Advertisment

କନ୍ୟା ଘରେ ପହଞ୍ଚିବାକୁ ଥିଲା ମାତ୍ର ଆଉ ମାତ୍ର ୧୦ ହାତ ବାଟ, ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ।

author-image
Chandan Shishu
ଅଦ୍ୟତନ ହୋଇଛି
5 killed after truck rams into wedding procession in Odisha's Keonjhar

5 killed after truck rams into wedding procession in Odisha's Keonjhar

ବର ଘର ପକ୍ଷରୁ ଚାଲିଥିଲା ରୋଷଣି। ଝିଅ ବାହା ହେଉଛି ବୋଲି କନ୍ୟା ଘର ପକ୍ଷରୁ ସାହି ପଡ଼ିଶାଙ୍କୁ ଭୋଜି ଦିଆଯିବା ସହ ବରଯାତ୍ରୀଙ୍କୁ ଥିଲା ଅପେକ୍ଷା। ଆଉ କିଛି ହାତ ରାସ୍ତା ପରେ ପହଞ୍ଚିଥାନ୍ତେ ବରଯାତ୍ରୀ। ହେଲେ ବିଧିର ବିଧାନ ଥିଲା ଅଲଗା। କନ୍ୟା ଘର ନିକଟରେ ବରଯାତ୍ରୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଚାଲିଯାଇଛି ୫ଟି ଜୀବନ। ବିବାହ ଭୋଜି ସାରି ଫେରୁଥିବା ବସ୍ ଗଞ୍ଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଖବର ମନରୁ ନଲିଭୁଣୁ, ଏଭଳି ଆଉ ଏକ ହୃଦୟ ବିଦାରକ ଖବର ଆସିଛି କେନ୍ଦୁଝରରୁ।

Advertisment

କନ୍ୟା ଘରେ ପହଞ୍ଚିବାକୁ ଥିଲା ମାତ୍ର ଆଉ ମାତ୍ର ୧୦ ହାତ ବାଟ। କିଛି କ୍ଷଣରେ କନ୍ୟା ଘରେ ପହଞ୍ଚିଥାନ୍ତେ କେନ୍ଦୁଝର ହରିଚନ୍ଦନପୁର ଗାଁରୁ  ଆସିଥିବା  ବରଯାତ୍ରୀ। ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ। କିନ୍ତୁ ଏହି ସମୟରେ ଜାତୀୟ ରାଜପଥ ଉପରେ ଦାନବ ସାଜି ଏକ ଟ୍ରକ୍ ମାଡିଗଲା ବରଯାତ୍ରୀଙ୍କ ଉପରେ। ନିମିଷକେ ମଧ୍ୟରେ ମିଳାଇଗଲା ସମସ୍ତ ଖୁସି ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍  ଧରି ଫେରାର ମାରିଲା ଟ୍ରକ୍ ଡ୍ରାଇଭର । ରକ୍ତରଂଜିତ ହୋଇଗଲା ରାସ୍ତାଘାଟ। ଘଟଣାସ୍ଥଳରେ ଚାଲିଗଲା ୫ଜଣଙ୍କ ଜୀବନ। ଆଉ ୯ଜଣ ଗୁରୁତର ଆହତ ହେଲେ। ଆମ୍ବୁଲାନସରେ ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲ ପଠାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। 

Advertisment

ଏହି ଦୁର୍ଘଟଣାରେ କିଏ ଏକମାତ୍ର ରୋଜଗାରିଆ ପୁଅକୁ ହରାଇଛି ତ, ଆଉ କିଏ ଭାଇକୁ। ୫ ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘର ଲୋକ ଥିବା ବେଳେ ଅନ୍ୟ ୨ଜଣ ବରଯାତ୍ରୀ ଭାବେ ଆସିଥିଲେ। ଏତେବଡ଼ ଅଘଟଣ ପରେ ବାହାଘର ମଧ୍ୟ ବନ୍ଦ ହୋଇଯାଇଛି। କାଲି ରାତିର ଘଟଣା ପରେ ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳରେ ଛାଇ ଯାଇଥିଲା ନିରବତା। ତାଭିତରେ ବିଭିନ୍ନ ଦାବି ନେଇ ଏନଏଚ୍-୨୦ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। କିଏ କହୁଥିଲା ଏଠାରେ ଓଭରବ୍ରିଜ ନିର୍ମାଣ କରାଯାଉ ତ ଆଉ କେହି କେହି ମୃତକଙ୍କ ପରିବାରକୁ ସହାୟତା ପାଇଁ ଦାବି ରଖିଥିଲେ।

ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଦୀର୍ଘ ୧୦ ଘଣ୍ଟା ପରେ ହଟିଥିଲା ରାସ୍ତାରୋକ। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁତରଙ୍କ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ଦିନ ତଳେ ବ୍ରହ୍ମପୁରରୁ ବିବାହ ଉତ୍ସବ ସାରି ଖଣ୍ଡଦେଉଳିକୁ ଏକ ଘରୋଇ ବସରେ ଫେରୁଥିବା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ୍ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ କନ୍ୟାଯାତ୍ରୀ ମଧ୍ୟରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା।

Marriage Processions
Advertisment
Advertisment