• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଓଲଟିଲା ଯାତ୍ରାପାର୍ଟି ଗାଡ଼ି, ପୁଣି ପ୍ରାଣ ନେଇଗଲା ମରଣଘାଟି । ଦୃଶ୍ୟ ଏତେ ଭୟଙ୍କର ଯେ, ନା ଦେଖି ହେଉଛି ନା ଦେଖାଇ ହେଉଛି । ଭାଙ୍ଗିରୁଜି ପଡ଼ିରହିଥିବା ସାମଗ୍ରୀ ଭିତରେ ପଡ଼ିରହିଥିଲା ଖଟିଖିଆ ମେହନତି ଗରୀବ ଶ୍ରମିକଙ୍କ ରକ୍ତ ଜୁଡୁବୁଡୁ ମର ଶରୀର । ଯାତ୍ରା ପାର୍ଟିର ଛଅ ଛଅ ଶ୍ରମିକ ପାଲଟି ଯାଇଛନ୍ତି ଶବ।

ଦୁଆରଶୁଣି ଘାଟି। ସମୟ ସକାଳ ପ୍ରାୟ ୧୦ଟା ୨୫ ମିନିଟ୍। ବହଳଦା ଥାନା ବାସିଙ୍ଗିରୁ ବାଲେଶ୍ବର ଜଳେଶ୍ବରକୁ ଆସୁଥିଲା ଟ୍ରକଟି। ଯେଉଁଥିରେ ଥିଲେ ଧଉଳି ଗଣନାଟ୍ୟର ୧୬ ଶ୍ରମିକ ଓ କର୍ମଚାରୀ। କିନ୍ତୁ ଦୁର୍ଭାଗ୍ୟ, ଦୁଆରଶୁଣି ଘାଟିର ଶେଷ ବୁଲାଣିରେ ଡାହାଣ କଡ଼କୁ ଓଲଟି ପଡ଼ିଲା ଟ୍ରକ୍ ଆଉ ଏକ ଛୋଟ ପୋଲରେ ଝୁଲିରହିଲା ଏଭଳି ଭାବେ। ଫଳରେ ଟ୍ରକରେ ଥିବା ଯାତ୍ରାପାର୍ଟିର ଓଜନିଆ କାଠବାକ୍ସ ଓ ଅନ୍ୟ ଆସବାବପତ୍ରରେ ଚାପି ହୋଇ ୬ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ବାରିପଦା ଓ ବାଙ୍ଗିରିପୋଷି ମେଡ଼ିକାଲ ନିଆଯାଇଛି।

ତେବେ ଦୁର୍ଘଟଣାର କାରଣକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ଆହତ ଶ୍ରମିକଙ୍କ କହିବା କଥା, ଯିଏ ଟ୍ରକ୍ ଚଲାଉଥିଲା ସିଏ ଥିଲା ଅଦିନିଆ ଡ୍ରାଇଭର। ଦ୍ରୁତଗତିରେ ଟ୍ରକକୁ ଚଲାଉଥିଲା ଘାଟି ରାସ୍ତାରେ। ଆଉ ଦୁର୍ଘଟଣା ପରେ ଖସିଗଲା ଘଟଣାସ୍ଥଳରୁ। ମୟୁରଭଞ୍ଜ ଆରଟିଓଙ୍କ କହିବା କଥା, ORO4-E7473 ନମ୍ବର ବିଶିଷ୍ଟ ଏହି ଟ୍ରକର ଫିଟନେସ୍ ଅଛି। କିନ୍ତୁ କେମିତି ଦୁର୍ଘଟଣା ଘଟିଲା, ତାହା ଏଯାଏଁ ଅସ୍ପଷ୍ଟ।

ଏଥିପାଇଁ ପରିବହନ ବିଭାଗ ଏକ ଟିମ୍ କରି ତଦନ୍ତ କରିବ। ସେହିପରି ପୋଲିସ ବି ଘଟଣାର ତଦନ୍ତ କରିବ ବୋଲି କହିଛନ୍ତି ମୟୁରଭଞ୍ଜ ଅତିରିକ୍ତ ଏସପି।

ଦୁଆରଶୁଣି ଘାଟିରେ ଦୁର୍ଘଟଣା ନୁଆ ନୁହେଁ। ତଥ୍ୟ କହୁଛି, ଏଇ ଘାଟିରେ ଗତ ୨ ବର୍ଷରେ ୨୫୦ରୁ ଅଧିକ ଦୁର୍ଘଟଣାରେ ଜୀବନ ଗଲାଣି ପ୍ରାୟ ୫୦ ଜଣଙ୍କର। ଗତ ୪ ତାରିଖରେ ତେଲ ଟ୍ୟାଙ୍କର ଓ ଚା’ବୋଝେଇ ଟ୍ରକ ଦୁର୍ଘଟଣାରେ ଜୀଅନ୍ତା ଜଳିଯାଇଥିଲେ ୨ ଟି ଗାଡ଼ିର ଡ୍ରାଇଭର। ତେଣୁ ସଂପ୍ରସାରଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। କିନ୍ତୁ ଗ୍ରୀନ ଟ୍ରିବ୍ୟୁନାଲର କ୍ଲିୟରାନସ ପାଇଁ କାମ ଅଟକିଥିଲା। ଏବେ ଅନୁମତି ମିଳିସାରିଛି। ଖୁବଶୀଘ୍ର ସଂପ୍ରସାରଣ କାମ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ।

୨୦୧୬, ଏପ୍ରିଲ। ଦେବଗଡ ଗଇଲୋ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା କଥା ମନେପକାନ୍ତୁ। ଯେଉଁଥିରେ ଅନ୍ୟ ଏକ ଯାତ୍ରାପାର୍ଟିର ପ୍ରାୟ ୨୭ ଜଣଙ୍କ ଜୀବନ ଯାଇଥିଲା। ଆଉ ଆଜିର ଦୁର୍ଘଟଣାରେ ଯାଇଛି ୬ ନିରୀହ ଶ୍ରମିକଙ୍କ ଜୀବନ। ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖପ୍ରକାଶ ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

  • Reported by:
  • RASHMIRANJAN DAS , MANIK Lal PANI