Advertisment

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି ! ଯାତ୍ରୀଙ୍କ ଅକଥନୀୟ ଦୁର୍ଦ୍ଦଶା, ୫୨ ଗାଡ଼ି ବାତିଲ୍

ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର ।

author-image
Satyendu Shekher Mishra
undefined

Train Tragedy

ବ୍ରହ୍ମପୁରରୁ ରାୟଗଡ଼ା, ଖୋର୍ଦ୍ଧା, କଟକ, ଭୁବନେଶ୍ବରରୁ ବାଲେଶ୍ବର। ସବୁଠି ହଟହଟା ହଜାର ହଜାର ଯାତ୍ରୀ। ଗତରାତିଠୁ ଏ ଯାଏଁ... ସବୁଠି ପ୍ରାୟ ସମାନ ଦୃଶ୍ୟ,ସବୁଠି ଶୁଭୁଛି ସେଇ ଗୋଟିଏ ଶବ୍ଦ- ଟ୍ରେନ୍ ବିଳମ୍ବ ନହେଲେ ବାତିଲ । 

Advertisment

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ପରେ ବାତିଲ, ଆଂଶିକ ବାତିଲ, ନଚେତ ଗତିପଥ ପରିବର୍ତ୍ତନ କରଯାଇଛି ପ୍ରାୟ ୯୦ ଟ୍ରେନ୍‌ର । ଏଥିଯୋଗୁଁ କାହାକୁ ପିଲାଛୁଆ ଧରି ଷ୍ଟେସନରେ ରାତି କାଟିବାକୁ ପଡ଼ିଛି, ତ ଆଉ କିଏ ବ୍ୟାଗପତ୍ର ଧରି ଅଖିଆ ଅପିଆ ଘଣ୍ଟା ଘଣ୍ଟା ଅପେକ୍ଷା କରିଛି ପ୍ଲାଟଫର୍ମ ବେଞ୍ଚ ଉପରେ । କିଏ ବାରମ୍ବାର ମୋବାଇଲରେ ଚେକ୍ କରୁଛି, ତ ଆଉ କିଏ ଲାଇନ୍ ଲଗାଉଛି ହେଲ୍ପ ଡେସ୍କ ଓ ଏନକ୍ବାରି କାଉଣ୍ଟର ପାଖରେ।

ବ୍ରହ୍ମପୁରରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ତେଲୁଗୁ ଯାତ୍ରୀ ଏବଂ ଚିକିତ୍ସା ପାଇଁ ଓଡ଼ିଆ ଯାତ୍ରୀ ବିଶାଖାପାଟଣା ଯାଆନ୍ତି। ହେଲେ ଆଜି ଭୁବନେଶ୍ବରରୁ ବିଶାଖାପାଟଣା ଏବଂ ବ୍ରହ୍ମପୁରରୁ ବିଶାଖାପାଟଣା ଯାଉଥିବା ଇଣ୍ଟରସିଟି ଓ ସୁପରଫାଷ୍ଟ ଆଦି ବାତିଲ ହୋଇଯାଇଛି । ତାମିଲନାଡ଼ୁ, ତିରୁପତି, ସିକନ୍ଦରାବାଦ ଓ ବେଙ୍ଗଳୁରୁ ଯାଉଥିବା ଯାତ୍ରୀ କାଲି ରାତିଠୁ ଷ୍ଟେସନରେ ପଡ଼ି ରହିଛନ୍ତି। ଅପର ଦିଗରେ ବିଶାଖାପାଟଣା ଭାୟା ବ୍ରହ୍ମପୁର ହୋଇ ଖଡ଼ଗପୁର, ହାୱଡ଼ା ଓ ଆସାମ ଅଭିମୁଖେ ଯାଉଥିବା ଟ୍ରେନ୍, ରାୟପୁର ଦେଇ ଡାଇଭର୍ଟ ହୋଇଥିବାରୁ ଭୁବନେଶ୍ବର ଷ୍ଟେସନରେ ବହୁ ବଙ୍ଗାଳି ଯାତ୍ରୀ କାନ୍ଦ କାନ୍ଦ ସ୍ଥିତିରେ।

Advertisment

ତେଣେ ରାୟଗଡ଼ାରୁ କାହାକୁ ବିଜୟନଗରମ ଯିବାର ଥିଲା, ତ ଆଉ କାହାକୁ ରାୟପୁର। ଏବେ କଣ କରିବେ ଜାଣିପାରୁନାହାନ୍ତି। ତେଣେ କରମଣ୍ଡଳ, ଇଷ୍ଟକୋଷ୍ଟ ଓ ବିବେକ ଏକ୍ସପ୍ରେସ ଭଳି ଗୁରୁତ୍ବପୂର୍ଣ୍ଣ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବାରୁ ବାଲେଶ୍ବର ଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ବି ହଇରାଣ ହୋଇଛନ୍ତି । କେବଳ ସମୟ ନୁହେଁ, ଅନେକଙ୍କୁ ଅଯଥା ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିଛି ଏହି ଦୁର୍ଘଟଣା ପାଇଁ। କାରଣ ବହୁ ଯାତ୍ରୀଙ୍କୁ ଗନ୍ତବ୍ୟ ସହରରେ ପହଞ୍ଚି, ଆଗକୁ କନେକ୍ଟିଂ ଟ୍ରେନ କି ଫ୍ଲାଇଟ୍ ଆଦି ଧରିବାର ଥିଲା। ହେଲେ ତାହା ସମ୍ଭବ ନହେବାରୁ ଟିକେଟ୍ ବାତିଲ କରିବାକୁ ପଡ଼ିଛି ।

କାଲି ଦୁର୍ଘଟଣା ପରେ ବାତିଲ ହୋଇଥିବା ଟ୍ରେନର ଯାତ୍ରୀଙ୍କୁ ମୋବାଇଲ ମେସେଜ ଯୋଗେ ସୂଚନା ଦିଆଯାଇଥିଲା ରେଲୱେ ପକ୍ଷରୁ । ଗତିପଥ ବଦଳିଥିବା କିମ୍ବା ବିଳମ୍ବିତ ଟ୍ରେନର ପାସେଞ୍ଜରଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରାୟ ସବୁ ପ୍ରଭାବିତ ଷ୍ଟେସନରେ ଅତିରିକ୍ତ ହେଲ୍ପ ଡେସ୍କ ବି ଖୋଲିଥିବା ଦେଖିବାକୁ ମିଳିଛି।

ସେଠାରେ ଟ୍ରେନ୍ ଟାଇମିଂ ଅପଡେଟ୍ ସହିତ ବିକଳ୍ପ ଟ୍ରେନ୍ ଓ ରୁଟ୍ ସଂପର୍କିତ ସୂଚନା ପ୍ରଦାନ କରୁଛନ୍ତି ରେଳ କର୍ମଚାରୀ। ସେପଟେ ବହୁ ଯାତ୍ରୀ ନିଜ ଟିକେଟ୍ ବାତିଲ କରି ପଇସା ଫେରିବାଇବାକୁ କାଉଣ୍ଟର ଆଗରେ ଭିଡ଼ ଲଗାଇଛନ୍ତି । ତେବେ ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଟ୍ରେନ୍ ଗଡ଼ିବା ଆରମ୍ଭ ହେବାରୁ ଯାତ୍ରୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

Advertisment
Advertisment