• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ବର ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ବଡ଼ ଟ୍ବିଷ୍ଟ୍ । AC କଂପ୍ରେସର ବିସ୍ଫୋରଣରେ ଜଣେ ମୃତକଙ୍କ ପରିଚୟରେ ସୃଷ୍ଟି ହୋଇଛି ବିରାଟ ଦ୍ବନ୍ଦ୍ବ । ମୃତ ଘୋଷିତ ଦିଲ୍ଲୀପ ସାମନ୍ତରାୟ ପ୍ରକୃତରେ ଜୀବିତ କି, ତାକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ ।

ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା ଏବଂ ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରି ସାରିଛନ୍ତି । ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ଯାହାଙ୍କର ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି ।

ମନସ୍ତତ୍ତ୍ବବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏସବୁ ଦ୍ବନ୍ଦ୍ବ ଭିତରେ ଅତି ଉଦବେଗଜନକ କଥା ହେଉଛି, ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ କିଛି ଦିନ ତଳେ ଆତ୍ମହତ୍ୟା କରି ସାରିଛନ୍ତି ।

ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା । ଏଥିରେ ଏଯାବତ୍ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ହାଇଟେକ୍ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଯେଉଁ କର୍ମଚାରୀ ଆହତ ମାନଙ୍କୁ ଉଦ୍ଧାର କରି ଆଣିଥିଲେ, ସେ ହିଁ ସେମାନଙ୍କ ନାଁ ଚିହ୍ନଟ କରିଥିଲେ । ହସ୍ପିଟାଲ ପକ୍ଷରୁ କେବଳ ଚିକିତ୍ସା କରାଯାଇଛି ଏବଂ ସମସ୍ତ ପ୍ରୋଟୋକଲର ଅନୁପାଳନ ହୋଇଛି ।

ସେପଟେ ଭେଣ୍ଟିଲେଟରରୁ ବାହାରିଥିବା ବ୍ୟକ୍ତି ପ୍ରକୃତରେ ଦିଲୀପ ନା ଜ୍ୟୋତିରଞ୍ଜନ ତାହା ଏବେବି ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ହାଇଟେକ୍ ସିଇଓ । କାରଣ ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କୁ ଜ୍ୟୋତିରଞ୍ଜନଙ୍କ ବାପା ଏବେ ମଧ୍ୟ ନିଜ ପୁଅ ବୋଲି ଦାବି କରୁଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସେପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀ କହିଛନ୍ତି ଯେ, ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀଙ୍କ ନାଁ କହିଥିଲେ । କାହାର ନାଁ କଣ, ସେ ଚିହ୍ନଟ କରିନଥିଲେ ।