• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଙ୍କି ନିକଟ ଜାତମୁଣ୍ଡିଆ ପୋଲ ଉପରୁ ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ବସ୍ ଦୁର୍ଘଟଣା । ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ରହିଗଲା । ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ନିଗମ ନାମକ ବସଟି କିନ୍ତୁ ପୋଲ ଭାଙ୍ଗି ଯେମିତି ଅଧା ଝୁଲିକି ରହିଥିଲା, ସେଥିପାଇଁ କେହି କେହି ଡ୍ରାଇଭରକୁ ଦୋଷ ଦେଇଛନ୍ତି । ହେଲେ ଡ୍ରାଇଭର କିନ୍ତୁ କହୁଛନ୍ତି ଷ୍ଟିଅରିଂ ୱେୟାର କଟିଯିବାରୁ ଗାଡ଼ି ନିୟନ୍ତ୍ରଣ ବାହାରକୁ ଚାଲିଗଲା ।

ମା’ ଚର୍ଚ୍ଚିକା ବଞ୍ଚେଇ ଦେଲେ । ନହେଲେ କଣ ଯେ ହେଇଥାନ୍ତା । ପୁଣି ଗୋଟେ ବଡ଼ ବ୍ରିଜ୍ ଟ୍ରାଜେଡି, ଓଡ଼ିଶା ଖାତାରେ ପଡ଼ିଥାନ୍ତା । ତଳେ ଭରାପାଣି ଚାଲୁଛି, ପୋଲରେ ବସ୍ ଲଟକିଛି, ଚକ ଗୋଟେ ଦୋଳି ପରି ଝୁଲୁଛି । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିବା ବସ୍ ଦୁର୍ଘଟଣା ଆଜି ଘଟିଛି ବାଙ୍କି ନିକଟ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ । ସମୟ ସକାଳ ୧୦ଟା ୨୦ । ଅନୁଗୁଳରୁ- ଭୁବନେଶ୍ୱର ଆସୁଥିଲା ନିଗମ ନାମକ ବସ୍ । ପୋଲ ମଝିଆ ମଝି ପହଞ୍ଚିଥିବାବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରେଲିଂରେ ପିଟି ହୋଇଗଲା । ବସ୍‌ର ଅଧା ପୋଲ ଉପରେ ତ ବାକି ଅଧା ନଦୀ ଉପରକୁ ଝୁଙ୍କି ରହିଥିଲା । ଯାତ୍ରୀମାନେ ଜୀବନ କାଉଲୁବାଉଲୁ ହୋଇ ଝରକାବାଟେ ବାହାରିଥିଲେ । ଅବସ୍ଥା ଦେଖି ସ୍ଥାନୀୟ ଲୋକେ ବି ଉଦ୍ଧାର କାମରେ ଲାଗିଗଲେ । ତେବେ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଥିବା ଯାତ୍ରୀମାନେ କହିଛନ୍ତି- ଜାଣ ଆମେ ଯମ ମୁହଁରୁ ଫେରିଛୁ ।

ମଧ୍ୟାହ୍ନରେ ଝୁଲନ୍ତା ବସ୍ ଟିକୁ କ୍ରେନ୍ ସାହାଯ୍ୟରେ ପୋଲ ଉପରକୁ ଅଣାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପୋଲିସ୍ ଓ ମୋଟର ଭେଇକିଲ୍ ଅଫିସର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ତହସିଲଦାର କହୁଥିବାବେଳେ ଗାଡ଼ି ଡ୍ରାଇଭରଙ୍କ ବୟାନ କିନ୍ତୁ ଅଲଗା । ସେ କହିଛନ୍ତି, ଷ୍ଟିୟରିଂ ୱେୟାର ଛିଣ୍ଡି ଯିବାରୁ ଆଉ କଣ୍ଟ୍ରୋଲ କରି ହେଲାନି । ଯଦିଓ ରାଜ୍ୟରେ ପୁଣି ଏକ ବଡ଼ ବସ୍ ଦୁର୍ଘଟଣା ଟଳିଯାଇଛି, ହେଲେ ମହାନଦୀ ପୋଲ୍ ଉପରେ ଏଭଳି ଘଟଣା ଆଦୌ ନୂଆ ନୁହେଁ ।

ନଭେମ୍ବର ୫ ୧୯୯୮

କଟକ ମହାନଦୀ ବ୍ରିଜ୍ ତଳକୁ କେନ୍ଦ୍ରାପଡ଼ାରୁ ଆସୁଥିବା କନକଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ଅକାଳରେ ଆଖି ବୁଜିଥିଲେ ୪୭ ଯାତ୍ରୀ ଓ ଗୁରୁତର ହୋଇଥିଲେ ୨୦ ଜଣ ।

୯ ସେପଟେମ୍ବର ୨୦୧୬

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିକଟରେ ଘଟିଥିଲା ଭୟଙ୍କର ବସ୍ ଦୁର୍ଘଟଣା । ଏନଏଚ୍ ୫୫ ଦେଇ ଯାଇଥିବା ପୁରୁଣାମାଣିତ୍ରୀ ପୋଲରୁ ଯାତ୍ରୀବାହୀ ବସ୍ ଖସି ଲିଭି ଯାଇଥିଲା ୧୯ ଜୀବନ ଓ ଆହତ ହୋଇଥିଲେ ୩୦ ଯାତ୍ରୀ ।

୨୦ ନଭେମ୍ବର ୨୦୧୮

କଟକ ଜଗତପୁର ନିକଟରେ ମହାନଦୀ ପୋଲ ରେଲିଂ ଭାଙ୍ଗି ନଦୀକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍ । ଯେଉଁଥିରେ ୧୦ଜଣଙ୍କ ପ୍ରାଣହାନୀ ଘଟିଥିଲା ।

  • Reported by:
  • NILAKANTHA DORA , Sanjeeb Nayak