• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା । କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା । ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇପ୍ରଶ୍ନ ଉଠିଲାଣି । କେବଳ ବଲାଙ୍ଗୀର ନୁହେଁ ଖୋର୍ଦ୍ଧା, ସୁନ୍ଦରଗଡ଼ରେ ବି ସମାନ ଚିତ୍ର । ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି ଟ୍ରକ ।

ଜାତୀୟ ରାଜପଥରେ ଅଘୋଷିତ ଟ୍ରକ ଟର୍ମିନାଲ । ଟ୍ରକ ଚାଳକକଙ୍କ କବଜାରେ ରହୁଛି ଅଧା ରାଜପଥ । ବେଆଇନ ପାର୍କିଂ କରି ଏନଏଚ ଜବରଦଖଲ କରୁଛନ୍ତି ଟ୍ରକ ଚାଳକ । ଯେଉଁଥି ପାଇଁ ବଢୁଚି ଦୁର୍ଘଟଣା । ମଙ୍ଗଳବାର ରାତିରେ ୫-୫ଟି ଜୀବନ ନେଇଥିବା ବଲାଙ୍ଗୀର ଦୁର୍ଘଟଣାର କାରଣ ବି ଏହା ବୋଲି କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା NHରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା କାର। ଯେଉଁଥି ପାଇଁ ଘଟିଥିଲା ଏତେ ବଡ଼ ଦୁର୍ଘଟଣା ।

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ । କାରଣ ସକାଳ ୬ଟାରୁ ରାତି ୧୨ ଯାଏଁ ବଲାଙ୍ଗୀର ସହରରେ ଭାରୀ ଯାନ ପ୍ରବେଶ ମନା । ଯେଉଁଥିପାଇଁ ବାଧ୍ୟ ହୋଇ ଜାତୀୟ ରାଜପଥରେ ଛିଡା ହେବାକୁ ପଡୁଥିବା କହିଛନ୍ତି ଡ୍ରାଇଭର ।

ଖାଲି ବଲାଙ୍ଗୀର ନୁହଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ସମାନ ଚିତ୍ର । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟରେ ଯେଉଁଠି ଦେଖିବ ଏନଏଚ ଉପରେ ମାଳ ମାଳ ଟ୍ରକ । ଯେ ଯେମିତି ପାରିଲା ଗାଡି ଠିଆ କରିଦେଲା । କେହି କେହି ପୂରା ଅଧା ରାସ୍ତାକୁ କବଜା କରିନେଇଛନ୍ତି । ଖାଲି ଏନଏଚ ନୁହେଁ ସବ୍ ରୋଡରେ ବି ପାର୍କିଂ କରିଦେଇଛନ୍ତି ଡ୍ରାଇଭର । ଯେଉଁଥିପାଇଁ ଏଠି ବି ଅନେକ ଥର ଦୁର୍ଘଟଣା ଘଟିଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ସମାନ ଚିତ୍ର ସୁନ୍ଦରଗଡ଼ କୋଇଡ଼ାରେ । ଏଠି ବି ରାସ୍ତା ଉପରେ ବେଆଇନ ଟ୍ରକ ପାର୍କିଂ ଗାଡ଼ି ଚାଳକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଖଣି ଖାଦାନ ଥିବାରୁ ଏଠି ଟ୍ରକ ଚଳାଚଳ ଅଧିକ । ଆଉ ତାପରେ ଟ୍ରକଗୁଡିକର ଏଭଳି ଅବାଧ ପାର୍କିଂ ଯୋଗୁଁ ଏଠି ବି ନିତି ଛୋଟ ବଡ ଦୁର୍ଘଟଣା ଘଟୁଛି ।

ଏବେ ପ୍ରଶ୍ନ କାହିଁକି ଏନଏଚରେ ଏଭଳି ବେଆଇନ ପାର୍କିଂ ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ ? ଜାତୀୟ ରାଜପଥଗୁଡିକରେ ଟ୍ରକ ଟର୍ମିନାଲ କରିବାକୁ ଟ୍ରକ ମାଲିକ ସଂଘ ବାରମ୍ବାର ଚିଠି ଲେଖିବା ପରେ ବି କାହିଁକି ଏ ଦିଗରେ ପଦକ୍ଷେପ ନେଉନାହାନ୍ତି ସରକାର ? ସେପଟେ ବଲାଙ୍ଗୀର ଦୁର୍ଘଟଣା ସଂପର୍କରେ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏବଂ ଏ ନେଇ କଡ଼ା ପଦକ୍ଷେପ ନିଆଯିବ ବୋଲି ଷ୍ଟେଟ୍ ଟ୍ରାନସପୋର୍ଟ ଅଥରିଟି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

 

  • Reported by:
  • BALRAM LENKA , Ghateswar Mishra , Sunil Panda