Advertisment

Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।

author-image
Satyendu Shekher Mishra
undefined

Train Tragedy

ଲୋମଟାଙ୍କୁରା ବାହାନଗା ରେଳ ଦୁର୍ଘଟଣାର ୫ ଦିନ ପରେ ଏଯାଏଁ ବି ବହୁ ମୃତଦେହକୁ ଚିହ୍ନଟ କରାଯାଇ ପାରିନି । ତାର କାରଣ, ସେଗୁଡିକ ଏତେ ମାତ୍ରାରେ କ୍ଷତବିକ୍ଷତ ହୋଇଛି, ଚିହ୍ନିବା ଅବସ୍ଥାରେ ହିଁ ନାହିଁ । ହେଲେ ଏ ଭୟାବହ ଦୁର୍ଘଟଣାରେ ପ୍ରାୟ ୪୦ଟି ମୃତଦେହ ଏମିତି ବି ଉଦ୍ଧାର ହୋଇଛି, ଯେଉଁମାନଙ୍କ ଶରୀରରେ ଟିକିଏ ବି କ୍ଷତଚିହ୍ନ ନାହିଁ । ତାହେଲେ କ'ଣ ହୋଇଥାଇ ପାରେ ସେମାନଙ୍କ ମୃତ୍ୟୁର କାରଣ ?

Advertisment

ଶରୀରରେ ନା କ୍ଷତ ଚିହ୍ନ ଥିଲା ନା କେଉଁଠି ବି ଥିଲା ଟିକିଏ ବି ରକ୍ତର ଦାଗ । ତଥାପି ପିଣ୍ଡରେ ପ୍ରାଣ ନଥିଲା । ହଁ ଆପଣ ଠିକ୍ ଶୁଣିଛନ୍ତି । ଗୋଟିଏ କି ଦୁଇଟି ନୁହେଁ, ଭୟାବହ ବାହାନଗା ରେଳ ଦୁର୍ଘଟଣା ପରେ କରମଣ୍ଡଳ ଏକ୍ସପ୍ରେସର କିଛି ବଗିରୁ ଉଦ୍ଧାର କରାଯାଇଥିବା ବହୁ ଯାତ୍ରୀଙ୍କ ସହ ଠିକ୍ ଏୟା ହିଁ ଘଟିଥିଲା । ହେଲେ କଣ ତାର କାରଣ ? କୁହାଯାଉଛି ବିଦ୍ୟୁତ୍ ଆଘାତ ହିଁ ଏହାର କାରଣ ହୋଇପାରେ । ସେ ସମୟରେ ସ୍ଥାନୀୟ ଉଦ୍ଧାରକାରୀଙ୍କ ସମେତ OFDRAର ଯବାନ ବି ଏଇ ଆଶଙ୍କା କରିଛନ୍ତି । ଅନେକ ମୃତ ଶରୀରରେ କିଛି ବି କ୍ଷତ ଚିହ୍ନ ନଥିଲା। କିଛି ଶରୀରରେ କ୍ଷତ ଚିହ୍ନ ନଥାଇ ବି ପୁରା କଳା ପଡ଼ିଯାଇଥିଲା, ଏବଂ କିଛି ଶରୀରରେ ପୋଷାକ ବି ପୋଡ଼ି ଯାଇଥିବା କହିଛନ୍ତି ଉଦ୍ଧାରକାରୀ ଅଗ୍ନଶମ ଟିମର ସଦସ୍ୟ ।

ଘଣ୍ଟାପ୍ରତି ୧୨୮ ସ୍ପିଡରେ ଥିବା କରମଣ୍ଡଳ ଏକ୍ସପ୍ରେସ୍‌ଟି ଲୁପ୍ ଲାଇନରେ ଥିବା ମାଲବାହୀ ଟ୍ରେନରେ ଧକ୍କା ଦେଇଥିଲା । ଆଉ ତାପରର ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ପ୍ରଚଣ୍ଡ ବେଗରେ ଧକ୍କା ହେବା କ୍ଷଣି ଦିଆସିଲି ଖୋଳ ଭଳି କିଛି ବଗି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। କିଛି ବଗି ଡେଇଁ କଚାଡ଼ି ହୋଇ ସଂପୂର୍ଣ୍ଣ ଓଲଟି ପଡ଼ିଥିଲା। ଏସବୁ ଭିତରେ ବହୁ ବିଦ୍ୟୁତ୍ ଖୁଣ୍ଟ ମୋଡି ଉପୁଡ଼ି ପଡ଼ିଥିଲା। ଏଲ.ଟି ଲାଇନ୍ ଏଣେ ତେଣେ ଛିଡ଼ି ପଡିଥିଲା।

Advertisment

ତେଣୁ ଏହି କାରଣରୁ କିଛି କମ୍ପାର୍ଟମେଣ୍ଟ ଉପରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ବହୁଯାତ୍ରୀ ସଂଗେ ସଂଗେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଜିଆରପି ପକ୍ଷରୁ ଦାଖଲ ଏଫ୍ଆଇଆର ବି ଏହା ସ୍ପଷ୍ଟ କରିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଶରୀରରେ କ୍ଷତ ଚିହ୍ନ ନଥିବା ଏମିତି ପାଖାପାଖି ୪୦ ମୃତଦେହକୁ ସେମାନେ ଦେଖିଛନ୍ତି । ଅର୍ଥାତ ଏମାନେ ସମସ୍ତେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଅନୁମାନ କରାଯାଉଛି । ବିଶେଷଜ୍ଞ ମଧ୍ୟ କହିଛନ୍ତି ଓଭରହେଡ କେବୁଲ ବଗିର ଯେଉଁ ଯେଉଁ ସ୍ଥାନକୁ ଛୁଇଁଛି, ସେଇ ସ୍ଥାନରେ ଥିବା ଯାତ୍ରୀଙ୍କର ବିଦ୍ୟୁତ୍ ଆଘାତ କାରଣରୁ ମୃତ୍ୟୁ ହୋଇଥାଇ ପାରେ ।

Train Accident
Advertisment
Advertisment