Advertisment

ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍; ସ୍ପଷ୍ଟ ଦିବାଲୋକରେ କେମିତି ରାସ୍ତାରୁ ବାହାରି ପଶିଲା ନାଳରେ ?

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ?

author-image
Sujit kumar Swain
undefined

Mo Bus

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍ । ଏବେ ସଂପୃକ୍ତ ଡ୍ରାଇଭର ଫେରାର୍ ଥିବା ବେଳେ, ଏହାର ତଦନ୍ତ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ସଡ଼କ ଦୁର୍ଘଟଣାରେ ଅତି କମରେ ୫ ଜଣଙ୍କ ଜୀବନ ଯାଇଛି ।

Advertisment

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ? ଏକଥା ଆମେ ପଚାରୁନୁ, ଜନତା ପଚାରୁଛନ୍ତି ଆଜି ପୁଣି ଏକ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ । ଆଜି ଦିନ ପ୍ରାୟ ୧ଟା , ସ୍ଥାନ ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକ। ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ନାଳ ଭିତରେ ପଶିଗଲା 'ମୋ ବସ୍'। ବସ୍ ଭିତରେ ଆତଙ୍କିତ ଅବସ୍ଥାରେ ପ୍ରାୟ ୩୦ ଜଣ ଯାତ୍ରୀ । ବସ୍ କାଚ ଭାଙ୍ଗି ପ୍ରଥମେ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଏହାପରେ ଏଥିରେ ସାମିଲ ହୋଇଥିଲେ ଅଗ୍ନିଶମ ଯବାନ ।

ଏହି ଦୁର୍ଘଟଣାରେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କାହାର ମୁଣ୍ଡ ଫାଟିଛି, ତ ଆଉ କାହାର ଗୋଡ଼ ଭାଙ୍ଗିଛି ।

Advertisment

ସବୁଠାରୁ ବଡ଼ କଥା ହେଉଛି ସ୍ପଷ୍ଟ ଦିବାଲୋକ, ପ୍ରଶସ୍ତ ରାସ୍ତା । ତଥାପି କେମିତି ରାସ୍ତାରୁ ବାହାରି ନାଳରେ ପଶିଗଲା 'ମୋ ବସ୍' ? ନାଳ ଟି ଶୁଖିଲା ନଥାଇ, ସେଠି ପାଣି ଭର୍ତ୍ତି ଥିଲେ କଣ ଘଟିଥାନ୍ତା ? ଲୋକଙ୍କ କହିବା କଥା ବାମପଟକୁ ଏକ ଅଟୋ ଚାଲି ଆସିଥିଲା । ହେଲେ ବସଟି ଅଧିକ ସ୍ପିଡରେ ଥିବାରୁ ତାକୁ ନିୟନ୍ତ୍ରଣ କରିପାରିଲେନି ଚାଳକ। କିଏ କହୁଛି ଡ୍ରାଇଭର ହୁଏତ ମଦ ପିଇଥିଲେ,  ନଚେତ୍ ଆଖି ଲାଗିଯାଇଥିଲା । 

ସେପଟେ ଦୁର୍ଘଟଣା ପରେ ବସ୍ ଚାଳକ ଫେରାର୍ ମାରିଥିବା କୁହାଯାଉଛି । ଲୋକଙ୍କ ଜୀବନକୁ ବିପଦକୁ ଠେଲି, ନିଜେ ଖସିଯାଇଛନ୍ତି ଡ୍ରାଇଭର ବାବୁ । କେବଳ ଏଇ ଗୋଟିଏ ଘଟଣା ନୁହେଁ। ଖୋଦ୍ ରାଜଧାନୀ ଭିତରେ ସାମ୍ନାକୁ ଆସିଛି ମୋ ବସ୍ ଡ୍ରାଇଭରଙ୍କ ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନାର ଏକାଧିକ ଅଭିଯୋଗ । କେଉଁଠି ଦୁର୍ଘଟଣା ଘଟୁଛି, ଆଉ କେଉଁଠି ହୁଏତ ଯାତ୍ରୀ ଓ ପଥଚାରୀଙ୍କ ଭାଗ୍ୟ ଟାଣ। ଗତ ମାର୍ଚ୍ଚରେ ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ଓ ରାଜମହଲ ଛକରେ ଅଟୋକୁ ପିଟିଥିଲା ମୋ ବସ୍ ।

ଫେବ୍ରୁଆରିରେ ଶିଖରଚଣ୍ଡୀ ବିହାର ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେବା ପରେ, ମୋ ବସ୍ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ। ହେଲେ ବିଡ଼ମ୍ବନା, ଏତେ ସବୁ ପରେ ବି ବେପରୁଆ 'ମୋ ବସ୍' ଚାଳକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା କିମ୍ବା ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ କୌଣସି ଠୋସ୍ ପଦକ୍ଷେପ ନେବା କଥା ସାମ୍ନାକୁ ଆସିନି। ତେବେ ଏନେଇ ପୋଲିସ କିମ୍ବା କ୍ରୁଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ, ଆଜିର ଦୁର୍ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ।

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଅନ୍ୟୁନ ୫ ଜଣଙ୍କ ଜୀବନ ଯାଇଛି । ଇଏ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ସୋମପୁର ଛକ। ପିକଅପ୍ ଭ୍ୟାନ ଓଲଟି ୨ ଦଣ୍ଡୁଆଙ୍କ ମୃତ୍ୟୁ, ୧୫ ଗୁରୁତର । ସେପଟେ ଯାଜପୁର ବରୁହାଁ ଛକରେ ବାଇକକୁ ଟିପର୍ ଧକ୍କା ଦେବା ଫଳରେ ବାପ-ପୁଅଙ୍କ ଜୀବନ ଯାଇଛି । ବୌଦ୍ଧରେ ଘଟିଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଜଣେ ପ୍ରାଣ ହରାଇବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ।

Accident Mo Bus
Advertisment
Advertisment