Advertisment

Goa's Party Paradise Turns to Ash: ଡିଜେ ନାଇଟ୍ ବେଳେ ନିଆଁ ଲାଗି ୪ ପର୍ଯ୍ୟଟକଙ୍କ ସହ ୨୫ ମୃତ , ଥରାଇ ଦେଲା ଗୋଆ ନାଇଟ୍ କ୍ଲବ ଫାୟାର ଟ୍ରାଜେଡି

କାଲିଥିଲା ୱିକେଣ୍ଡ ତଥା ଶନିବାର। ରାତି ପ୍ରାୟ ୧୧ଟାରୁ ୧୨। ସବୁଦିନ ଭଳି ନାଇଟ୍ କ୍ଲବରେ ଜମିଥିଲା ନାଚ ଗୀତର ଆସର। ଡିଜେ ନାଇଟରେ ଦୁଲୁକୁଥିଲା ପରିବେଶ। ତାହାରି ଭିତରେ ହଠାତ୍ ଶୁଭିଥିଲା ଭୟଙ୍କର ବିସ୍ଫୋରଣ।

author-image
Manas Ranjan Mohanty
Goa's Party Paradise Turns to Ash:

Goa's Party Paradise Turns to Ash: Photograph: (OTV)

ଭୟଙ୍କର...ବୀଭତ୍ସ...ବେଦନାଦାୟକ...ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ...ଦାରୁଣ ଯନ୍ତ୍ରଣା ବଖାଣିବାକୁ ଭାଷା ନାହିଁ। ଶନି ରାତିରେ ଏମିତି କେଉଁ ଶନିଦଶା ପଡ଼ିଲା କେଜାଣି, ଦେଶର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଗୋଆରେ ନିଆଁ ଆଉ ଧୂଆଁରେ ପାଉଁଶ ହୋଇଗଲା ୨୫ ନିରୀହଙ୍କ ଜୀବନ। ସର୍ବଗିଳା ନିଆଁ କେଉଁଠି ଥିଲା କେଜାଣି ଚାହୁଁ ଚାହୁଁ ଆଖି ସାମ୍ନାରେ ଗ୍ରାସିଲା ନାଇଟ୍ କ୍ଲବକୁ। ହୁତୁ ହୁତୁ ହୋଇ ଜଳିଗଲା ସବୁକିଛି। ରଂଗୀନ ରାତିରେ ବିଭୋର ହେଉ ହେଉ ନିଆଁରେ ସର୍ବନାଶ ହୋଇଗଲା ସବୁକିଛି। ଚାରିଆଡ଼େ ଏବେ ଅଙ୍ଗାରର ପାହାଡ଼, ଯେଉଁଠି ହାତ ମାରିବେ କେବଳ ପାଉଁଶ। କେଉଁ ଏକ ଯୁଦ୍ଧତ୍ରସ୍ତ ଇଲାକାର ଭ୍ରମ ସୃଷ୍ଟି କରୁଛି। ମଧ୍ୟରାତିର ନିଆଁରେ ଗୋଆ ଆରପୋରା ସ୍ଥିତ ରୋମିଓ ଲେନ୍ ବ୍ରିଚ୍ ନାଇଟ୍ କ୍ଲବ ଜଳିପୋଡ଼ି ଛାରଖାର୍ ହୋଇଯାଇଛି। ମୃତ ୨୫ ଜଣଙ୍କ ମଧ୍ୟରୁ ୪ ପର୍ଯ୍ୟଟକ ଥିବାବେଳେ ପ୍ରାୟ ୧୪ ଜଣ କର୍ମଚାରୀ ବୋଲି କୁହାଯାଉଛି। ଅନ୍ୟ ମାନଙ୍କ ପରିଚୟ ଖୋଜାଯାଉଛି। ଗୁରୁତର ହୋଇପଡ଼ିଛନ୍ତି ୬ ଜଣ। ସମସ୍ତଙ୍କୁ ଗୋଆ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

