Advertisment

Big Setback for UGC: UGC ନୂଆ ନିୟମକୁ ସୁପ୍ରିମ୍ ଝଟକା, ବଳବତ୍ତର ରହିବ UGC ୨୦୧୨ ରେଗୁଲେସନ

ୟୁଜିସିର ନୂଆ ନିୟମରେ ରୋକ୍। ଉଚ୍ଚଶିକ୍ଷାରେ ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ। ଜନସ୍ବାର୍ଥ ମାମଲାର ବିଚାର କରି ନୂଆ ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ।

author-image
Tapan Swain
UGC

UGC Photograph: (OTV)

UGCର ନୂଆ ନିୟମକୁ `ସୁପ୍ରିମ୍' ଝଟକା । ସମାନତା ପ୍ରୋତ୍ସାହନ ନିୟମାବଳୀ- ୨୦୨୬ ଉପରେ ରୋକ୍ । ଜାତିବାଦକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସନ୍ତୋଷ । ପଚାରିଲେ ପ୍ରଶ୍ନ- ପଛୁଆ ସମାଜ ଆଡ଼କୁ ଯାଉଛି କି ଦେଶ ? 

Advertisment

ଦେଶବ୍ୟାପୀ ପ୍ରତିବାଦ ଭିତରେ UGC ନୂଆ ନର୍ମ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଧାରଣବର୍ଗଙ୍କ ଦ୍ବାରା ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।

କୋର୍ଟ କହିଛନ୍ତି, ନୂତନ ଉଚ୍ଚଶିକ୍ଷା ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬ କେବଳ ଏସସି, ଏସଟି ଓ ଓବିସି ବର୍ଗ ପାଇଁ ଜାତିଭିତ୍ତିକ ଭେଦଭାବ ଅଭିଯୋଗ ବ୍ୟବସ୍ଥାକୁ ସୀମିତ କରିଛି। ଏହି ନୂତନ ନିୟମାବଳୀ ସମାଜକୁ ବିଭାଜିତ କରିବାରେ ସକ୍ଷମ। ନୂଆ ନିୟମଗୁଡ଼ିକ ଅନୁଚିତ, ଅସ୍ପଷ୍ଟ ଏବଂ ଏଥିରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଛି। ଏଭଳି ନିୟମର ଦୂରୁପଯୋଗ କରାଯିବା ଅସମ୍ଭବ ନୁହେଁ।

Advertisment

କମିଟି ଜରିଆରେ ପୁନଃବିଚାର ପାଇଁ ପରାମର୍ଶ

ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମେ ସମାଜକୁ ଜାତିବାଦରୁ ମୁକ୍ତ କରିପାରିନାହାନ୍ତି। ନୂଆ ନିୟମ ଦ୍ବାରା କ’ଣ ଆମେ ଆହୁରି ପଛକୁ ଯାଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଜରିଆରେ ନିୟମର ପୁନଃ ବିଚାର ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହିତ ବର୍ତ୍ତମାନ ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ୨୦୧୨ ନିୟମାବଳୀ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ଗତ ୧୩ ତାରିଖରେ ‘ଉଚ୍ଚଶିକ୍ଷାରେ ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬’କୁ ଲାଗୁ କରିଥିଲା UGC । ଏହା ଅଧୀନରେ କଲେଜ ଓ ବିଶ୍ବବିଦ୍ୟାଳୟରେ ଜାତିଭିତ୍ତିକ ଭେଦଭାବକୁ ରୋକିବା ପାଇଁ ସ୍ବତନ୍ତ୍ର କମିଟି, ହେଲପଲାଇନ୍ ଓ ମନିଟରିଂ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଟିମ୍ ଏସସି, ଏସଟି ଓ ଓବିସି ବର୍ଗଙ୍କ ଅଭିଯୋଗକୁ ବିଶେଷ ଭାବେ ଗୁରୁତ୍ବ ଦେବାର ବ୍ୟବସ୍ଥା ରହିଥିଲା।

ତେବେ ମିଥ୍ୟା ଅଭିଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କୌଣସି ପ୍ରାବଧାନ ରଖାଯାଇନଥିଲା। ଯାହାକୁ ନେଇ ଖପ୍ପା ହୋଇଥିଲେ ସାଧାରଣ ବର୍ଗ। ଦେଶବ୍ୟାପୀ ପ୍ରତିବାଦ ସହିତ ସୁପ୍ରିମକୋର୍ଟରେ ହୋଇଥିଲା ଚ୍ୟାଲେଞ୍ଜ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଖୁସି ପ୍ରକାଶ କରିଛନ୍ତି ସାଧାରଣ ବର୍ଗ।... 

ମାମଲାରେ କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।... 

UGC Supreme Court
Advertisment
Related Articles
Advertisment