• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଟକ ତ୍ରିଶା ହସ୍ପିଟାଲରେ କେମିତି ଲାଗିଲା ନିଆଁ । ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ରୋଗୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ କଟକରେ ଘରୋଇ ନର୍ସିଂହୋମ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ତ୍ରିଶା ହସ୍ପିଲାଟରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଭାବେ ଲିଭି ସାରିଛି । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ଆଇସିୟୁରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ରୋଗୀଙ୍କ ମଧ୍ୟରେ ୧୨ ଜଣ ନବଜାତ ରହିଛନ୍ତି ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ହଠାତ୍ ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା । ଏକଥା ଜଣାପଡିବା ପରେ ଆରମ୍ଭ ହୋଇଥିଲା ଧାଁ ଦୌଡ଼ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ । ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ସିଡ଼ି ଲଗାଇ ଉଦ୍ଧାର କରାଯାଇଥିଲା । ଉଦ୍ଧାର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ତେବେ ଆମ୍ବୁଲାନ୍ସ ଅଭାବ ପାଇଁ ରାସ୍ତା ଉପରେ ଅନେକ ଗୁରୁତର ରୋଗୀ ବେଶ କିଛି ସମୟ ରହିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସଂପର୍କରେ ତ୍ରିଶା ହସ୍ପିଟାଲ ମ୍ୟାନେଜର ଜ୍ଞାନେନ୍ଦ୍ର ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଇସିୟୁରେ ଆଦୌ ନିଆଁ ଲାଗିନାହିଁ । ଅଫିସ୍‌ ରୁମ୍‌ରେ ସର୍ଟସର୍କିଟ ପରେ ସବୁଆଡ଼େ ଧୂଆଁ ବ୍ୟାପିଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଧୂଆଁକୁ ବାହାର କରିଦେଇଥିଲେ । ଆଇସିୟୁରେ ଥିବା ରୋଗୀଙ୍କୁ ଆମ୍ବୁଲାନ୍ସରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଛି ବୋଲି କହିଛନ୍ତି ତ୍ରିଶା ହସ୍ପିଟାଲ ମ୍ୟାନେଜର ।

OTV is now on Whatsapp

Join and get latest news update delivered to you via whatsapp

Join Now