ସ୍କୁଲରେ ପାଠପଢା ବେଳେ ବଜ୍ରପାତ। ଏଥିରେ ୧୬ ଜଣ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ଆଜି ଅପରାହ୍ଣରେ କ୍ଲାସ ଚାଲିଥିବା ବେଳେ ବଜ୍ରପାତ ଘଟିବାରୁ ୧୬ ଜଣ ପିଲା ଆହତ ହୋଇଛନ୍ତି। ଆହତ ସମସ୍ତ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀର। ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରେ ୨ ଜଣ ଛାତ୍ର ରହିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ବଜ୍ରପାତ ପରେ ସ୍କୁଲ୍ ଶିକ୍ଷକ ଓ ସ୍ଥାନୀୟ ଲୋକ ତୁରନ୍ତ ଆହତ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କ୍ଲାସ ରୁମ ଉପରେ ଘଡଘଡି ମାଡ ହେବା ପରେ ବିଦ୍ୟୁତ୍ ସଟସର୍କିଟ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି।
ବଜ୍ରପାତରେ କିଛି ଛାତ୍ରଛାତ୍ରୀ ଚେତା ହରାଇଥିବା ବେଳେ ଅନେକଙ୍କ ମୁଣ୍ଡ ବୁଲାଇଥିଲା ଏବଂ ବାନ୍ତି ହୋଇଥିଲା। ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଛି। ହାଇସ୍କୁଲ୍ ରେ ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଚାଲିଥିବା ସୂଚନା ମିଳିଛି।
ସେପଟେ ସ୍କୁଲ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଭଳି ଏଭଳି ଅଘଟଣ ଘଟିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।