Advertisment

ବାହାବେଦୀ ପାଖରେ ଆଜି ବନ୍ଧା କୋକେଇ

ଲୁହରେ ଭିଜିଲା ଖଣ୍ଡଦେଉଳି ଗାଁ, ଏକାଠି ଜଳିଲା ୩ ଜୁଇ । ଅକସ୍ମାତ୍ ଅଫେରା ରାଇଜର ପଥିକ ହୋଇଗଲେ ୧୧ ଆତ୍ମିୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Bus Tragedy

କାଲି ଯେଉଁ ଶୁଭ ବେଦୀ ବର-କନିଆଁଙ୍କୁ ଦାଂପତ୍ୟ ଜୀବନର ନୂଆ ରଜ୍ଜୁରେ ବାନ୍ଧିଥିଲା ଆଜି ସେଇ ବେଦୀ ପାଖେ ବନ୍ଧା ଚାଲିଛି ଆତ୍ମିୟଙ୍କୁ ଅଲଗା କରିବାର କୋକେଇ । ଝିଅ ବାହାଘରକୁ ନେଇ କାଲି ଯେଉଁ ଘର ଆଗରେ ସରାଗର ସମ୍ଭାର ଥିଲା, ଆଜି ସେଠି ଛାଇ ଯାଇଛି ଅସରନ୍ତି ଲୁହ ଓ କୋହ ସାଙ୍ଗକୁ ପ୍ରଚଣ୍ଡ ନୀରବତା । ଗତକାଲି ରାତିରେ ମର୍ମନ୍ତୁଦ ଦିଗପହଣ୍ଡି ବସ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଗାଁ ଗଂଜାମ ଖଣ୍ଡଦେଉଳି ଯେମିତି ଆଜି ଅବାକ୍, ଆଚମ୍ବିତ।

Advertisment

ବାହାଘର ବେଳେ ବେଦୀରେ କନ୍ୟା ସୋନାଲି-ବର ଉମେଶଙ୍କ ହାତଗଣ୍ଠି ଫିଟାଇଥିଲେ ସୋନାଲିଙ୍କ ସାନ ଭଉଣୀ ରୂପାଲି। କେତେ ଖୁସିର ମୁହୂର୍ତ୍ତ ଥିଲା । ହେଲେ କହିବାକୁ କଷ୍ଟ ଲାଗୁଛି ଯେ, ବଡ଼ ଭଉଣୀଙ୍କ ହାତ ଗଣ୍ଠି ଫିଟାଇବାର ମାତ୍ର କେଇ ଘଣ୍ଟା ପରେ ଯେମିତି ସଂପର୍କର ଗଣ୍ଠିକୁ ହଠାତ୍ ଫିଟାଇ ସବୁଦିନ ପାଇଁ ଅଫେରା ରାଇଜର ବାଟୋଇ ହୋଇଗଲେ ରୂପାଲି। ଏବେ କେବଳ ଯାହା, ଚିତ୍ରରେ କଏଦ ହୋଇ ରହିଛି ତାଙ୍କ ହସ ହସ ମୁହଁ।

ଏପଟେ ଘଡ଼ିକି ଘଡ଼ି ଚେତାଶୂନ୍ୟ ସହ ବାସ୍ପରୁଦ୍ଧ ହୋଇ ବାହୁନି ବାହୁନି କାନ୍ଦୁଛି ଜଣେ ହତଭାଗିନୀ ମାଆ । ସେ ହେଲେ ଗତକାଲି ଗୋଟିଏ ଝିଅକୁ ବାହା ଦେଇ ଆଉ ଗୋଟିଏ ଝିଅକୁ ସବୁଦିନ ପାଇଁ ହରାଇ ଦେଇଥିବା ଖଣ୍ଡଦେଉଳି ଗାଁର ସ୍ୱର୍ଗତ ଅଶୋକ ପ୍ରଧାନଙ୍କ ପତ୍ନୀ।

Advertisment

ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ଜଣେ ଦିଅର ସ୍ୱର୍ଗତ ଅଶୋକ ପ୍ରଧାନଙ୍କ ମଝିଆଁ ଝିଅ ସୋନାଲିଙ୍କର ଗତକାଲି ବାହାଘର ଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଝିଅ ବିଦା ହେବା ପରେ, ସଜ ଭାର ନେଇ ପଛରେ ଏକ ବସ୍‌ରେ ଯାଇଥିଲେ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ବ୍ରହ୍ମପୁରରୁ ଭୋଜି ଖାଇ ହସଖୁସିରେ ରାତିରେ ଫେରୁଥିବାବେଳେ ବାଟରେ ଛକି ବସିଥିଲା ଅକାଳ ମୃତ୍ୟୁ। ଭୟଙ୍କର ବସ୍ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି ରେଣୁବାଳାଙ୍କ ଆଉ ଜଣେ ଦିଅର, ଦାଦା ଶ୍ୱଶୁର, ନଣନ୍ଦେଇ, ଝିଆରି ଓ ୨ଟି କୁନି କୁନି ନାତି। ମୃତକଙ୍କ ମଧ୍ୟରୁ ଖଣ୍ଡଦେଉଳିକୁ ୪ଟି ଆସିଥିବା ବେଳେ ବାକି ସବୁ ଭଂଜନଗର ମୁଜାଗଡ଼ ଗାଁକୁ ଯାଇଛି।

ମୃତ୍ୟୁ କେତେବେଳେ ଓ କେମିତି ଛକି ବସିଥାଏ, ସେ କଥା ଯେମିତି ବୁଝିବାକୁ ବାକି ନାହିଁ ଖଣ୍ଡଦେଉଳି ବସ୍ ଟ୍ରାଜେଡି ଘଟଣାରୁ । ସମବେଦନା ଜଣାଇବାକୁ ଖଣ୍ଡଦେଉଳିକୁ ରାଜନେତାଙ୍କ ସୁଅ ଛୁଟିଥିବା ବେଳେ ଗାଁ ଶ୍ମଶାନରେ ଏକାଥରେ ଜଳିଛି ୩ ଜୁଇ ।

Bus Accident
Advertisment
Advertisment