Advertisment

ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ।

author-image
Santosh Kumar Sahoo
undefined

Puri Fire Tragedy

ପୁରୀ ବାଣ ଟ୍ରାଜେଡ଼ି ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍ । ୪ ଦିନ ଭିତରେ ୧୩ ଜଣଙ୍କ ଜୀବନ ଗଲାଣି । ଏବେବି ୧୭ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜି ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଅଟକ ରଖିଥିଲେ ବି, ଏଯାଏଁ କାହାକୁ ଗିରଫ କରାଯାଇନି। ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ। ସେପଟେ ଏହି ଘଟଣାରେ ଚାରି ଚାରି ଜଣଙ୍କୁ ହରାଇ ଉଜୁଡ଼ି ଯାଇଛି ଖଣ୍ଡିଆବନ୍ଧର ଗୋଟିଏ ପରିବାର ।

Advertisment

ଯେଉଁ ବାଣ ଚଉଦିଗ ଆଲୋକିତ କରେ, ସେଇ ବାଣ ଯୋଗୁଁ ଅନ୍ଧାର ଘୋଟି ଆସିଛି ଏଇ ପରିବାର ଉପରେ । ଦୁଇ ଦୁଇଟି ଭେଣ୍ଡିଆ ପୁଅ, ଦୁଇ ଦୁଇଟି କୁନି ନାତୁଣୀଙ୍କୁ ହରାଇ... ମାଆର ବୁକୁଫଟା କାନ୍ଦରେ ଭିଜିଯାଉଛି ଖଣ୍ଡିଆବନ୍ଧ ଗାଁ ଦାଣ୍ଡ। ପ୍ରଶାନ୍ତ ସାହୁ, ତାଙ୍କ ଝିଅ ସମୃଦ୍ଧି, ଭାଇ ହେମନ୍ତ ସାହୁ ଓ ତାଙ୍କ ଝିଅ ପ୍ରତୀକ୍ଷା। ଗୋଟିଏ ପରିବାରର ଚାରି ଜଣଙ୍କୁ ଛଡ଼ାଇ ନେଇ, ସଂସାର ଉଜାଡ଼ି ଦେଇଛି ବାଣ ଟ୍ରାଜେଡ଼ି । ସ୍ତବ୍ଧ ହୋଇଯାଇଛି ପୁରୀ ସହର।

ଭଉଁରୀ ବେଳେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାକୁ ୪ ଦିନ ବିତିଲାଣି । ହେଲେ ଏବେ ବି ଜାରି ରହିଛି ମୃତ୍ୟୁର ତାଣ୍ଡବ। ଆଜକୁ ମିଶାଇ ଘଟଣାରେ ୧୦ରୁ ଅଧିକ ଜୀବନ ଗଲାଣି। ଏବେବି ଅନେକେ ମୃତ୍ୟୁ ସହ ସଂଘର୍ଷରତ। ଏଭଳି ସ୍ଥିତିରେ ମୃତାହତଙ୍କ ସଂପର୍କୀୟଙ୍କ ମନରେ ଗୋଟିଏ ପ୍ରଶ୍ନ, କାହା ଭୁଲ ପାଇଁ ସେମାନଙ୍କୁ ସହିବାକୁ ପଡ଼ୁଛି ଏଭଳି ଦାରୁଣ ଦୁଃଖ ?

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା, ଦେବୀଘାଟ ଦଶତୁଠ ପାଖରେ ଏତେ ବିପୁଳ ପରିମାଣର ବାଣ ଫୁଟିବା କେହି କେବେ ଦେଖିନଥିଲେ। ହେଲେ ସେଠାକୁ ୫ ରୁ ୧୦ ଲକ୍ଷ ଟଙ୍କାର ବାଣ ଗଲା କେମିତି ? ଭିଡ଼ ଭିତରକୁ ଟ୍ରଲିରେ ଲଦା ହୋଇ ଏତେ ବାଣ ଯାଉଥିଲେ ବି, ପୋଲିସ ଏହାକୁ ରୋକିଲାନି କାହିଁକି ? ଏହି ବାଣ କିଣିବା ପାଇଁ ଟଙ୍କା କିଏ ଦେଇଥିଲା ? ବାଣ ଫୁଟାଇବାକୁ କାହାର ଅନୁମତି ଥିଲା ? ସେପଟେ ଏହି ଘଟଣାରେ ଚନ୍ଦନ ଭୋଇ ଓ ମଛତ କେ. ରାଜୁ ଟ୍ରଲି ଚାଳକ ନାଁରେ ମାମଲା ରୁଜୁ କରିଛି ପୋଲିସ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି। ତେବେ ଲୋକଙ୍କ ଅଭିଯୋଗକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନା ଅନୁସାରେ, ଆସନ୍ତା ୫ ତାରିଖରେ ପୁରୀର ସ୍ପେଶାଲ ସର୍କିଟ୍ ହାଉସରେ ଘଟଣାର ତଦନ୍ତ କରିବେ SRC । ଜୁନ୍ ୫ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ତଦନ୍ତ ଚାଲିବ। ଏହି ସମୟରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଏସପି, ଆସିଷ୍ଟାଣ୍ଟ ଫାୟାର୍ ଅଫିସର, ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ଏବଂ ଅନ୍ୟ ଆଗ୍ରହୀ ବ୍ୟକ୍ତିଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ସେପଟେ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ସ୍ଥଳ ଅନୁଧ୍ୟାନ କରିବା ସହିତ, ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛି ବିଜେପି ଟିମ୍ ।

Puri Fire Tragedy
Advertisment
Advertisment