• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦୀପାବଳି ରାତିରେ ରାଜଧାନୀରେ ବଡ଼ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟରେ ନିଆଁ ଲାଗିଛି । ୧ ନମ୍ବର ହାଟ ଭୂତଳ ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି ।

ସୂଚନା ଅନୁସାରେ ଗତକାଲି ଥିଲା ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ ଥିଲା ଗାଁରୁ ସହର । ଅନ୍ଧକାର ଉପରେ ଆଲୋକର ବିଜୟ ସ୍ବରୂପ ଚାରିଆଡ଼େ ଜମିଥିଲା ଦୀପାବଳିର ଧୂମ୍ । ତେବେ ଠିକ୍‌ ଏତିକି ବେଳେ ଭୁବନେଶ୍ୱରରେ ଘଟିଥିଲା ବଡ଼ ଧରଣର ଅଘଟଣ । ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ୧ ନମ୍ବର ହାଟ ଭୂତଳ ମାର୍କେଟରେ ଲାଗିଥିଲା ନିଆଁ । ପ୍ରଥମେ ୨୩ ନମ୍ବର ଦୋକାନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଏହାପରେ ନିଆଁ ସମସ୍ତ ଦୋକାନକୁ ବ୍ୟାପିଥିଲା । ତେବେ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍‌ ପହଞ୍ଚିଥିଲା । ତେବେ ଏହି ମାର୍କେଟରେ ପୂରା ସେଣ୍ଟ୍ରାଲ ଏସି ଥିବାରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ନାକେଦମ ହୋଇଥିଲା । ଦୁଇଟି ଅଗ୍ନିଶମ ଟିମ୍‌ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲା ।

ସେପଟେ ଏହି ଅଗ୍ନିକାଣ୍ଡରେ ଭୂତଳ ମାର୍କେଟରେ ଥିବା ୨୬ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଲକ୍ଷାଧିକ ଟଙ୍କାର ଶାଢ଼ୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ତେବେ କିଭଳି ସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସେପଟେ ଗତକାଲି ରାତିରେ ଭୁବନେଶ୍ବର ବାପୁଜୀନଗରରେ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବାପୁଜୀ ନଗରରେ ଥିବା ୩ ଟି ଭେଣ୍ଡିଂ ଜୋନ୍‌ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି, ନା ବାଣ ଫୁଟାରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଅଗ୍ନିକାଣ୍ଡରେ ୩ଟି ସାଇକେଲ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ଛୋଟ ପିଲାଙ୍କ ରେସିଂ ସାଇକେଲଠୁ ବଡ଼ ସାଇକେଲ ଯାଏଁ ବିକ୍ରି କରୁଥିବା ଦୋକାନ ମାଲିକ ସଂଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଆଉ ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳନବେଳେ ସାଢେ଼ ୮ଟାରେ ଜଳିଗଲା ଦୋକାନ । ସ୍ଥାନୀୟ ଲୋକେ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛି। ତେବେ କେତେ କ୍ଷୟକ୍ଷତି ହୋଇଛି, ସ୍ପଷ୍ଟ ହୋଇନାହିଁ ।

 

OTV is now on Whatsapp

Join and get latest news update delivered to you via whatsapp

Join Now