• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ । ସୁରକ୍ଷିତ ଯାତ୍ରା ପାଇଁ ନା ସୁନିଶ୍ଚିତ କରୁଛନ୍ତି ବସ୍ ମାଲିକ ନା ବସ୍ ଚାଳନା ସମୟରେ ଦାୟିତ୍ବବାନ ହେଉଛନ୍ତି ଡ୍ରାଇଭର୍ । ଯାଜପୁର ଧର୍ମଶାଳା ନିକଟରେ ଗତରାତିରେ ପଶ୍ଚିମବଙ୍ଗମୁହାଁ ଯାତ୍ରୀବାହୀ ବସଟି ଯେଭଳି ଦୁର୍ଘଟଣାର ଶୀକାର ହୋଇ ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ଗଲା, ତାକୁ ନେଇ ଯାତ୍ରୀଙ୍କ ମନରେ ଛନକା ପଶିଛି । ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ପରିବହନ ବିଭାଗ ଦାୟୀ କରିଥିବାବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିଆଯାଉଛି ମରଣମୁହଁକୁ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ବସ୍ ଟ୍ରାଜେଡି ? ବସ୍ ଯାତ୍ରୀଙ୍କ ଜୀବନକୁ କ’ଣ ଶସ୍ତା ଭାବୁଛନ୍ତି କି ବସ୍ ଡ୍ରାଇଭର କିମ୍ବା ମାଲିକ ? ଅନ୍ଧାର ଭିତରେ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାର । କିଏ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ତ ଆଉ କିଏ ଆପଣାର ଲୋକଙ୍କୁ ହରାଇ ହତବାକ୍। ଭୟଙ୍କର...କରୁଣ...ଲୋମଟାଙ୍କୁରା ଘଟଣା ଚାଲିଗଲା ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ। ମରଣମୁହଁରୁ ବର୍ତ୍ତିଗଲେ ପ୍ରାୟ ୫୦ ଯାତ୍ରୀ। ସେମାନଙ୍କ ମଧ୍ୟରୁ ୩୦ ଆହତ ଥିବାବେଳେ କିଏ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଗଲେଣି ତ ଆଉ କିଛି ଗୁରୁତର ଥିବାରୁ କଟକ ଏସସିବିରେ ଚିକିତ୍ସାଧିନ ଅଛନ୍ତି। ବସଟି ପୁରୀରୁ ପଶ୍ଚିମବଙ୍ଗ ହଳଦିଆ ଯାଉଥିବାବେଳେ ସମସ୍ତ ମୃତକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ଏହି ଖବର ପରେ ମେଦିନୀପୁର ଏଡିଏମଙ୍କ ନେତୃତ୍ବରେ ଏକ ଟିମ୍ ଏସସିବିରେ ରହି ଆହତଙ୍କ ଚିକିତ୍ସା ତଦାରଖ କରୁଛନ୍ତି। ସେହିପରି ପଶ୍ଚିମବଙ୍ଗ ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ମନ୍ତ୍ରୀ ମଧ୍ୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ପୁରୀରୁ ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା OD02B-J8599 ନମ୍ବର ବିଶିଷ୍ଟ କାଳିଆ ନନା ବସ୍ । ସମୟ ରାତି ପ୍ରାୟ ୮ଟା ୪୫ ମିନିଟ୍ । ହଠାତ କ’ଣ ଘଟିଗଲା କେଜାଣି, ବସଟି ଯାଜପୁର ଧର୍ମଶାଳା ଥାନା ବାରବାଟୀ ଛକ ନିକଟ ୧୬ ନମ୍ବର NH କଡ଼ରେ ଲୁହାର ଡିଭାଇଡର ସହ ପିଟି ହୋଇ ଖସିପଡ଼ିଲା ବ୍ରିଜ୍ ତଳକୁ । ଏଭଳି ଲୋମଟାଙ୍କୁରା ଦୁର୍ଘଟଣା ପଛରେ ଡ୍ରାଇଭର ହରେକୃଷ୍ଣ ଦାସଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛି ପରିବହନ ବିଭାଗ। ଅତିରିକ୍ତ କମିଶନରଙ୍କ କହିବା କଥା, ବସର ଫିଟନେସଠୁ ଆରମ୍ଭ କରି ସବୁ କାଗଜପତ୍ର ଠିକ୍ ରହିଛି। ଦୁର୍ଘଟଣାସ୍ଥଳ ବି କୌଣସି ବିପଦସଙ୍କୁଳ କିମ୍ବା ବ୍ଲାକ ସ୍ପଟ୍ ନୁହଁ। ତେଣୁ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥାଇପାରେ। 

ତେବେ କେଉଁ ଅବସ୍ଥାରେ ଥାଇ ବସ୍ ଚଳାଉଥିଲେ ଡ୍ରାଇଭର ? ଦ୍ରୁତଗତିରେ ଯାଉଥିବା ବସକୁ ହଠାତ କାହିଁକି ଘଟାଇଥିଲେ ଦୁର୍ଘଟଣା ? ବସରେ ଆବଶ୍ୟକଠୁ ଅଧିକ ଯାତ୍ରୀ ଥିଲେ କି ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଏକ ମାମଲା ରୁଜୁ କରି ଏବଂ ବାଲେଶ୍ବର ଜଳେଶ୍ବର ଥାନା ରାମନଗରପାଟଣା ଗାଁର ବସ୍ ମାଲିକ ସୁବୋଧ କୁମାର ଭୂୟାଁଙ୍କୁ ଧରି ପୋଲିସ ତଦନ୍ତ କରୁଛି। ଦୁର୍ଘଟଣାସ୍ଥଳରେ ଚଣ୍ଡିଖୋଲ RTO ଏବଂ ସଡକ ପରିବହନ ବିଭାଗର ରୋଡ୍ ସେଫଟି କନସଲଟାଣ୍ଟ ପହଞ୍ଚି ଛାନଭିନ୍ କରିଛନ୍ତି। 

ଦୁର୍ଘଟଣାରେ ବସ୍ ଡ୍ରାଇଭର ଗୁରୁତର ଥିବାରୁ ତାଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ହେବା ପରେ ହୁଏତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରେ। ତେବେ ଦୁର୍ଘଟଣା ସଂପର୍କରେ କିନ୍ତୁ ବସ୍ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।