• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଘଟଗାଁ ତାରିଣୀ ଦର୍ଶନ ପୂର୍ବରୁ ଭୟାବହ ଦୁର୍ଘଟଣାରେ ଚାଲିଯାଇଛି ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଦୁଇ ସଙ୍ଗାତ ପରିବାରର ୮ ଜଣଙ୍କ ଜୀବନ। ସବୁଠୁ ବଡ଼ କଥା ହେଉଛି, ମୃତକଙ୍କ ଭିତରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାରର ୩ ଜଣ ସଦସ୍ୟ ଅଛନ୍ତି। ଗଲା ଜୁନ୍ ମାସରେ ମଧ୍ୟ ଅନ୍ୟ ଏକ ଦୁର୍ଘଟଣାରେ ରେଣୁବାଳାଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୫ ମାସ ନପୂରୁଣୁ ଗୋଟିଏ ପରିବାରର ଏ ଦୁଇ ଦୁଇଟି ଘଟଣାକୁ ସ୍ତବ୍ଧ ସ୍ଥାନୀୟ ଅଞ୍ଚଳବାସୀ।

ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା। ଘଟଣାସ୍ଥଳର ଏଇ ଦୃଶ୍ୟରୁ ଅନୁମାନ କରନ୍ତୁ କେମିତି ହୋଇଥିବ ଦୁର୍ଘଟଣା। ଭୋର ସମୟ। ଡ୍ରାଇଭର ଛଡ଼ା ଗଞ୍ଜାମ ପୁଡ଼ାମାରି ଓ ବତାଗଡ ଗାଁର ଦୁଇଟି ପରିବାରର ୨୦ ଜଣଙ୍କୁ ଧରି ତାରିଣୀ ଦର୍ଶନ ପାଇଁ ଏନଏଚ୍ ୨୦ରେ ଆସୁଥିବା ଏ ଗାଡ଼ିଟି କେନ୍ଦୁଝର ବାଲିଯୋଡ଼ି ଠାରେ ବ୍ରେକ୍ ଡାଉନ୍ ହୋଇ ଠିଆ ହୋଇଥିବା ମାଲ୍ ବୋଝେଇ ଟ୍ରକକୁ ପଛ ପଟକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଭ୍ୟାନର ଆଗପଛ ପୂରା ଚୁରମାର ହୋଇଯିବା ସହ ଅଧିକାଂଶ ରାସ୍ତାର ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ୧୨ ଜଣଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୧୧ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଡ୍ରାଇଭର ଆତ୍ମ ସମର୍ପଣ କରିଛି। ତେବେ କେଉଁଥି ପାଇଁ ଦୁର୍ଘଟଣା ଘଟିଲା ? ରାସ୍ତାରେ ଯମ ଦୂତ ଭଳି ଟ୍ରକଟି କାହିଁକି ଠିଆ ହୋଇଥିଲା ? ଟ୍ରକ୍ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ପୋଲିସ ତଦନ୍ତ କରୁଥିବା ବେଳେ, ଡ୍ରାଇଭର ଏଥିପାଇଁ କୁହୁଡ଼ିକୁ ଦାୟୀ କରିଥିବା ପୋଲିସ୍ କହିଛି।

ଏ ଭୟଙ୍କର ଦୁର୍ଘଟଣାରେ ଉଜୁଡ଼ି ଯାଇଛି ପୁଡ଼ାମାରିର ଗଜେନ୍ଦ୍ର ପ୍ରଧାନ ଓ ବତାଗଡ଼ ଗାଁର ବାୟାଘନ ଗୌଡ଼ଙ୍କର ଦୁଇ ପରିବାର। ସବୁଠୁ ହୃଦୟ ବିଦାରକ କାହାଣୀଟି ହେଉଛି ମୃତକଙ୍କ ଭିତରୁ ତିନିଜଣ ହେଉଛନ୍ତି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାରର ସଦସ୍ୟ। ଯେଉଁ ପରିବାର ଗତ ଜୁନ ମାସରେ ଖେମୁଣ୍ଡି କଲେଜ୍ ନିକଟ ଭୟଙ୍କର ବସ୍ ଦୁର୍ଘଟଣାରେ ୧୦ ଜଣ ପରିବାର ସଦସ୍ୟଙ୍କୁ ହରାଇଥିଲା, ସେଇ ପରିବାର ଉପରେ ପୁଣି ଛିଡ଼ିପଡ଼ିଛି ଦୁଃଖର ପାହାଡ଼। ସେତେବେଳେ ରେଣୁବାଳାଙ୍କ ଜଣେ ଦିଅର ଅଶୋକ ପ୍ରଧାନଙ୍କ ଝିଅ ବାହାଘର ପରେ କନ୍ୟାବିଦା ସମୟରେ ଦୁର୍ଘଟଣା ଘଟିଥିଲା। ଆଉ ଏବେ ତୀର୍ଥ ଯାତ୍ରା ପାଇଁ ଯାଉଥିବା ବେଳେ ଦିଅର ଗଜେନ୍ଦ୍ର ପ୍ରଧାନଙ୍କ ପରିବାରରୁ ତାଙ୍କ ପତ୍ନୀ ମିତା ଓ ପୁଅ ଆକାଶ ଓ ବୋହୂ ଲିଜାଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର। ଦଇବ କାହିଁକି ଯେ ଏମିତି ଦାଉ ସାଧୁଛି, ବୁଝି ପାରୁନାହାନ୍ତି କେହି କିଛି।

ଗଜେନ୍ଦ୍ରଙ୍କ ପୁଅ ଆକାଶ ଓ ବାୟାଘନଙ୍କ ପୁଅ ମଦନ ଦୁଇ ସାଙ୍ଗ। ତେଣୁ ମିଳିମିଶି ତୀର୍ଥ କରି ବାହାରିଥିଲେ ଏ ଦୁଇ ପରିବାର। ଆଗ ତାରିଣୀ ଦର୍ଶନ କରିଥାନ୍ତେ, ତା ପରେ ପୁରୀ ଜଗା ଦର୍ଶନ କରିଥାନ୍ତେ। ହେଲେ ବିହି କିନ୍ତୁ ଚାହିଁଲାନି। ଦୁର୍ଘଟଣା ଖବର ପରଠୁ ବାୟାଘନଙ୍କ ପରିବାର ସହ ପୁରା ଗାଁରେ ଶୋକର ଛାଇ। କାହାରି ଘରେ ଚୁଲି ଜଳୁନି କାହିଁକିନା, ଦୁର୍ଘଟଣାରେ ବାୟାଘନଙ୍କ ସହ ପୁଅ ମଦନ, ଭଉଣୀ, ଜ୍ବାଇଁ ଓ ଛୋଟ ନାତିର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତକଙ୍କ ପିଛା ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଦେବାକୁ ସରକାର ଘୋଷଣା କରିଥିଲା ବେଳେ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଆହତଙ୍କ ଚିକିତ୍ସା ଚାଲିଛି।