• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜୀବିତ ଅଛନ୍ତି ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍‌ । ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ପ୍ରେସମିଟ କରି କହିଲେ ମେଡ଼ିକାଲ କର୍ତ୍ତୃପକ୍ଷ । ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି ବୋଲି ସୂଚନା ।

ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲ୍ଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା ଏବଂ ଦିଲ୍ଲୀପ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି ।

ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ଯାହାଙ୍କର ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି । ବର୍ତ୍ତମାନ ସେ ହିଁ ଦିଲ୍ଲୀପ ସାମନ୍ତରାୟ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରେସମିଟରେ କହିଛନ୍ତି ।

ତେବେ ଏସବୁ ଦ୍ୱନ୍ଦ୍ୱ ଭିତରେ ଅତି ଉଦବେଗଜନକ କଥା ହେଉଛି, ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ କିଛି ଦିନ ତଳେ ଆତ୍ମହତ୍ୟା କରି ସାରିଛନ୍ତି । ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା ।

ଏଥିରେ ଏଯାବତ୍ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ହାଇଟେକ୍ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଯେଉଁ କର୍ମଚାରୀ ଆହତ ମାନଙ୍କୁ ଉଦ୍ଧାର କରି ଆଣିଥିଲେ, ସେ ହିଁ ସେମାନଙ୍କ ନାଁ ଚିହ୍ନଟ କରିଥିଲେ ।

ହସ୍ପିଟାଲ ପକ୍ଷରୁ କେବଳ ଚିକିତ୍ସା କରାଯାଇଛି ଏବଂ ସମସ୍ତ ପ୍ରଟୋକଲର ଅନୁପାଳନ ହୋଇଛି । ତେବେ ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀ କହିଛନ୍ତି ଯେ, ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀଙ୍କ ନାଁ କହିଥିଲେ । କାହାର ନାଁ କଣ, ସେ ଚିହ୍ନଟ କରିନଥିଲେ ।

ସେପଟେ ଘଟଣା ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଓ ଶ୍ୱଶୂର ଘର । କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚିଥାଉ ଥାଉ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଏଭଳି ଚାଞ୍ଚଲ୍ୟକର, ଚିନ୍ତାଜନକ, ଦୁଃଖଦ ଓ ଉଦବେଗଜନକ ଖବର ସାମ୍ନାକୁ ଆସିବା ପରେ, ଉଠୁଛି ଅନେକ ପ୍ରଶ୍ନ । ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ? କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?

ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ? କାହା ଭୁଲ୍ ପାଇଁ ଅକାରଣରେ ଚାଲିଗଲା ଆଉ ଗୋଟିଏ ଜୀବନ ? ନଷ୍ଟ ହୋଇଗଲା ପୁରା ପରିବାର .. ଦିଲ୍ଲୀପ ସାମନ୍ତରାୟଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ହସ୍ପିଟାଲ କର୍ତ୍ତୃପକ୍ଷ, ଆଉଟସୋର୍ସିଂ ଏଜେନ୍ସି ନା ପରିବାରବର୍ଗ ? ଯଦି ମୃତଦେହ ଚିହ୍ନଟ ହୋଇପାରୁନଥିଲା, ଡିଏନଏ ଟେଷ୍ଟ କରାଗଲାନି କାହିଁକି ? ପୋଲିସ ତଦନ୍ତରୁ ହେଲେ ହୁଏତ ସବୁ କଥା ପଦାକୁ ଆସିବ ।