• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକରେ ଦି ଦିନରେ ଦୁଇ ଦୁଇଟି ଅଘଟଣ ଘଟିଲାଣି । ତାଳଦଣ୍ଡା କେନାଲକୁ କାର୍ ଖସି ଜଣେ ବ୍ୟକ୍ତି ପ୍ରାଣ ହରାଇବାର ୨୪ ଘଂଟା ନପୁରୁଣୁ ଆଜି ଆଉ ଏକ ଅଘଟଣ ଘଟିଛି । କେଶରପୁର ଅଂଚଳରେ ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜଣେ ନାବାଳିକା । ଅସ୍ଥାୟୀ ପୋଲ ଦେଇ ପାର୍ ହେଉଥିବା ବେଳେ ନାବାଳିକାଙ୍କ ଉପରେ ଖସି ପଡିଥିଲା ଲୁହା ପାଇପ୍ ।

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି । ରାସ୍ତା କଡରେ ବ୍ୟାରିକେଡ୍ ନକରି କାମ କରୁଥିବାରୁ ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ଗତକାଲି ଜଣଙ୍କ ଜୀବନ ଯିବା ପରେ ହଠାତ୍ ଆକ୍ସନ ମୋଡକୁ ଆସିଯାଇଛି ପ୍ରଶାସନ । ମାତୃଭବନ-ନୂଆବଜାର ତାଳଦଣ୍ଡା କେନାଲ ରାସ୍ତାରେ ବ୍ୟାରିକେଡିଂ କରାଯାଇଛି । ସୂଚନା ଫଳକ ବି ଲାଗିଛି । ସେହି ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । R & B ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ପ୍ରଶାସନର ତଦନ୍ତ ନିର୍ଦ୍ଦେଶ ପରେ ବି ଥମିନି ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ।

କଟକରେ ଏଭଳି ଦୁର୍ଘଟଣା ନୂଆ ନୁହେଁ । ଗତବର୍ଷ ଛତ୍ର ବଜାର ପୋଲ ନିକଟରେ ମାଟି ଧସି ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ସେହିପରି ରାସ୍ତା ଓ ଡ୍ରେନ୍ ମରାମତି ନାଁରେ ବର୍ଷ ବର୍ଷ ଧରି ଜାଇକା ଚଲାଇଥିବା କାମରେ ବିଳମ୍ବ ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି । ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ବେପରୁଆ ନ ହୋଇ ଲୋକଙ୍କ ଧନ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

  • Reported by:
  • PRAVAT BISOI