• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେଉଁ ଛଳ ଛଳ ଆଖି କିଛି ସମୟ ତଳେ ସର୍ବଗ୍ରାସୀ ନିଆଁର କୁହୁଳା ଧୂଆଁକୁ ଦେଖୁଥିଲା, ନିମିଷକରେ ପେଟ ପାଟଣାର ଉଜୁଡା ଚିତ୍ରକୁ ଦେଖି କୋହ ସମ୍ଭାଳନ୍ତା ବା କେମିତି । ଜଣେ ସର୍ବହରା ସାଥୀ ଦୋକାନୀଙ୍କ ମରମ ବେଦନାକୁ ଶୁଣୁ ଶୁଣୁ ମୂର୍ଚ୍ଛା ହୋଇ ଦୁମ୍ କରି ତଳେ ପଡ଼ି ଯାଇଥିଲେ ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ବିୟୁଟି ପାର୍ଲର କରିଥିବା ପୂର୍ଣ୍ଣିମା ମହାନ୍ତି । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଥିଲା ସତ, ହେଲେ ତାପୂର୍ବରୁ ଗଣମାଧ୍ୟମ ଆଗରେ ସେ ଲୁହଭର୍ତ୍ତି ଆଖିରେ ସରକାରଙ୍କୁ କରିଥିବା ବିନତୀ ଥିଲା ଅତ୍ୟନ୍ତ କରୁଣ ।

ପୂର୍ଣ୍ଣିମାଙ୍କ ଦୋକାନ ପାଖରେ ରେଡିମେଡ୍ ଗାର୍ମେଣ୍ଟସ କରିଥିବା ସର୍ବହରା ବ୍ୟବସାୟୀ ହୁଅନ୍ତୁ କି ପାଖ ମ୍ୟାଚିଂ ସେଣ୍ଟରର ମାଲିକ, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଜଳିପୋଡ଼ି ଛାରଖାର ହୋଇଗଲା ବେଉସା, ପିଲା କୁଟୁମ୍ବ ଚଳିବେ କେମିତ ? କି ସାହାଯ୍ୟ ଦେବେ ସରକାର ? କେଉଁଠି ଦୋକାନ କରିବେ, କୁଆଡ଼େ ଯିବେ ମହାଜନ ବାକି କେମିତି ଶୁଝିବେ ? ଏମିତି ସବୁ କଥା ଭାବିଲା ବେଳକୁ ପୂର୍ଣ୍ଣମାଙ୍କ ଭଳି ତାଙ୍କ ମୁଣ୍ଡ ବି ଘୂରେଇ ଯାଉଛି ।

ସେପଟେ ୩୬ ଘଣ୍ଟାର ଅପରେସନ ପରେ ଆଜି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସକୁ ଛାରଖାର କରିଦେଇଥିବା ସର୍ବଗ୍ରାସୀ ନିଆଁ । ଯଦିଓ ନିରାପତ୍ତା ଦୃଷ୍ଟିରୁ କୌଣସି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଆଜି ଦୋକାନ ପାଖକୁ ଛଡ଼ାଯାଇନି, ହେଲେ କଂପ୍ଲେକ୍ସ ଭିତର ପାର୍ଶ୍ୱକୁ ଦେଖିଲେ ସ୍ପଷ୍ଟ ଅନୁମେୟ । କେତେ ଭୟଙ୍କର ଥିଲା ଅଗ୍ନିର କୋପ । ଆଜି ପ୍ରଥମ ପର୍ଯ୍ୟାୟରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରାଉଣ୍ଡ ଫ୍ଲୋରରେ ଥିବା ୪୩ଟି ଦୋକାନର କ୍ଷୟକ୍ଷତି ଆକଳନ କରିଛି ଓ ରିପୋର୍ଟ ପ୍ରଶାସନକୁ ହସ୍ତାନ୍ତର କରିଛି।

ଅଗ୍ନିଶମ ବିଭାଗର ଅନୁମତି ମିଳିବା ପରେ ଆସନ୍ତାକାଲି ବ୍ୟବସାୟୀମାନଙ୍କୁ ସେମାନଙ୍କ ବଞ୍ଚି ଯାଇଥିବା ସାମାନପତ୍ର ସଂଗ୍ରହ ପାଇଁ ଅନୁମତି ଦିଆଯିବ ।

ପୁରୀ ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ କେମିତି ଘଟିଲା ଏତେ ବଡ଼ ଅଗ୍ନିକାଣ୍ଡ ? ତାର ବିଧିବଦ୍ଧ ତଦନ୍ତ ହେବ । ତାସହ ସେ ସ୍ଥାନର ଭୌଗୋଳିକ ସ୍ଥିତି ଯାହା, ୩୬ ଘଣ୍ଟାର ଅପରେସନ୍ ବେଶ୍ କଷ୍ଟସାଧ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ତାସହ କହିଛନ୍ତି ଅପରେସନରେ ସାମିଲ ସବୁ କର୍ମଚାରୀ ଆର୍ଥିକ ପୁରସ୍କାର ପାଇବେ, ଆହତ ୨ କର୍ମଚାରୀ ଓ ନେତୃତ୍ୱ ନେଇଥିବା ଅଫିସରଙ୍କୁ ଡିଜି ଡିସ୍କ ପ୍ରଦାନ କରାଯିବ । ତେଣେ ନିଆଁକୁ ଆୟତ୍ତ ସହ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ପାଇଁ ଦୀର୍ଘ ସମୟ ଅକ୍ଳାନ୍ତ ଉଦ୍ୟମ କରିଥିବାରୁ ଓଡ଼ିଶା ଅଗ୍ନିଶମ ବାହିନୀ, ଓସଡମା ଓ ପୁରୀ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ୱିଟ୍ ଯୋଗେ ସାଧୁବାଦ ଜଣାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।