• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ ଚୌଧୁରୀ ବଜାର ଶାଢ଼ି ସୋ’ ରୁମ୍ ଅଗ୍ନିକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ । ବର୍ଷ ବର୍ଷ ଧରି ବିନା କୌଣସି ଅଗ୍ନି ନିରପତ୍ତା ବ୍ୟବସ୍ଥାରେ ଚାଲିଥିଲା ଏହି ବିରାଟ ବ୍ୟବସାୟିକ ପ୍ରତିଷ୍ଠାନ । ଖାଲି ଏତିକି ନୁହେଁ, ଏଥିପାଇଁ କୌଣସି ଆବେଦନ ବି ହୋଇନଥିଲା । ସେପଟେ ପାର୍ବଣ ଋତୁରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ପାଉଁଶ ଗଦା ପାଲଟିବା ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ଦିନକ ତଳେ ଚିକିମିକି ଶାଢ଼ିରେ ଚମକୁଥିବା ଏହି ଲୁଗା ସୋ’ ରୁମ୍ ଏବେ ପୋଡ଼ି କଳାକାଠ । ଦିନକ ତଳେ ଯାହାକୁ ଗ୍ରାହକ ମନଖୁସିରେ ଭଲ ଦରରେ କିଣି ନେଇଥାନ୍ତେ, ଏବେ ସେସବୁ ପାଉଁଶ ପାଲଟିବା ପରେ ଲଦା ଚାଲିଛି ଟ୍ରାକ୍ଟର ଡାଲାରେ । କଟକ ଚୌଧୁରୀ ବଜାରର ବିରାଟ ଶାଢ଼ି ଦୋକାନକୁ ଗତକାଲି ନିଆଁ ସମ୍ପୂର୍ଣ୍ଣ ଛାରଖାର କରିଦେଇଥିବା ବେଳେ, ଆଜି ସାମ୍ନାକୁ ଆସିଛି ଆହୁରି ଚାଞ୍ଚଲ୍ୟକର ଓ ଉଦବେଗଜନକ ସତ । ବେଆଇନ ଭାବେ ଚାଲିଥିଲା ଚୌଧୁରୀ ବଜାରର ଏଇ ଶାଢ଼ି ସୋ' ରୁମ୍ !

୪ ମହଲା କୋଠାରେ ନଥିଲା କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ! ବର୍ଷ ବର୍ଷ ଧରି ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ହେଉଥିଲା ବେପାର ! ଗତକାଲିର ଅଗ୍ନିକାଣ୍ଡ ପରେ, ଆଜି ଶାଢ଼ୀ ଦୋକାନରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ୱରେ ଏକ ଟିମ୍ ସରଜମିନ୍ ତଦନ୍ତ କରିଥିବା ବେଳେ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି । ତେବେ ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ଏବଂ ଏଥିପାଇଁ କୌଣସି ଆବେଦନ ମଧ୍ୟ ହୋଇନଥିଲା ବୋଲି କହିଛନ୍ତି ଡେପୁଟି ଫାୟାର ଅଫିସର ।

ଉଭୟ ଘର ମାଲିକ ଏବଂ ବ୍ୟବସାୟୀ ଏଥିପାଇଁ ଦାୟୀ ହୋଇଥିବାରୁ, ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ବିଲଡିଂ ପ୍ଲାନ୍ ଓ ପରମିସନ ସହ ଟ୍ରେଡ୍ ଲାଇସେନ୍ସ ଅଛି କି ନାହିଁ, ସେଦିଗରେ ବି ତଦନ୍ତ ହେବ ବୋଲି କହିଛନ୍ତି ସିଏମସି ମେୟର ।

ଦଶହରା ଓ ଦୀପାବଳି ପାଇଁ ସୋ’ ରୁମରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ରଖିଥିଲେ ମାଲିକ । ସୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ ଥିବାବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ତେବେ ଆଖିପିଛୁଳାକେ ସବୁକିଛି ପାଉଁଶ ଗଦାରେ ପରିଣତ ହେବା ପରେ, ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ । ସଲାସର ନିକଟରେ ଥିବା ଏକ ଛୋଟ ଶାଢ଼ୀ ଦୋକାନ ବି ସମ୍ପୂର୍ଣ୍ଣ ଜଳିଯାଇଛି । ଦୋକାନର ଇନସୁରାନ୍ସ ନଥିବାରୁ ପାର୍ବଣ ଋତୁରେ କଣ କରିବୁ ଓ କର୍ମଚାରୀଙ୍କୁ କେମିତି ଦରମା ଦେବୁ ବୋଲି ବ୍ୟବସାୟୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

କେବଳ ଚୌଧୁରୀ ବଜାର ନୁହେଁ, କଟକ ସହରର ଝୋଲାସାହି, ନନ୍ଦିସାହି, ହରିପୁର ଦୋଳମୁଣ୍ଡାଇ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବି ରହିଛି ଅନେକ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ । ତେବେ ସେସବୁର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି ତ ? ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି ।

  • Reported by:
  • DEBASHISH MOHANTY