/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686066267.jpg)
Train Tragedy
ଗୋଟେ ବାପାର ଆଖିରୁ ଲୁହ ସୁଖୁନି । ପୁଅକୁ ଖୋଜି ଖୋଜି ଜମା ପାଉନି । ପୁଅ ବଞ୍ଚିଛି କି ମରିଛି କିଛି ଜଣା ନାହିଁ । ଆଉ ଗୋଟେ ବାପା ଗଣ୍ଡାଗଣ୍ଡା ଗଳିତ ଶବର ଫଟୋ ଭିତରୁ ନିଜ ଭେଣ୍ଡା ପୁଅର ଚେହେରା ମିଶାଉଛି । କିଏ ତାଙ୍କ ପୁଅ ସେ ଭଲରେ ଚିହ୍ନି ପାରୁନାହାନ୍ତି । ଏବେ ବି ସନ୍ଦେହରେ ।
ଜଣେ କି ଦୁଇ ଜଣ ନୁହେଁ, ବାଲେଶ୍ୱରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱରର ଏକାଧିକ ହସ୍ପିଟାଲ୍, ସବୁଠି ଏବେ ଆତ୍ମୀୟ ସ୍ୱଜନ ନିଜ ହଜିଲା ମଣିଷଙ୍କୁ ଖୋଜିବାରେ ଲାଗିଛନ୍ତି । କିଏ ବାପାକୁ ଖୋଜୁଛି ତ ଆଉ କିଏ ପୁଅକୁ । କିଏ ମାଆକୁ ଖୋଜୁଛି ତ ଆଉ କିଏ ଝିଅ ଜ୍ୱାଇଁଙ୍କୁ । ତିନି ଚାରି ଦିନ ହେଲାଣି ଯିଏ ଯେଉଁଠିକୁ ବତାଉଛି ସେଠିକୁ ଯାଉଛନ୍ତି । ହେଲେ କିଛି ଖୋଜ ଖବର ପାଉ ନାହାନ୍ତି । ବଡ଼କଥା ହେଲା ଏମାନେ କେହି ଓଡ଼ିଶାର ନୁହଁନ୍ତି ବରଂ ସମସ୍ତେ ବାହାର ରାଜ୍ୟରୁ ଆସିଛନ୍ତି । କିଏ ପଶ୍ଚିମବଙ୍ଗରୁ ତ ଆଉ କିଏ ଝାଡଖଣ୍ଡରୁ, ଏମିତି କି ପଡୋଶୀ ଦେଶ ନେପାଳରୁ କାଲିଠାରୁ ଆସି ନିଜ ଭାଇ ଓ ଭଉଣୀଙ୍କୁ ଜଣେ ମହିଳା ଖୋଜି ଚାଲିଛନ୍ତି.. ହେଲେ ପାଉ ନାହାନ୍ତିି।
ଆଜିକୁ ୪ ଦିନ ହେଲା ଓଡ଼ିଶା ଆସି ନିଜ ବାପାଙ୍କୁ ଖୋଜୁଥିବା ଆଉ ଜଣେ ଅଣଓଡ଼ିଆ ମହିଳା ହେଲେ ରୁପାଦେବୀ। କେତେ ଆଡେ ଖୋଜି ସାରିଲା ପରେ ଆଜି ଭୁବନେଶ୍ୱର AIIMSରେ ପହଞ୍ଚିଛନ୍ତି । ତାଙ୍କ ବାପା କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କୁରିଥିଲେ, ହେଲେ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳିନିି । ତାଙ୍କର ଏକା ଜିଦ୍ ଯେ ପର୍ଯନ୍ତ ସବୁ ଆହତ ଯାତ୍ରୀଙ୍କୁ ଦେଖି ନାହାନ୍ତି ସେ ପର୍ଯ୍ୟନ୍ତ ଡେଡବଡି ଦେଖିବେନି, କାରଣ ତାଙ୍କ ବିଶ୍ୱାସ ତାଙ୍କ ବାପା ନିଶ୍ଚିତ ଜୀବିତ ଅଛନ୍ତି ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ୟା ଭିତରେ ୪ ଦିନ ବିତିଗଲାଣି । ଅନେକ ଲୋକ ଏଯାଏଁ ଜାଣିପାରୁ ନାହାନ୍ତି ତାଙ୍କ ନିଜ ଲୋକ ମୃତ ନା ଜୀବୀତ । ଫଳରେ ସରକାର ଏବେ ଅଜଣା ଶବକୁ ଚିହ୍ନଟ କରିବାକୁ ଆତ୍ମୀୟସ୍ୱଜନଙ୍କ ଡିଏନଏ ଟେଷ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)