• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜପଥରେ ଛିଡ଼ା ହୋଇ ମରଣକୁ ହାତଠାରି ଡାକୁଛି ବେଆଇନ ପାର୍କିଂ ବ୍ୟବସ୍ଥା । ରାଜରାସ୍ତାର ଉଭୟ କଡ଼ରେ ଛିଡ଼ା ହେଉଥିବା ମାଳ ମାଳ ଭାରିଯାନ ଯୋଗୁ ରାତି ତ ରାତି, ଦିନରେ ବି ଭୟଙ୍କର ଦୁର୍ଘଟଣା ଘଟୁଛି । ବିଶେଷ କରି ଯାଜପୁର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଉଦବେଗଜନକ ହାରରେ ବଢୁଛି ଦୁର୍ଘଟଣା । ଖାଲି ଭାରିଯାନ ନୁହେଁ, ବୁଲା ଗାଈଗୋରୁଙ୍କ ଗୋଠ ବି ସାଜିଛି ମହାବିପଦ ।

ସାବଧାନ୍ ! ରକ୍ତ ପିଉଛି ୧୬ ନମ୍ବର NH...ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ...ବେଆଇନ ଭାବେ ରାସ୍ତା କଡ଼ରେ ମାଳ ମାଳ ଭାରିଯାନ ପାର୍କିଂ ହାତଠାରି ଡାକୁଛି ମରଣ ଯନ୍ତାକୁ । ଯାଜପୁର ଜାରକା ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ଜୀବନ ଯାଇଛି । ୨ ଜଣ ଗୁରୁତର ଆହତ ହୋଇଥିବାବେଳେ ସୌଭାଗ୍ୟକୁ ବହୁ ଲୋକ ବର୍ତ୍ତିଯାଇଛନ୍ତି । କୁହାଯାଉଛି, ବାରିପଦାରୁ ଭୁବନେଶ୍ୱର ଆସୁଥିବା ଏହି ଯାତ୍ରୀବାହୀ ବସ୍ ଏନଏଚ୍-୧୬ର ଜାରକା ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଥିଲା । ଅର୍ଥାତ ବେଆଇନ ପାର୍କିଂର ପରିଣାମ ସ୍ବରୂପ ଘଟିଗଲା ଦୁର୍ଘଟଣା ।

୧୬ ନମ୍ବର ଏନଏଚରେ ଏଭଳି ପାର୍କିଂ କଥା ଉଠିଲା ବେଳକୁ ସାମ୍ନାକୁ ଚାଲିଆସୁଛି ଭୁବନେଶ୍ବର-ବ୍ରହ୍ମପୁର ରାସ୍ତାର କଥା । ତୋଟାପଡ଼ା ଛକର ରାସ୍ତାର ଉଭୟ ପାର୍ଶ୍ବରେ ମାଳ ମାଳ ମାଲ୍ ବୋଝେଇ ଟ୍ରକ । NHକୁ ଅବରୋଧ କରି ରଖିଛନ୍ତି, ହଠାତ୍ ମଝି ରାସ୍ତାକୁ ଚାଲି ଆସୁଛନ୍ତି। ଫଳରେ ଦୁର୍ଘଟଣାର ସାମ୍ନା କରୁଛନ୍ତି କାର୍ ଏବଂ ବାଇକ୍ ଚାଳକ । ତେବେ କାହିଁକି ଏଭଳି ପାର୍କିଂ କରୁଛନ୍ତି, ପଚାରିଲେ ନାନା ଆଳ ଦେଖାଉଛନ୍ତି ଗାଡ଼ି ଚାଳକ ।

ଏ ତ ଗଲା ଯାନବାହନ କଥା। ଖୋର୍ଦ୍ଧା ଅଞ୍ଚଳର NH-16 ଉପରେ ମହାବିପଦ ଟାଣି ଆଣୁଛି ଗୋରୁଗାଈଙ୍କ ଅବାଧ ବିଚରଣ । ଗୋଟିଏ ଯୋଡ଼ିଏ ନୁହେଁ, ମାଳ ମାଳ ଗାଈ ଗୋରୁ ପଡ଼ିରହୁଛନ୍ତି ଦିନ-ରାତି । ଦେଖିଲେ ଲାଗୁଛି ସତେଯେମିତି ରାଜପଥ ପାଲଟିଯାଇଛି ଗାଈ ଗୁହାଳ । ଏଭଳି ବେଆଇନ ପାର୍କିଂ ହଟାଇବା ସହ ରାଜରାସ୍ତା ଉପରୁ ଗୋରୁଗାଈଙ୍କୁ ହଟାଯିବା ଉପରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ।

୨୦୨୩, ଫେବ୍ରୁୟାରୀ। ୧୬ ନମ୍ବର ଏନଏଚ୍ ଚଣ୍ଡୀଖୋଲ ନିକଟରେ ଛିଡ଼ା ହୋଇଥିବା ଆଇରନ୍ ବୋଝେଇ ଟ୍ରକକୁ ପିଟିଥିଲା ଆଉ ଏକ ଟ୍ରକ୍। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପରିବହନ ବିଭାଗ ତଥ୍ୟ କହୁଛି, ରାଜପଥ ଉପରେ ରାଜ୍ୟରେ ୨୦୨୨ରେ ମୋଟ୍ ୪ହଜାର ୩୧୭ଟି ଦୁର୍ଘଟଣା ଘଟିଥିବାବେଳେ ୨ ହଜାର ୪୩ ଜଣଙ୍କ ପ୍ରାଣହାନୀ ହୋଇଛି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣଙ୍କ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି । ଆଉ ଏଭଳି ଦୁର୍ଘଟଣା ପଛରେ ବେଆଇନ ପାର୍କିଂ ସାଜିଛି ଅନ୍ୟତମ ମୁଖ୍ୟ କାରଣ।

  • Reported by:
  • BALRAM LENKA

OTV is now on Whatsapp

Join and get latest news update delivered to you via whatsapp

Join Now