଆଉ ମାତ୍ର ଅଢ଼େଇ ଘଣ୍ଟାର ରାସ୍ତା । ପ୍ରାୟ ୧୨୦ କିଲୋମିଟର ଅତିକ୍ରମ ପରେ ହୁଏତ ବରଗଡ଼ ଘରେ ପହଞ୍ଚିଯାଇଥାନ୍ତେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କିନ୍ତୁ, ଦୁର୍ଯୋଗ ଛକି ରହିଥିଲା ରାଜପଥ ଉପରେ । ସାମ୍ନାପଟୁ ଆସୁଥିବା ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଗଲା ପ୍ରସନ୍ନଙ୍କ କାର୍ । ସୌଭାଗ୍ୟକୁ ବଡ଼ ଅଘଟଣରୁ ସେ ବର୍ତ୍ତିଯାଇଥିଲେ ବି ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି ତାଙ୍କୁ । ତେବେ କେମିତି ଓ କାହିଁକି ଘଟିଲା ଦୁର୍ଘଟଣା ? ଜାଣନ୍ତୁ...

ଭାଙ୍ଗିରୁଜି ଯାଇଛି ପୂରା କାର, ଗ୍ୟାସ ଟ୍ୟାଙ୍କର ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଖାଇ ଉଡ଼ିଯାଇଛି କାର୍‌ ବନେଟ, କ୍ଷତିଗ୍ରସ୍ତ ହୋଇଛି ଇଞ୍ଜିନ, ଫାଟିଛି ସାମ୍ନାରେ ଥିବା ୨ଟି ବେଲୁନ୍। ଟ୍ୟାଙ୍କରର ସାମ୍ନାପଟ ବି ନଷ୍ଟ ହୋଇଛି । ଭୁବନେଶ୍ବରରୁ ବରଗଡ଼ ସ୍ଥିତ ଘରକୁ ଫେରିବାବେଳେ ବିଳମ୍ବିତ ରାତିରେ ରେଢ଼ାଖୋଲ ବେଲଡିହିରେ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା ତାଙ୍କ ଇନୋଭା । ମୁଣ୍ଡରେ ଗଭୀର ଆଘାତ ଲାଗିଛି ପ୍ରସନ୍ନ ଆଚାର୍ଯ୍ୟଙ୍କର । ଲାଗିଛି ୨୫ରୁ ୩୦ଟି ଷ୍ଟିଚ୍। ସେପଟେ PSOଙ୍କ ଅଣ୍ଟାରେ ମାଡ଼ ହୋଇଥିବାବେଳେ ଡ୍ରାଇଭର ବି ସାମାନ୍ୟ ଆହତ ହୋଇଛନ୍ତି। 

 ଭୁବନେଶ୍ବରରୁ ସଂଧ୍ୟାରେ ଇନୋଭାରେ ବରଗଡ଼ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ସାମ୍ନାରେ ଡ୍ରାଇଭର୍ ଅବଦୁଲ କରିମଙ୍କ ସହ ବସିଥିଲେ ପ୍ରସନ୍ନଙ୍କ PSO ରାଘବ ପ୍ରଧାନ। ବରଗଡ଼ ପଟୁ ଆସୁଥିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଆଉ ବରଗଡ଼ ଅଭିମୁଖେ ଯାଉଥିଲା ପ୍ରସନ୍ନଙ୍କ ଇନୋଭା କାର। ସମୟ ରାତି ପ୍ରାୟ ୧୨ଟା ୨୦ ମିନିଟ୍ । ହଠାତ୍ କ’ଣ ହେଲା କେଜାଣି ୫୫ ନମ୍ବର NHର ରେଢ଼ାଖୋଲ ବେଲଡିହି ନିକଟରେ ଏଭଳି ମୁହାଁମୁହିଁ ପିଟି ହୋଇଗଲା ଟ୍ୟାଙ୍କର ଆଉ ଇନୋଭା । ଫଳରେ ମଝି ସିଟରେ ବସିଥିବା ପ୍ରସନ୍ନ କାର୍ ଭିତରେ ହିଁ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅପରାହ୍ନରେ ଭୁବନେଶ୍ବରକୁ ଏୟାରଲିଫଟ କରି ଆଣିବା ସହ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

 ତେବେ କାହା ଭୁଲ୍ ପାଇଁ ଘଟିଗଲା ଏତେବଡ଼ ଦୁର୍ଘଟଣା ? ଇନୋଭା ଡ୍ରାଇଭର ନା ଟ୍ୟାଙ୍କର ଡ୍ରାଇଭରଙ୍କ ଥିଲା ତ୍ରୁଟି ? ତାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ସମ୍ବଲପୁର-କଟକ ୫୫ ନମ୍ବର NHର ସଂପ୍ରସାରଣ କାର୍ଯ୍ୟକୁ ବି ଦାୟୀ କରିଛନ୍ତି ଲୋକେ । କାରଣ ଗତ ୮ ବର୍ଷ ହେଲା କାମ ସରିବାର ନାଁ ଧରୁନି। ଇତିମଧ୍ୟରେ ଦୁଇ ଦୁଇଟି ଠିକା ସଂସ୍ଥା ବଦଳିଗଲେଣି । କିନ୍ତୁ କାମ ସରୁନଥିବାରୁ ବେଲଡିହି ଅଞ୍ଚଳରେ ଗୋଟିଏ ପଟେ ହିଁ ଯାନବାହନକୁ ଛାଡୁଛି ଠିକାସଂସ୍ଥା । ଅଥଚ କୌଣସି ସତର୍କ ସୂଚନା ନଥିଲା ଏଠାରେ । ପୂର୍ବରୁ ଗାଡ଼ି ଧକ୍କାରେ ଏହି ସ୍ଥାନରେ ଜଣେ ଛୁଆର ବି ଜୀବନ ଯାଇଥିବା ଅଭିଯୋଗ ହୋଇଛି । 

ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ, ସମ୍ବଲପୁରରୁ ସଞ୍ଜୟ କୁମାର ଜେନା ଏବଂ ଭୁବନେଶ୍ବରରୁ ଅତୁଲ୍ୟ ବାଉତ ଓ  ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି।