• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୨ ପିକ୍‌ନିକ୍‌ ସ୍କୁଲ ବସ୍‌ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୭ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆନନ୍ଦପୁରରେ ଟ୍ରକକୁ ପଛରୁ ପିଟିଲା ସ୍କୁଲ ପିକ୍‌ନିକ୍‌ ବସ୍ । ଏଥିରେ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଡ୍ରାଇଭର, ଶିକ୍ଷକ ଓ ସ୍କୁଲ ପିଲା ରହିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ବସରେ ୫୦ରୁ ଅଧିକ ସ୍କୁଲ ପିଲା ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି । ସମ୍ବଲପୁରରୁ ପିକନିକ୍ ସାରି ବାଲେଶ୍ୱର ଫେରିବା ବେଳେ ଆନନ୍ଦପୁରସ୍ଥିତ ଧକୋଠା ନିକଟରେ ଦୁର୍ଘଟଣା ଘଟିଥିଲା ।

ତେବେ ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡ଼ିନାହିଁ । କୁହୁଡ଼ି ନା ଅନ୍ୟ କିଛି କାରଣରୁ ଏପରି ଘଟିଲା ତା’ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରୁଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ପିକ୍‌ନିକ୍‌ ସାରି ବାଲେଶ୍ୱର ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ୫୦ରୁ ଅଧିକ ପିଲାଙ୍କୁ ନେଇ ସମ୍ବଲପୁରରୁ ପିକ୍‌ନିକ୍‌ ସାରି ଫେରୁଥିଲା ।

ସେପଟେ ସୋନପୁରରେ ଏକ ଘରୋଇ ଶିକ୍ଷାନୁଷ୍ଠା ପିକ୍‌ନିକ୍ ବସ୍ ମଧ୍ୟ ଦୁର୍ଘଟଣା ଘଟିଛି । ଏଥିରେ ୭ଜଣ ଆହତ ହୋଇଛନ୍ତି । ଖମ୍ବଶିରିପାଲି ନିକଟରେ ଟ୍ରକକୁ ପଛରୁ ବସ୍‌ଟି ଧକ୍କା ଦେଇଥିଲା । ଫଳରେ ୪ ଆହତଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୩ ଜଣ ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପିକ୍‌ନିକ୍‌ ବସ୍‌ଟି ୪୫ ଛାତ୍ରଛାତ୍ରୀଙ୍କୁ ନେଇ ଦେଓମାଳୀରୁ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।