/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688059541.jpg)
crocodile attack
ପୁଣି କୁମ୍ଭୀର ନେଲା ଜୀବନ। କାଳ ହେଲା ବ୍ରାହ୍ମଣୀରେ ଗୋଧୋଇବା। ଆଜି ଭୋର ୫ଟା ବେଳେ କେନ୍ଦ୍ରାପଡ଼ା ଘାଗରା ପଞ୍ଚାୟତ ଘାଗରାଡିଆ ଗାଁର ଗଙ୍ଗାଧର ତରାଇ ସବୁଦିନ ଭଳି ନିତ୍ୟକର୍ମ ପାଇଁ ଯାଇଥିଲେ ବ୍ରାହ୍ମଣୀ ନଦୀକୁ। ସେହି ସମୟରେ ଏହି ୬୩ ବର୍ଷିୟ ବ୍ୟକ୍ତିଙ୍କୁ ଟାଣି ନେଇଥିଲା କୁମ୍ଭୀର। ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ ମଧ୍ୟ କୁମ୍ଭୀର କବଳରୁ ବଞ୍ଚି ପାରିନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନଈରୁ ମିଳିଥିଲା ଗଙ୍ଗାଧରଙ୍କ ମୃତଦେହ।
କେବଳ ଗଙ୍ଗାଧର ନୁହନ୍ତି, ତାଙ୍କୁ ମିଶାଇ ୧୫ ଦିନ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। ପହିଲି ରଜ ଦିନ ମା’ ଆଗରେ ୮ ବର୍ଷର ପୁଅକୁନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୧ ତାରିଖରେ ରାଜନଗର ହାତିଆଗଡ଼ ଗାଁର ଜଣେ ମହିଳା ବାସନ ମାଜୁଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ।
ଆଉ ଆଜି ପୁଣି ଜଣେ ବ୍ୟକ୍ତି କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇବା ପରେ କ୍ଷୋଭ ସହ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ନଈକୂଳିଆ ଲୋକେ। କହିଛନ୍ତି, ଗାଁରେ ପାଣିର ସୁବିଧା ନଥିବାରୁ ରାତି ପାହିଲେ ଗ୍ରାମବାସୀ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି। ତେଣୁ ଗାଧୁଆ ତୁଠରେ ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ଲୋକେ ସଚେତନ ହେବା ଦରକାର ବୋଲି ଡିଏଫଓ ସୂଚନା ଦେଇଛନ୍ତି। କୁମ୍ଭୀର-ମଣିଷ ଲଢେଇ ଭିତରେ ଗତ ୧୦ ବର୍ଷ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୬ ଜଣଙ୍କର ଜୀବନ ଗଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)