• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍‌ । ଏଣେତେଣେ ଦୌଡ଼ିଲେ ଯାତ୍ରୀ । ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଲେ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ କିଏ କିଛି ବୁଝିବା ଆଗରୁ ଆଖିପିଛୁଳାକେ ମାଡ଼ି ଚାଲିଲା ।

ହାୱଡ଼ାରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ହାୱଡ଼ା ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।

ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । କିନ୍ତୁ ସର୍ଟସର୍କିଟ୍‌ରୁ ଟ୍ରେନ୍‌ରେ ନିଆଁ ଲାଗିଥିବା ଆଶଙ୍କା କରାରଯାଉଛି । ତେବେ ମୋଟ ତିନୋଟି ବଗିରେ ନିଆଁ ଲାଗିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରେଳ ବିଭାଗର ସ୍ଥାନୀୟ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । 

ନିଆଁ ଲାଗିଥିବା ଫଲକନୁମା ଏକ୍ସପ୍ରେସର ଯାତ୍ରୀ ଚାଲି ଚାଲି ଯାଇଛନ୍ତି । ଓଟିଭିକୁ ଫୋନ୍ ଯୋଗେ ଫଲକନୁମାରେ ଥିବା ଜଣେ ଯାତ୍ରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନ ଯିବା ବେଳେ ନିଆଁ ଲାଗିଥିଲା । ବୁଦୁ ବୁଦୁକିଆ ଜଙ୍ଗଲ ଅଞ୍ଚଳରେ ଯିବା ବେଳେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଟ୍ରେନ ଅଟକି ଯାଇଥିଲା, ଯାତ୍ରୀ ଓହ୍ଲାଇ ପଡ଼ିଥିଲେ । ଅତି ଅଗମ୍ୟ ଅଞ୍ଚଳ ହୋଇଥିବାରୁ ଯାତ୍ରୀମାନେ ଚାଲି ଚାଲି ଯାଇଥିଲେ । ୨/୩ କିମି ଚାଲିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ ଯାତ୍ରୀ । ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଥିଲା । ଏବେ ଯାତ୍ରୀମାନେ ବସ୍‌ ଯୋଗେ ଗନ୍ତବ୍ୟ ସ୍ଥାନକୁ ଯାଉଛନ୍ତି ।’

ଅନ୍ୟପଟେ ଫଲକନୁମା ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣାରେ ଓଟିଭିକୁ ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌ଓ ସିଏଚ୍‌ ରାକେଶ ସୂଚନା ଦେଇଛନ୍ତି ଯେ ‘୩ଟି ବଗିରେ ନିଆଁ ଲାଗିଥିଲା, ଏବେ ନିଆଁ ଲିଭା ଉଦ୍ୟମ ଚାଲିଛି । ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କି ମୃତ ହୋଇନାହାନ୍ତି । ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି । ଘଟଣା ସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍‌ ପହଞ୍ଚି ସାରିଛନ୍ତି । ନିଆଁ କିଭଳି ଲାଗିଲା ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ କହିଛନ୍ତି ସିପିଆର୍‌ଓ ।’