• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମାଆ-ଝିଅ । ସ୍ଥାନୀୟ ଅଂଚଳର ଆଉ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ତେବେ ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏକ ଅଢେଇ ମାସର ଶିଶୁ ।

କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍  ଡିଏମୟୁରେ କଟକ ଯାଇଥାନ୍ତେ ସମସ୍ତେ । ପେଟରେ ଟ୍ୟୁମର ଥିବାରୁ କଣ୍ଢେଇଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ହେଲେ କିଏ ଜାଣିଥିଲା କୋରେଇ ଷ୍ଟେସନ ହିଁ ପାଲଟିବ କଣ୍ଢେଇଙ୍କ ଶେଷ ଷ୍ଟେସନ ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍‌ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ । ହେଲେ ସୌଭାଗ୍ୟବଶତଃ ବଂଚିଯାଇଛି ଅଢେଇ ମାସର ନିଷ୍ପାପ ଶିଶୁଟି । ଦୁର୍ଘଟଣାରେ ମାଆ ପାର୍ବତୀଙ୍କ ହାତରୁ ଛିଟିକି ଯାଇ ଖଣ୍ଡିଏ ଦୂରରେ ପଡିଥିଲା, ଆଉ ବର୍ତ୍ତିଯାଇଥିଲା କଅଁଳ ଜୀବନଟି ।

କୋରେଇ ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଅବଜୁଲା ବିବିଙ୍କ ମଧ୍ୟ ଜୀବନ ଯାଇଛି । ଯାଜପୁର କୋରେଇ ଅଂଚଳର ଅବଜୁଲା, ସକାଳୁ ସକାଳୁ ଭୁବନେଶ୍ୱର ବାହାରିଥିଲେ । ସ୍ୱାମୀ ଅସୁସ୍ଥ ଥିବାରୁ ତାଙ୍କ ପାଇଁ ଔଷଧ ଆଣିଥାନ୍ତେ । ହେଲେ ବିନା ଔଷଧରେ କୋରେଇ ଷ୍ଟେସନରୁ ଫେରିଛି ଅବଜୁଲାଙ୍କ ମରଶରୀର ।

ଏହାରି ଭିତରେ ଘର ଚାବି ବଞ୍ଚେଇ ଦେଇଛି ଆଉ ଜଣେ ଯାତ୍ରୀଙ୍କ ଜୀବନ । ଚାବି ଭୁଲିଯାଇଥିବାରୁ ଷ୍ଟେସନରୁ ପୁଣି ଘରକୁ ଯାଇଥିବା ଏକ ବ୍ୟକ୍ତି ବର୍ତ୍ତିଯାଇଛନ୍ତି ଦୁର୍ଘଟଣାରୁ । ହେଲେ, ଆଖି ସାମ୍ନାରେ ଦେଖିଛନ୍ତି ପ୍ଲାଟଫର୍ମ ଉପରେ ଟ୍ରେନ୍ ଚଢିଯାଇଥିବାର ଦୃଶ୍ୟ ।

କୋରେଇ ଷ୍ଟେସନ ଟ୍ରେନ୍ ଦୁର୍ଘଟଣାରେ ମୋଟ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଆଉ ଦୁଇ ଜଣ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି ।