• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱରରେ ପୁଣି ମୋ ବସ୍‌ ଦୁର୍ଘଟଣା । ରାଜଧାନୀର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍‌’ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ପଟିଆ ଶିଖରଚଣ୍ଡି ବିହାରରେ ଉତ୍ତ୍ୟକ୍ତ ଲୋକେ ବସକୁ ଭଙ୍ଗାରୁଜା କରିଛନ୍ତି । ଆଜି ରାତି ପ୍ରାୟ ସାଢ଼େ ୮ଟାବେଳେ ଘଟିଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ବ୍ୟକ୍ତି ଜଣକ ହେଉଛନ୍ତି ଶିଖରଚଣ୍ଡି ନଗର ବସ୍ତିର ଏ.ଦଣ୍ଡପାଣି ରେଡ୍ଡୀ । ରାସ୍ତା ପାରି ହେଉଥିବାବେଳେ ତାଙ୍କୁ ‘ମୋ ବସ୍’ଟି ଧକ୍କା ଦେଇଥିଲା ।

ଫଳରେ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସଠିକ ସୂଚନା ମିଳିପାରିନାହିଁ । ଏହି ଦୁର୍ଘଟଣାକୁ ନେଇ ଆହତଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ବ୍ୟକ୍ତି ପହଞ୍ଚି ପ୍ରାୟ ୨ଟି ବସକୁ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ତା’ସହ ଦୁର୍ଘଟଣା ଘଟାଇଥିବା ‘ମୋ ବସ୍’ର ଡ୍ରାଇଭରକୁ ଅଟକ ରଖିଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପୋଲିସ ଚେଷ୍ଟା କରୁଛି । ତେବେ ‘ମୋ ବସ୍‌’ର କାଚକୁ ଲୋକମାନେ ଭାଙ୍ଗି ଦେଇଛନ୍ତି । ଉତ୍ତେଜନା କାରଣରୁ ନନ୍ଦନକାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହିଛି ।

ପୂର୍ବରୁ ‘ମୋ ବସ୍‌’ର ଯାତାୟାତକୁ ନେଇ ଅନେକ ଅଭିଯୋଗ ହୋଇସାରିଛି । ଡ୍ରାଇଭରମାନଙ୍କ ବେପରୁଆ ବସ୍‌ ଚାଳନା ଯୋଗୁଁ ଅନେକ ଥର ଦୁର୍ଘଟଣା ହୋଇଛି । ଗତ ଜାନୁଆରୀ ୧୬ ତାରିଖ ଦିନ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍‌’ କାରକୁ ଧକ୍କା ଦେଇଥିଲା ।

ପରେ ସ୍ଥାନୀୟ ଲୋକ ‘ମୋ ବସ’କୁ ଅଟକ ରଖିଲେ । କଟକରୁ ଭୁବନେଶ୍ୱର ଯିବା ବେଳେ ବାରଙ୍ଗ ଛକ ନିକଟରେ ଦୁର୍ଘଟଣା ଘଟାଇଥିଲା ‘ମୋ ବସ୍‌’ । ଦୁର୍ଘଟଣା ଫଳରେ କାରଟି କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ବାରଙ୍ଗ ପୋଲିସ ଉଭୟ କାର ଓ ବସକୁ ଥାନାକୁ ଆଣି ଘଟଣାର ତଦନ୍ତ କରିଥିଲା।

  • Reported by:
  • ATULYA BOUT