• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବସରେ ଥିବା ୧୩ ଯାତ୍ରୀ ଆହତ ହୋଇଥିବା ବେଳେ ୭ ଗୁରୁତର ଅଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ବସଟି ପର୍ଯ୍ୟଟକଙ୍କୁ ଧରି କୋଲକାତାରୁ ପୁରୀ ଆସୁଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ପ୍ରଥମେ ୧୩ ଜଣ ଯାତ୍ରୀଙ୍କୁ ନେଇ ବଡ଼ଚଣା ମେଡିକାଲ ଆଣିଥିଲା । ସେଠାରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଛି ।

ସୂଚନାଯୋଗ୍ୟ, ପ୍ରାୟ ୭ ରୁ ୮ଦିନ ତଳେ ସେହି ସ୍ଥାନରେ ଏପରି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୋଟେ ଗାଡ଼ିକୁ ପଛ ପଟରୁ ଏକ ଟ୍ରକ ବାଡ଼େଇ ଦେଇଥିଲା । ସେତେବେଳେ ଉକ୍ତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ରୁ ୧୫ ଜଣ ଆହତ ହୋଇଥିଲେ ।

ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଗତ କିଛିଦିନ ତଳେ ସମ୍ବଲପୁରରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ୩୦ ଫୁଟ ଓଭର ବ୍ରିଜ୍‌ ଉପରୁ ଖସିପଡ଼ିଥିଲା ବୋଲେରୋ । ଚାହୁଁ ଚାହୁଁ ଆଖି ବୁଜିଦେଇଥିଲେ ୨ଜଣ । ୭ଜଣ ଗୁରୁତର ହେଲେ, ୧୦ଜଣ ଆହତ ବି ହେଲେ । କାଳିଆ ଦର୍ଶନ ପାଇଁ ବାହାରିଥିଲେ, କିନ୍ତୁ ବାଟରେ ଛକି ରହିଥିବା ଯମ ।

ସମ୍ବଲପୁର ଯୁଜୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିର୍ମାଣଧିନ ବ୍ରିଜ୍‌ ଉପରୁ ବୋଲେରୋ ଖସି ଲିଭିଯାଇଥିଲା ଦୁଇ ଜଣଙ୍କ ଜୀବନ ଦୀପ । ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ସମସ୍ତ ୧୯ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିବା ପରେ ଅନ୍ୟ ୭ ଜଣ ଗୁରୁତର ଥିବା ସୂଚନା ଦେଇଥିଲେ । ପରେ ପରେ ସମସ୍ତ ଗୁରୁତର ଆହତ ଯାତ୍ରୀମାନେ ଛତିଶଗଡ଼ର ହୋଇଥିବା ସୂଚନା ମିଳିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now