• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଯଦି ଦିଲ୍ଲୀପ ଜୀବିତ ତାହାଲେ ଜ୍ୟୋତି କୁଆଡେ ଗଲା? ଆମକୁ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ବୋଲି ପରିବାର ଲୋକ ଦାବି କରିଛନ୍ତି ।

ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ କେଉଁଠି ଅଛି ବୋଲି ପରିବାର ପ୍ରଶ୍ନ କରିଛନ୍ତି । ଯଦି ଜ୍ୟୋତି ମୃତ, ତାହାଲେ ମୃତଦେହ ଫେରାଅ ବୋଲି ଦାବି କରିଛି ପରିବାର । ସେପଟେ ଜ୍ୟୋତିରଞ୍ଜନ ମଲ୍ଲିକ ବାପା କହିଛନ୍ତି, ଚିକିତ୍ସିତ ବ୍ୟକ୍ତି ତାଙ୍କ ପୁଅ ଜ୍ୟୋତି ନୁହେଁ ।

ମେଡିକାଲର ଭୁଲ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି ଜ୍ୟୋତିଙ୍କ ବାପା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି । ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ ବନ୍ଧା ହୋଇଥିବାରୁ ଜାଣିପାରିନଥିଲି ।

ବ୍ୟାଣ୍ଡେଜ ଖୋଲା ପରେ ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଦେଇଥିଲେ । ସନ୍ଦେହ ହେବାରୁ ଦୁଇ ଗୋଡ ଭଲ ସେ ଚେକ୍ କରିଥିଲେ ବୋଲି କହିଛନ୍ତି ଜ୍ୟୋତିଙ୍କ ବାପା । ପୁଅ ଜ୍ୟୋତି ଗୋଡରେ ଦାଗ ଅଛି, କିନ୍ତୁ ଉକ୍ତ ବ୍ୟକ୍ତିଙ୍କ ଗୋଡ଼ରେ ଦାଗ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେପଟେ ଘଟଣା ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଓ ଶ୍ୱଶୂର ଘର ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚିଥାଉ ଥାଉ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏଭଳି ଚାଞ୍ଚଲ୍ୟକର, ଚିନ୍ତାଜନକ, ଦୁଃଖଜନକ ଓ ଉଦବେଗଜନକ ଖବର ସାମ୍ନାକୁ ଆସିବା ପରେ, ଉଠୁଛି ଅନେକ ପ୍ରଶ୍ନ ।

ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ? କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ? ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ? କାହା ଭୁଲ୍ ପାଇଁ ଅକାରଣରେ ଚାଲିଗଲା ଆଉ ଗୋଟିଏ ଜୀବନ ? ଦିଲ୍ଲୀପ ସାମନ୍ତରାୟଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ କିଏ ହେବ ଦାୟୀ ?

ହସ୍ପିଟାଲ କର୍ତ୍ତୃପକ୍ଷ, ଆଉଟସୋର୍ସିଂ ଏଜେନ୍ସି ନା ପରିବାରବର୍ଗ ? ଯଦି ମୃତଦେହ ଚିହ୍ନଟ ହୋଇ ପାରୁନଥିଲା, ଡିଏନଏ ଟେଷ୍ଟ କରାଗଲାନି କାହିଁକି ? ପୋଲିସ ତଦନ୍ତରୁ ଆଗକୁ ହୁଏତ ସବୁ କଥା ପଦାକୁ ଆସିବ ।