/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753939364.jpg)
fighter jet
ଗୁରୁବାର ଦିନ ଆମେରିକାର କେନ୍ଦ୍ରୀୟ କାଲିଫର୍ଣ୍ଣିଆରେ ଅବସ୍ଥିତ ଲେମୋର ନୌସେନା ବିମାନ ଘାଟି ନିକଟରେ ଏକ ଅତ୍ୟାଧୁନିକ F-35 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ କଳା ଧୂଆଁ ଆସ୍ତରଣ ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଘଟଣା ପରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି।
ଏୟାରବେସ୍ର ଏକ ଆନୁଷ୍ଠାନିକ ବିବୃତ୍ତି ଅନୁଯାୟୀ, ବିମାନରୁ ପାଇଲଟ ମାନଙ୍କୁ ସଫଳତାର ସହ ବାହାର କରାଯାଇଥିଲା ଏବଂ ତାଙ୍କୁ କୌଣସି ଆଘାତ ଲାଗି ନାହିଁ। ଆଉ କେହି ପ୍ରଭାବିତ ହୋଇ ନାହାନ୍ତି। ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୪:୩୦ରେ ଘଟିଥିଲା। VFA-125 ‘ରଫ୍ ରାଇଡର୍ସ’ ର ବିମାନ F-35C ଲେମୋର ନୌସେନା ବିମାନ ଘାଟିର ନିକଟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ଲେମୋର ନୌସେନା ବିମାନ ଘାଟି କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରଠାରୁ ପ୍ରାୟ ୬୪ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ଲେମୁରରେ ଅବସ୍ଥିତ ଏହି ଏୟାରବେସ ଆମେରିକାର ନୌସେନାର ସବୁଠାରୁ ବଡ଼ ଜେଟ ବେସ ଅଟେ, ଯେଉଁଠାରେ F-35 ପରି ଅନେକ ଦ୍ରୁତ ଯୁଦ୍ଧ ବିମାନ ମୁତୟନ କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ତଦନ୍ତ କରାଯାଉଛି।
ଷ୍ଟେଲ୍ଥ ଫାଇଟର ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ଯୁଦ୍ଧବିମାନଗୁଡିକ ମଧ୍ୟରୁ ଗୋଟିଏ ଏବଂ ଏହାର ମୂଲ୍ୟ ପ୍ରାୟ ୧୧୫ ନିୟୁତ ଡଲାର। F-35 ହେଉଛି ଆମେରିକାର ପ୍ରତିରକ୍ଷା କମ୍ପାନୀ ଲକହିଡ ମାର୍ଟିନ ଦ୍ୱାରା ବିକଶିତ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ମଲ୍ଟିରୋଲ ଯୁଦ୍ଧବିମାନ। ଏହା ଶତ୍ରୁ ପକ୍ଷର ବିମାନକୁ ଆକାଶ ଓ ଭୁମିରେ ମଧ୍ୟ ପ୍ରତିହତ କରି ପାରିବ।
ନିକଟରେ ଖରାପ ପାଗ ଏବଂ କମ ଇନ୍ଧନ ଯୋଗୁଁ ବ୍ରିଟିଶ ରୟାଲ ନେଭିର ଏକ F-35B ଭାରିଆଣ୍ଟ ଯୁଦ୍ଧ ବିମାନ କେରଳରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ବିମାନଟି ତିରୁଅନନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ମାସରୁ ଅଧିକ ସମୟ ଧରି ରହିଥିଲା, ଯାହାକୁ ବ୍ରିଟିଶ ଟେକ୍ନିକାଲ ଟିମ ଦ୍ୱାରା ମରାମତି କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)