Advertisment

ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।

author-image
Satyendu Shekher Mishra
Accident

Accident

କାଳ ରୂପୀ କୁହୁଡ଼ି । ଅକାଳରେ ନେଇଗଲା ତିନି ତିନିଟି ଜୀବନ । ରାସ୍ତା ସିନା ଫାଙ୍କାଥିଲା ହେଲେ ମୁହଁକୁ ମୁହଁ ଦିଶୁନଥିଲା । ସେଥିପାଇଁ ଘଟିଗଲା ମର୍ମନ୍ତୁଦ ଦୁର୍ଘଟଣା । ସମୟ- ସକାଳ ୭ଟା, କଟକ-କେନ୍ଦ୍ରାପଡ଼ା ରାସ୍ତାର ନିଶ୍ଚିନ୍ତକୋଇଲିରେ ମୁହାଁମୁହିଁ ପିଟି ହୋଇଗଲେ ମନୋରମା ନାମକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଘଟଣାସ୍ଥଳ ଦେଖିଲେ ବଖାଣିବାକୁ ପଡ଼ିବ ନାହିଁ । ବସ୍ ଭିତରେ ଆହତ ଯାତ୍ରୀମାନେ ଚିତ୍କାର କରୁଥିଲେ ।

Advertisment

ପୋଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାରରେ ଲାଗି ଯାଇଥିଲେ । ଏ ଛାତିଥରା ଆକ୍ସିଡେଣ୍ଟରେ ଆଳି ଅଞ୍ଚଳର ଯୁବତୀ ଅନସୂୟା ବାରିକ, ରାଜକନିକା ଅଞ୍ଚଳର ଯୁବକ ନଳିନୀକାନ୍ତ ଗାହାଣଙ୍କ ସହ ରାଜସ୍ଥାନ ଜଲୱାରା ଅଞ୍ଚଳର ଟ୍ରକ୍ ଡ୍ରାଇଭର ମୋହନ ଲାଲଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ୪୦ରୁ ଅଧିକ ବସଯାତ୍ରୀ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସକାଳେ କେନ୍ଦ୍ରାପଡ଼ାରୁ କଟକ ଆସୁଥିଲା ମନୋରମା ବସ୍ । କୁହୁଡ଼ି ଯୋଗୁଁ ସାମ୍ନାପଟୁ ଆସୁଥିବା ଏକ ଖାଲି ଟ୍ରକ୍ କୁ ଠିକ୍ ଭାବରେ ଡ୍ରାଇଭର ଦେଖିନପାରିବାରୁ ଆଖି ପିଛୁଳାକେ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ମୃତକଙ୍କ ଗାଁର ଏବେ କାନ୍ଦବୋବାଳି ପଡ଼ିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Advertisment

ନଭେମ୍ବରରୁ ଫେବ୍ରୁଆରୀ । ଶୀତ ସାଙ୍ଗକୁ କୁହୁଡି ସମୟ । ଏଥିସହ ପିକନିକ୍ ଋତୁ । ତେଣୁ ଏ ସମୟରେ ଓଡ଼ିଶାରେ ରାସ୍ତା ଦୁର୍ଘଟଣାର ମାତ୍ରା ବୃଦ୍ଧିକୁ ଦେଖି ଚିନ୍ତାରେ ପରିବହନ ବିଭାଗ । ମିଳିଥିବା ତଥ୍ୟ ଅନୁସାରେ- ଡିସେମ୍ବର ଓ ଜାନୁଆରୀ ମାସରେ ୨୦୧୯ ମସିହାରେ ୧୦୦୮ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୨୦ରେ ୧୧୦୦, ୨୦୨୧ରେ ୧୦୩୧ ଓ ୨୦୨୨ ମସିହାରେ ୯୯୧ ଜଣଙ୍କ ପ୍ରାଣହାନୀ ଘଟିଛି । ଯେହେତୁ ଏବେ କୁହୁଡ଼ି ସମୟ ତେଣୁ ସତର୍କ ରହିବାକୁ ବିଭିନ୍ନ ଜିଲ୍ଲାକୁ ଏସଓପି ଜାରି କରାଯାଇଥିବା କହିଛନ୍ତି ପରିବହନ କମିଶନର ।

ତାସହ ନିଶ୍ଚିନ୍ତକୋଇଲି ଦୁର୍ଘଟଣା କୁହୁଡ଼ି ଯୋଗୁଁ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ବୋଲି କହିଛନ୍ତି। ବସ୍ ର ପରମିଟ୍ ଓ ଫିଟନେସ୍ ବି ଠିକ୍ ଥିବା ସେ ସୂଚନା ଦେଇଛନ୍ତି ।

Bus Accident Fog Salepur Aul
Advertisment
Advertisment