କାଲିଥିଲା ୱିକେଣ୍ଡ ତଥା ଶନିବାର। ରାତି ପ୍ରାୟ ୧୧ଟାରୁ ୧୨। ସବୁଦିନ ଭଳି ନାଇଟ୍ କ୍ଲବରେ ଜମିଥିଲା ନାଚ ଗୀତର ଆସର। ଡିଜେ ନାଇଟରେ ଦୁଲୁକୁଥିଲା ପରିବେଶ। ତାହାରି ଭିତରେ ହଠାତ୍ ଶୁଭିଥିଲା ଭୟଙ୍କର ବିସ୍ଫୋରଣ। ତଥାପି ଚାଲିଥିଲା ବଲିଉଡ୍ ଫିଲ୍ମ ସୋଲେର ସେହି ଆଇଟମ୍ ସଂଗ ମେହବୁବା ଓ ମେହବୁବା। ଠିକ୍ ଏତିକିବେଳେ ଡ଼୍ୟାନ୍ସ ଫ୍ଲୋର ଛାତ ପଟୁ ନିଆଁ ଝୁଲ ଖସୁଥିବା ଦେଖିବାକୁ ମିଳିଥିଲା। ହଠାତ୍ ମ୍ୟୁଜିକକୁ ବନ୍ଦ କରିଦେଲେ ଡିଜେ ବୟ। ଚାହୁଁ ଚାହୁଁ ଧୂଆଁ ଆଉ ନିଆଁ ବ୍ୟାପିଗଲା ଏଭଳି ଭାବେ। କିଏ ଜାଣିଥିଲା ଘଟିଯିବ ଏତେବଡ଼ ଅଘଟଣ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ନାଇଟ କ୍ଲବ୍ ଭିତରେ ହିଁ ଚାଲିଯାଇଥିଲା ବହୁ ଲୋକଙ୍କ ଜୀବନ। 

ପର୍ଯ୍ୟଟନ ସ୍ଥଳୀରେ ଏତେବଡ଼ ଅଘଟଣକୁ ନେଇ ସ୍ତବ୍ଧ ସାରା ଦେଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ଏବଂ ଦୁଃଖପ୍ରକାଶ କରିଛନ୍ତି। ତେବେ କେଉଁ କାରଣ ପାଇଁ ହେଲା ଏତେବଡ଼ ଅଗ୍ନିକାଣ୍ଡ ? ବିସ୍ଫୋରଣ ପଛର ରହସ୍ୟ କ’ଣ ? କାହିଁକି ନିଆଁକୁ ହଠାତ ଆୟତ୍ତ କରାଯାଇପାରିଲା ନାହିଁ ? ପ୍ରାଥମିକ ତଦନ୍ତରୁ ଇଲେକ୍ଟ୍ରି ସ୍ପାର୍କରୁ ନିଆଁ ବ୍ୟାପି ଅଘଟଣ ଘଟିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ତେବେ ନାଇଟ୍ କ୍ଲବରେ ନଥିଲା କି ଅଗ୍ନି ନିର୍ବାପକ ବ୍ୟବସ୍ଥା ? ଏବେ ଏଭଳି ପ୍ରଶ୍ନ ସହ ଚର୍ଚ୍ଚା ହେଉଥିବାବେଳେ ଗୋଆ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଘଟଣ ପରେ କ୍ଲବ ମାଲିକ ଏବଂ ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଏବଂ ଅଗ୍ନିଶମ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। 

ଅଘଟଣ ପରେ ବ୍ରିଚ୍ ନାଇଟ୍ କ୍ଲବ ଏବେ ସିଲ୍। ତେବେ ନୂଆବର୍ଷ ଆସିବା ଆଗରୁ ଏବଂ ପର୍ଯ୍ୟଟନ ୠତୁରେ ନାଇଟ୍ କ୍ଲବରେ ଏତେବଡ଼ ଅଘଟଣ, ନାଇଟ୍ ଲାଇଫ୍ ଏବଂ ପର୍ଯ୍ୟଟନସ୍ଥଳରେ ସୁରକ୍ଷା ଓ ଅଗ୍ନି ନିରାପତ୍ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

Advertisment
Advertisment