Advertisment

Car-Truck Collision: ରହସ୍ୟରେ କାର୍ ଦୁର୍ଘଟଣା, ଦୁଇ ବିଜେପି ନେତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର !

ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Car-Truck Collision

ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ? ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

Advertisment

ସେପଟେ ହାଇୱା ଗାଡ଼ିର ଡ୍ରାଇଭର ପୋଲିସ୍ କବଜାରେ ଥିବା ଏବଂ ଦୁର୍ଘଟଣାସ୍ଥଳରେ ସିସିଟିଭି ଫୁଟେଜ୍ ଥିବାରୁ ଘଟଣା ପଛର ଗୁମର ଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି । ସମ୍ବଲପୁର-ବରଗଡ଼ ରାସ୍ତା କଣ୍ଟାପାଲି ଛକ ସଡ଼କ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର? ହତ୍ୟା ଘଟଣାକୁ ଦୁର୍ଘଟଣାର ରୂପ ଦେବା ପାଇଁ ନିୟୋଜିତ ହୋଇଥିଲା କି ଫ୍ଲାଇ ଆସ ବୋଝେଇ ହାଇୱା?

ଶନିବାର ବିଳମ୍ବିତ ରାତି । ସମ୍ବଲପୁର-ବରଗଡ ୫୩ ନମ୍ବର ଜାତୀୟ ରାଜପଥର କଣ୍ଟାପାଲି ଛକ । ଏଠାରେ ଘଟିଥବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଚିତ୍ର ଓ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିର ତରିକା ଜଣାପଡ଼ିବା ପରେ ଏବେ ଉଠିଛି ଏଭଳି ପ୍ରଶ୍ନ । ଦୁର୍ଘଟଣା ବେଳେ ଏହି କାରରେ ଥିଲେ BJPର ସମ୍ବଲପୁର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ ।

Advertisment

ଅଧିକ ପଢ଼ନ୍ତୁ: ପାଣିକୋଇଲିରେ ଗୁଳିକାଣ୍ଡ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସେମାନଙ୍କ ସହ ଥିଲେ ଆଉ ୩ ବିଜେପି କର୍ମୀ । ଦୁର୍ଘଟଣାରେ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ବିଜେପି କର୍ମୀ ଗୁରୁତର ହୋଇଛନ୍ତି । ଆଜି ମେଡିକାଲ ବେଡରୁ ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟାବହତା । ସେମାନଙ୍କ କହିବା ଅନୁସାରେ, ଗୋଶାଳା ଆସୁଥିବା ବେଳେ କଣ୍ଟାପାଲି ଛକରେ ପ୍ରଥମେ ସେମାନଙ୍କ କାରକୁ ପିଟିଥିଲା ଏଇ ହାଇୱା ।

ପରେ କାରଟି ବେଗ ବଢ଼ାଇ ଆଗକୁ ଯିବା ବେଳେ ପୁଣି ଥରେ ହାଇୱାଟି ଧକ୍କା ଦେଇଥିଲା । ଏହାପରେ ସେମାନଙ୍କୁ ଜାଣିଶୁଣି ହାଇୱା ଡ୍ରାଇଭର ଜଣକ ଧକ୍କା ଦେଉଥିବା ଅନୁଭବ କରି କାର୍ ଡ୍ରାଇଭର ଜଣକ ଗାଡ଼ିକୁ ଏକ ଗାଁ ରାସ୍ତାକୁ ଆଡ଼କୁ ନେଇଯାଇଥିଲେ ।

କିନ୍ତୁ କୁହାଯାଉଛି, ଆଶ୍ଚର୍ଯ୍ୟଜନକ ଭାବେ ଫ୍ଲାଇଆସ୍ ବୋଝେଇ ହାଇୱାଟି ମଧ୍ୟ କାର୍ ପିଛା କରି କିଛି ବାଟ ଯିବା ପରେ ତୃତୀୟ ଥର ପାଇଁ କାରକୁ ଶକ୍ତ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ଭର୍ତ୍ତି କରିଥିଲେ ।

ତେବେ ସେତେବେଳକୁ ସମ୍ବଲପୁର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇସାରିଥିଲା । ଅନ୍ୟ ଦୁଇ ବିଜେପି କର୍ମୀ ସୁରେଶ ଛନ୍ଦ ଓ ରାମ ନାରାୟଣ ପଣ୍ଡା ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିବାର ଲୋକେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିବା ପରେ ବୁର୍ଲା ପୋଲିସ୍ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଏ ଦୁର୍ଘଟଣା ପ୍ରି-ପ୍ଲାନ୍ଡ କି ନୁହେଁ? କେଉଁ କାରଣକୁ ନେଇ ହାଇୱା ଡ୍ରାଇଭର ବାରମ୍ବାର କାର୍ କୁ ଧକ୍କା ମାରିଥିଲେ? ହାଇୱା ଡ୍ରାଇଭର ଏବେ ପୋଲିସ କବଜାରେ ଥିବା ଏବଂ ଦୁର୍ଘଟଣାସ୍ଥଳରେ ଏକ ଦୋକାନରେ ୨ଟି ସିସିଟିଭି କ୍ୟାମେରା ମହଜୁଦ ଥିବାରୁ ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

Accident Car Truck Collision Dead
Advertisment
Advertisment